MEllora 950×100

ମେରାଙ୍ଗପଦରର କରୁଣ କାହାଣୀ; ସବୁ ଯୋଜନା ବାଟବଣା, ପୋଡ଼ୁ ଚାଷ ଓ ଚୁଆ ପାଣି ଭରସା 

ଲାଞ୍ଜିଗଡ଼: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନାନାଦି ଯୋଜନା କରି ଆଦିବାସୀଙ୍କ ଜୀବନ ଧାରାରେ ବଡ଼ ପରିବର୍ତ୍ତନ ଆଣିଥିବା କଥା କହୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ,ଏବେବି ଅନେକ ଆଦିବାସୀ ବହୁଳ ଗାଁର ଲୋକମାନେ ସରକାରଙ୍କ ବିଭିନ୍ନ ଯୋଜନା ଜାଣିନାହାନ୍ତି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ କୁମଖାଲ ପଞ୍ଚାୟତର ମେରାଙ୍ଗପଦର ହେଉଛି ସେଭଳି ଏକ ଗାଁର ଅନ୍ୟତମ ଉଦାହରଣ । ଏହି ମେରାଙ୍ଗପଦର ଗାଁ ଲାଞ୍ଜିଗଡ଼ ବ୍ଳକ ମହକୁମା ଠାରୁ ୧୦ କିମି ଦୂର ହୋଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୮ କିମି ଦୂରରେ ଅବସ୍ଥିତ । ଏହି ଗାଁରେ ୧୦୦ ବର୍ଷ ହେଲା ୩୦ ଆଦିବାସୀ ପରିବାର ବସବାସ କରୁଛନ୍ତି । ଏଠାକାର ମୁଖ୍ୟ ସମସ୍ୟା ହେଉଛି ଗମନାଗମନ । ରାସ୍ତା ନଥିବାରୁ ଗ୍ରାମବାସୀମାନେ ନାନା ଅସୁବିଧା ଭୋଗିଥାଆନ୍ତି ।

ଗର୍ଭବତୀଙ୍କୁ ବା ଗୁରୁତର ରୋଗୀଙ୍କୁ ଖଟିଆରେ ୨ କିମି ବୋହି କି ମୁଖ୍ୟ ରାସ୍ତା ନେବାକୁ ପଡିଥାଏ । ବହୁ କଷ୍ଟରେ ଗ୍ରାମର ୩ ଜଣ ଆବାସ ଯୋଜନାରେ ଘର ନିର୍ମାଣ କରିଛନ୍ତି । ଘଞ୍ଚ ଜଙ୍ଗଲ ଯୋଗୁଁ ରାସ୍ତା ନଥିବାରୁ ଗାଁ ପିଲା ପାଠ ପଢ଼ାରୁ ବଞ୍ଚିତ ହୋଇ ଗାଈ ଚରାଉ ଥିବା ଦେଖିବାକୁ ମିଳିଛି । କିଛିପିଲା ଜଙ୍ଗଲ ରାସ୍ତାରେ ଚାଲି ଯାଇ ଟିମନବାଡ଼ି ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜାଣିବାକୁ ପାଇଥିଲୁ । ଅନ୍ୟତମ ସମସ୍ୟା ହେଉଛି ପିଇବା ପାଣି । ଗାଁରେ ଦୁଇ ଗୋଟି ନଳକୂପ ରହିଥିବା ବେଳେ ବହୁଦିନ ହେଲା ଗୋଟିଏ ଅଚଳ ହୋଇଛି । ଅନ୍ୟଟିରେ ଠିକ ଭାବରେ ପାଣି ବାହାରୁନାହିଁ । ଫଳରେ ଗାଁ ନିକଟସ୍ଥ ଚାଷ ଜମି କଡରେ ଏକ ଚୁଆ କରି ସେହି ଚୁଆ ପାଣି ଉପରେ ଗାଁ ଲୋକେ ଭରସା କରୁଛନ୍ତି । ରାସ୍ତା ନଥିବା କାରଣରୁ ସରକାରୀ କର୍ମଚାରୀ ମାନେ ଉକ୍ତ ଅଞ୍ଚଳର ଲୋକମାନଙ୍କ ସହ ଯୋଗାଯୋଗ କରିପାରୁନାହାନ୍ତି । ଆଜି ପର୍ଯ୍ୟନ୍ତ ବ୍ଳକ ଅଧ୍ୟକ୍ଷା, ବିଡ଼ିଓ, ବିଧାୟକ, ସାଂସଦ, ସ୍ୱାସ୍ଥ୍ୟକର୍ମୀ, ପଞ୍ଚାୟତ କୃଷି ଅଧିକାରୀ, ପ୍ରାଣୀ ଚିକିତ୍ସା କର୍ମଚାରୀଙ୍କ ମଧ୍ୟ ଗାଁରେ ପାଦ ପଡିନାହିଁ ବୋଲି ଗାଁ ଲୋକେ କରିଛନ୍ତି । ଗାଁରେ ଗୋଟିଏ ହେଲେ ପାଇଖାନା ନାହିଁ ।

