ଜବାଗାଁରେ ହାତୀ ଉପଦ୍ରବ, ୨୫ ଏକର କାନ୍ଦୁଲ ଚାଷ ନଷ୍ଟ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ତଥା ବିଶ୍ବନାଥପୁର ବନାଞ୍ଚଳ ଅନ୍ତର୍ଗତ ଲାଞ୍ଜି ଗ୍ରାମପଞ୍ଚାୟତର ଜବାଗାଁରେ ଗତ ତିନିଦିନ ହେଲା ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବ୍ରୁଦ୍ଧି ପାଇବାରେ ଲାଗିଛି। ଜବାଗାଁର ୨୫ ଏକର ଜମିର କାନ୍ଦୁଲ ଚାଷକୁ ଏଇ ହାତୀପଲ ଦଳିମକଚି ନଷ୍ଟ କରି ଦେଇଥିବା ବେଳେ ଚାଷୀମାନେ ସର୍ବସ୍ବାନ୍ତ ହୋଇପଡ଼ିଛନ୍ତି। ଏ ସଂପର୍କରେ ଗ୍ରାମବାସୀଙ୍କ ଅନୁରୋଧ ପରେ ଯୁବ ସାମ୍ବାଦିକ ଓ ସମାଜସେବୀ ବନବିଭାଗର କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ବର୍ତ୍ତମାନ ହାତୀ ଘଉଡ଼ାଇବାରେ ବ୍ୟସ୍ତ ଥିବା ଜଣାପଡ଼ିଛି। ଜବାଗାଁର ଅତି ନିକଟରେ ୨୬ଟିକିଆ ହାତୀ ପଲ ଏବେ ବି ରହିଥିବା ବେଳେ ଗ୍ରାମବାସୀ ଭୟ ଓ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସେହିପରି ଲାଞ୍ଜି ପଞ୍ଚାୟତର କାଣ୍ଡାମା ଓ ରାଏଲଗୁଡ଼ାରେ ମଧ୍ୟ ଜଙ୍ଗଲୀ ହାତୀପଲ ବ୍ୟାପକ କାନ୍ଦୁଲ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। କ୍ଷତିଗ୍ରସ୍ତ ଚାଷୀମାନେ କ୍ଷତିପୂରଣ ଦାବି କରିଛନ୍ତି। ତେବେ ଖବର ଲେଖାଯିବା ସମୟ ସୁଦ୍ଧା ହାତୀ ଘଉଡ଼ାଇବା ଜାରି ରହିଛି।

Comments are closed.