ସ୍କୁଟିରୁ ପଡି ଜେସିପି ଡ୍ରାଇଭର ମୃତ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଲାଞ୍ଜିଗଡ଼ ଠାରୁ ଜଗନ୍ନାଥପୁର ଗ୍ରାମକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତାର ପମ୍ପ ହାଉସ ନିକଟର ବୁଲାଣିରେ ରାସ୍ତା ଉପରୁ ଜମିରେ ପଡି ଯୁବକ ଜଳନ୍ଦର ବେହେରା(୨୫)ଙ୍କ ମୃତ୍ୟୁ ଘଟିଛି। ପୋଲିସ ସୂଚନା ଅନୁସାରେ ଆଜି ଅପରାହ୍ନରେ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ପୋଖରୀବନ୍ଧ ପଞ୍ଚାୟତ ବିନାୟକପୁର ଗ୍ରାମର ମୁକୁନ୍ଦ ବେହେରାଙ୍କ ପୁଅ ଜଳନ୍ଦର ବେହେରା(୨୫) ଏକ ସ୍କୁଟିରେ ଜଗନ୍ନାଥପୁର ଠାରୁ ଲାଞ୍ଜିଗଡ଼ ଆସୁଥିବା ସମୟରେ ଜଗନ୍ନାଥପୁର ଗାଁ ନିକଟରେ ଥିବା ପମ୍ପ ହାଉସ ପାଖ ବୁଲାଣିରେ ରାସ୍ତା ଉପରୁ ପ୍ରାୟ ୧୨ ପୁଟ ଜମି ତଳକୁ ଖସିପଡି ମୃତ୍ୟୁ ଘଟିଛି।

ସ୍ବର୍ଗତ ଜଳନ୍ଧର ଲଙ୍ଗଳବେଡା ଗ୍ରାମର ତେଜରାଜ ସାହୁର ଜେସିପି ଗାଡ଼ିରେ ଡ୍ରାଇଭର ରହିଥିବା ବେଳେ କିଛି ଦିନ ହେଲା ଜେସିପି ନେଇ ଲାଞ୍ଜିଗଡ଼ ରାଜା ପଡ଼ାରେ ରହି କାମ କରୁଥିଲା। ଜଳନ୍ଧର ଖାଇବା ପାଇଁ ଜଣଙ୍କ ହିରୋ ସ୍କୁଟି ମାଗି ଜଗନ୍ନାଥପୁର ନିକଟରେ ଥିବା ହୋଟେଲରେ ଖାଇ ପୁଣି ଲାଞ୍ଜିଗଡ଼ ଫେରୁଥିବା ସମୟରେ ପମ୍ପ ହାଉସ ବୁଲାଣି ନିକଟରେ ରାସ୍ତା ଉପରୁ ଜମି ତଳକୁ ଖସିପଡି ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି। ବୁଲାଣିରେ ରାସ୍ତା ଚଉଡା କମ ରହିଥିବା ବେଳେ ତାର ଦୁଇ ପାଶ୍ୱରେ ଲଟାବୁଦା ରହିଛି। ତେଣୁ ଦୁର୍ଘଟଣା ସମୟରେ କେହି ଉପସ୍ଥିତ ନଥିବା ଯୋଗୁଁ ବହୁ ବିଳମ୍ବରେ ଲୋକେ ଜମି ମଧ୍ୟରେ ଜଳନ୍ଧର ସ୍କୁଟି ତଳେ ଚାପି ହୋଇ ରହିଥିବା ଦେଖିବାକୁ ପାଇଥିଲେ। ଲାଞ୍ଜିଗଡ଼ ପୋଲିସ ଖବର ପାଇ ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ନିଜ ପୋଲିସ ଟିମ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

Comments are closed.