ଗାଁରୁ ୨ କିମି ଦୂର ଜଙ୍ଗଲ ବାଟରେ ଟିମନବାଡ଼ି ଗାଁ କେନ୍ଦ୍ରକୁ ଶିଶୁଙ୍କ ଖାଦ୍ୟ ସାମଗ୍ରୀ ଆଣିବା ପାଇଁ ପରିବାର ଲୋକେ ଯାଇଥାଆନ୍ତି । ଅନ୍ୟପକ୍ଷେ ବିଜୁଳି ଆଲୁଅ ଏହି ଗାଁ ପାଇଁ ସାତ ସପନ ହୋଇଛି । ଗାଁରେ ଆଜିକୁ ୮ ବର୍ଷ ହେଲା ବିଜୁଳି ସଂଯୋଗ ହୋଇଥିଲେ ମଧ୍ୟ ମାସକୁ କଷ୍ଟେ ମଷ୍ଟେ ୧୦ ଦିନ ରହୁଛି । ବର୍ତ୍ତମାନ ବହୁଦିନ ହେଲା ଜଙ୍ଗଲୀ ହାତୀ ବିଦ୍ୟୁତ ଖୁଣ୍ଟକୁ ଭାଙ୍ଗିଦେଇ ଥିବା ଯୋଗୁଁ ଗ୍ରାମବାସୀ ଅନ୍ଧାରରେ ରହୁଛନ୍ତି । ଗାଁରେ କାହାରିକୁ ମଧ୍ୟ ଜଙ୍ଗଲ ଜମି ପଟ୍ଟା ମିଳିନାହିଁ । ଗାଁରେ ବସୁଧା ଯୋଜନାର ଫଳକ ମଧ୍ୟ ଲାଗିଛି, କିନ୍ତୁ ବସୁଧା ଯୋଜନାରେ କୌଣସି କାର୍ଯ୍ୟ ହୋଇନଥିବା ଗାଁ ଲୋକେ କହିଛନ୍ତି । ବର୍ତ୍ତମାନ ଜିଲ୍ଲା ପରିଷଦ ସଭ୍ୟା ଅଞ୍ଜଳି ମାଝୀ ଉକ୍ତ ପଞ୍ଚାୟତର ହୋଇଥିବା ବେଳେ ମେରାଙ୍ଗପଦର ଗାଁଠାରୁ ମାତ୍ର ୫ କିମି ଦୂରରେ ଲୁମା ଗାଁରେ ରହିଛନ୍ତି ।

ଦୁଃଖର ବିଷୟ ଯେ ଗାଁ ବସତିର ୧୦୦ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ଏକ ମାତ୍ର ଗାଁର କଲେଜ ପାଠୁଆ ପିଲା ଫକୀର ମାଝୀ ରହିଛନ୍ତି । ଫକୀର ୨୦୧୭ ମସିହାରେ ଦଶମ ଶ୍ରେଣୀ ପାସ ପରେ ବିଶ୍ୱନାଥପୁର କଲେଜରେ ପାଠ ପଢି ଥିଲେ । ଗାଁର ସମସ୍ୟାକୁ ନେଇ ପଞ୍ଚାୟତ, ବ୍ଳକ ଓ ଜିଲ୍ଲାପାଳ ଅଭିଯୋଗ ଶୁଣାଣିରେ ବାରମ୍ବାର ଲିଖିତ ଅଭିଯୋଗ ହୋଇଛି । ହେଲେ କୌଣସି ଅଧିକାରୀ ସେମାନଙ୍କ ଦୁଃଖ ବୁଝୁନାହାନ୍ତି ଗ୍ରାମର ଫକୀର ମାଝୀ, ପିଣ୍ଟୁ ମାଝୀ, ଅରଖିତ ମାଝୀ, ରୁଙ୍କୁ ମାଝୀ, ଦାସେ ମାଝୀ, ଲଚନ ମାଝୀ, ଘୁରୁନା ମାଝୀ, କହ୍ନେଇ ମାଝୀ, ସୀତା ମାଝୀ, ଦୂତା ବେଭା, ଆସମତି ମାଝୀ ସମେତ ଗ୍ରାମବାସୀ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି । ଏନେଇ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ପଚାରିବାରୁ ମେରାଙ୍ଗ ପଦର ଗାଁ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରଖିଛୁ, କିଛିଦିନ ମଧ୍ୟରେ ରାସ୍ତା କାମ ଆରମ୍ଭ ହେବ।ରାସ୍ତା ହେଲେ ଗାଁର ଅନ୍ୟ ସମସ୍ୟା ମଧ୍ୟ ସମାଧାନ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ ।

Comments are closed.