ସଡକ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ : ଆମ୍ବୁଲାନ୍ସକୁ ଦାୟୀ କଲେ ପରିବାର ଲୋକେ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ସୋମବାର ଏକ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ସପ୍ତାହିକ ବାଜାରକୁ ଯାଉଥିବା ସମୟରେ ଏକ ବାଇକ ଧକ୍କା ଦେବା ଫଳରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ କୁମଖାଲ ପଞ୍ଚାୟତ ଅର୍ନ୍ତଗତ ପରୁଆଁ ଗ୍ରାମର ଧନଦେଇ ନାଗ। ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିବାରୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରବାର ଲୋକେ ଅଭିଯୋଗ କରିଛନ୍ତି।

ସୁଚନା ଅନୁଯାୟୀ,  ପରୁଆଁ ଗ୍ରାମର ଧନଦେଇ ଘର ପାଇଁ ସଉଦା କିଣିବାକୁ ସାପ୍ତାହିକ ବଜାର ଆମ୍ବାଦୋଳାକୁ ଯିବାପାଇଁ ଖଜୁରଗୁଡା ଛକରେ ଛିଡାହୋଇଥିବା ଅଟୋ ଗାଡିରେ ବସିବା ପାଇଁ ଆସୁଥିଲେ। ଏହି ସମୟରେ ବାବୁପଦର ଗାଁର ବିଷମ ବିଭାର ଏକ ୟମହା ମଟର ସାଇକେଲ (ଓଡି-୦୫ଏଲ-୭୫୦୧) ଗାଡି ବିଶ୍ୱନାଥପୁର ପଟୁ ଆସି ମହିଳା ଜଣଙ୍କୁ ପିଟି ଦେଇଥିଲା। ଗାଡିର ସ୍ପିଡ୍ ଅଧିକ ଥିବାରୁ ଚାଳକ ଗାଡଟିକୁ ସମ୍ଭାଳି ପାରି ନ ଥିଲା। ମହିଳାଙ୍କ ମୁଣ୍ଡ ପଛପଟେ ଆଘାତ ହୋଇଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବିଶ୍ୱନାଥପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସେ ଅଧିକ ଗୁରୁତର ଥିବାରୁ ବିଶ୍ୱନାଥପୁର ଡାକ୍ତର ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଭବାନୀପାଟଣା ଡାକ୍ତରଖାନାକୁ ନେବାପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ୨ଘଣ୍ଟା ଅପେକ୍ଷା କଲାପରେ ମଧ୍ୟ ଆମ୍ବୁଲାନ୍ସ ଆସି ନ ଥିଲା। ବାଧ୍ୟ ହୋଇ ପରିବାର ଲୋକେ ଏକ ବୋଲେର ଗାଡି ଭଡା କରି ନେଉଥିଲେ ହେଲେ ଭବାନୀପାଟଣା ପହଞ୍ଚିବା କ୍ଷଣି ମହିଳାଙ୍କ ମୃତ୍ୟୁ ଘଟିଥିଲା। ଆମ୍ବୁଲାନ୍ସ ବିଳମ୍ବକରିବାରୁ ଧନଦେଇଙ୍କ ପୁଅ ଗୈାତମ ନାଗ ନିଜ ମାଁର ମୃତ୍ୟୁ ପାଇଁ ଆମ୍ବୁଲାନ୍ସକୁ ଦାୟୀ କରିବାସହ ଆମ୍ବୁଲାନ୍ସରେ ଆସିଥିଲେ ହୁଏତ ତାଙ୍କ ମଆ ବଞ୍ଚି ଯାଇପାରିଥାନ୍ତେ ବୋଲି କହିଛନ୍ତି। ଧନଦେଇଙ୍କ ମୃତ୍ୟୁ ପରେ ବିଶ୍ୱନାଥପୁର ପୁଲିସ ଶବ ଜବତ ସହ ପଞ୍ଚନାମା କଲାପରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇଥିବା ଗାଡିକୁ ବିଶ୍ୱନାଥପୁର ପୁଲିସ ଅଟକ ରଖି ତଦନ୍ତ ଚଲାଇଥିବା ବିଶ୍ୱନାଥପୁର ଆଇଆଇସି କାହ୍ନୁଚରଣ ସ୍ୱାଇଁ ସୂଚନା ଦେଇଛନ୍ତି ।

 

Comments are closed.