MEllora 950×100

ମେରାଙ୍ଗପଦରକୁ ଫିଟିଲା ବିକାଶର ରାସ୍ତା 

ନୂତନ ରାସ୍ତା ପାଇଁ ଭୂମିପୂଜା କଲେ ଜିଲ୍ଲା ପରିଷଦ ଇଓ

ଲାଞ୍ଜିଗଡ଼: ଶେଷରେ କୁଟିଆ କନ୍ଧ ଜନବହୁଳ ମେରାଙ୍ଗପଦର ଗାଁକୁ ଫିଟିଛି ବିକାଶର ରାସ୍ତା । ନୂତନ ରାସ୍ତା ପାଇଁ ଭୂମିପୂଜା କରିଛନ୍ତି କଳାହାଣ୍ଡି ଜିଲ୍ଲା ପରିଷଦ ଇଓ ପାୱାର ସଚିନ ପ୍ରକାଶ । ଗତକାଲି ଦିନିକିଆ ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଆସିବା ସହିତ ବିଭିନ୍ନ ପ୍ରକଳ୍ପର ପରିଦର୍ଶନ, ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା ପରେ ମେରାଙ୍ଗପଦର ଗାଁକୁ ନୂତନ ରାସ୍ତା ନିର୍ମାଣର ଭୂମିପୂଜା କରିଥିଲେ ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ କୁମଖାଲ ପଞ୍ଚାୟତର ମେରାଙ୍ଗପଦର ଗାଁ ଲାଞ୍ଜିଗଡ଼ ବ୍ଳକ ମହକୁମା ଠାରୁ ୧୦ କିମି ଦୂର ହୋଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୮ କିମି ଦୂରରେ ଅବସ୍ଥିତ । ଏହି ଗାଁରେ ୩୦ ଆଦିବାସୀ ପରିବାର ବସବାସ କରୁଥିବାବେଳେ ଗାଁକୁ ରାସ୍ତା ନଥିବାରୁ ଗ୍ରାମବାସୀ ନାନା ଅସୁବିଧା ଭୋଗୁଛନ୍ତି । ଏ ସଂପର୍କରେ ‘ସମାଜ’ରେ ପ୍ରକାଶ ପାଇବା ପରେ ଜିଲ୍ଲା ତଥା ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ।

ଆଜି ଶ୍ରୀ ପ୍ରକାଶଙ୍କ ସହିତ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, କୁମଖାଲ ସରପଞ୍ଚ ସାନ୍ଦ୍ରୁ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଖବର ପ୍ରକାଶ ପରେ ପୂର୍ବରୁ ବ୍ଲକ ପ୍ରଶାସନ ପକ୍ଷରୁ ଗାଁର ଜଳକଷ୍ଟ ଦୂର କରିବାକୁ ନଳକୂପ ଖନନ କରାଯାଇଛି । ଗତକାଲି ରାସ୍ତା ନିର୍ମାଣ ପାଇଁ ଶୁଭ ଦିଆଯିବା ପରେ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି ।

Comments are closed.