ଦୁଇ ବର୍ଷ ପରେ ହର୍ଷୋଲ୍ଲାସରେ ପାଳିତ ହେଲା ରଥଯାତ୍ରା

ଲାଞ୍ଜିଗଡ଼: ମହାମାରୀ କରୋନା ଯୋଗୁଁ ଦୁଇବର୍ଷ ପର୍ଯ୍ୟନ୍ତ ବିନା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ରଥଯାତ୍ରା ହୋଇଥିଲା। ତେବେ ଦୁଇବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏଥିପାଇଁ କି ଗାଁ କି ସହର ହୋଇଉଠିଥିଲା ଉତ୍ସବ ମୁଖର। ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼଼, ଲାଞ୍ଜିଗଡ଼ ରୋଡ, ମୁଷାନାଳ, ରାମଚନ୍ଦ୍ରପୁର ଓ ଗନ୍ଧରବାରୁଠାରେ ରଥଯାତ୍ରା ହର୍ଷୋଲ୍ଲାସର ସହିତ ପାଳିତ ହୋଇଯାଇଛି। ଲାଞ୍ଜିଗଡ଼ସ୍ଥିତ ମନ୍ଦିରରେ ପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ରଥକୁ ଟାଣିଟାଣି ମାଉସୀ ମାଆ ମନ୍ଦିରକୁ ନେଇ ଯାଇଥିବା ବେଳେ ଅପରାହ୍ନ ୪ଟାରେ ଶ୍ରୀଜୀଉଙ୍କ ଛେରାପହଁରା ଅନୁଷ୍ଠିତ ହୋଇଥିଲା।

ଲାଞ୍ଜିଗଡ଼ ରାଜା ରାଜେନ୍ଦ୍ର ପ୍ରତାପ ସିଂଦେଓ ଛେରାପହଁରା କରିଥିଲେ। ଲାଞ୍ଜିଗଡ଼ ରଥଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳ ସମେତ ନିୟମଗିରି ଅଞ୍ଚଳରେ ରହୁଥିବା ଝରଣିଆ, ଡଙ୍ଗରିଆ କନ୍ଧ ତାଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବେଶଭୂଷାରେ ସଜ୍ଜିତ ହୋଇ ଯାତ୍ରାସ୍ଥଳୀକୁ ଆସିଥିଲେ। ଏହି ରଥଯାତ୍ରାକୁ ଶ୍ରୀ ହରିହର ସାଂସ୍କୃତିକ ଅନୁଷ୍ଠାନ ଓ ଜଗନ୍ନାଥ ମନ୍ଦିର କମିଟି ତରଫରୁ ସୁଚାରୁ ରୁପେ ପରିଚାଳନା କରାଯାଇଥିଲା। ସେହିପରି ଲାଞ୍ଜିଗଡ଼ ରୋଡ, ରାମଚନ୍ଦ୍ରପୁର, ଗନ୍ଧରବାରୁ ଓ ମୁଷାନାଳଠାରେ ମଧ୍ୟ ରଥଯାତ୍ରା ସୁରୁଖୁରୁରେ ପାଳିତ ହୋଇଯାଇଛି। ଲାଞ୍ଜିଗଡ଼, ବିଶ୍ୱନାଥପୁର, ଶିକେରକୁପା ପୁଲିସ ତରଫରୁ ସିଆର୍‍ ପିଏଫ୍‍ ଜବାନ ସବୁ ଯାତ୍ରାସ୍ଥଳରେ ମୁତୟନ କରାଯାଇଥିଲା।

Comments are closed.