ବଞ୍ଜାରୀ ଘାଟିରେ ଦୁର୍ଘଟଣା: ଟ୍ରକ ଧକ୍କାରେ ବାଇକ ଚାଳକ ମୃତ

ଲାଞ୍ଜିଗଡ: ପୋଖରୀବନ୍ଧ ଠାରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ରାସ୍ତାରେ ମଙ୍ଗଳବାର ସକାଳ ୯ ଘଣ୍ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସ୍କୁଲ ଯାଉଥିବା ଶିକ୍ଷକଙ୍କ ବାଇକକୁ ପଛପଟେ ଧକ୍କା ଦେଇଛି ମାଲ ବୋଝେଇ ଭାରିଯାନ ଟ୍ରକ୍। ବାଇକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ସ୍ଥିତ ଲାଇଫଓ୍ବାର୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଥିବା ଜଣାପଡିଛି।

ଖବର ନେବାରୁ ଜଣାପଡିଛି ଯେ, ଚମ୍ପାଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଦେବରାଜ ବାଗ ପ୍ରତିଦିନ ଭଳି ତାଙ୍କ ବିଦ୍ୟାଳୟ ଡୁ୍ୟଟିରେ ଯାଉଥିଲେ। ବଞ୍ଜାରୀ ଘାଟିରୁ ଗଡାଣିଆରେ ଓହ୍ଲାଉଥିବା ବେଳେ କିଡଙ୍ଗ ଓ ବଞ୍ଜାରୀ ଘାଟି ମଝିରେ ପଛପଟୁ କ୍ଷୀପ୍ର ଗତିରେ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ଖୁବ୍ ଜୋରରେ ଶିକ୍ଷକ ଶ୍ରୀ ବାଗଙ୍କ ବାଇକକୁ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କା ଫଳରେ ବାଇକଟିର ପଛ ଭାଗ ଟ୍ରକର ଇଞ୍ଜିନ ସମ୍ମୁଖରେ ଲାଗିଯାଇ ଉଚ୍ଚକୁ ଉଠି ଯାଇଥିଲା। ବାଇକ ଚାଳକ ଶିକ୍ଷକ ଶ୍ରୀ ବାଗ ଗାଡିରୁ ଖୁବ୍ ଯୋରରେ ଛିଟିକି ପଡିବା ଫଳରେ ତାଙ୍କ ଦୁଇ ଗୋଡର ନଳୀ ହାଡ ଭାଙ୍ଗିଯିବା ସହ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିଲା। ସେଠାରୁ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଲାଇଫଓ୍ବାର୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଥିବା ଜଣାପଡିଛି।

Comments are closed.