MEllora 950×100

ଦୁର୍ନୀତିଗ୍ରସ୍ତ ବ୍ଲକ ବିଜେଡି ସଭାପତିଙ୍କୁ ବହିଷ୍କାର ଦାବି; ଜିଲ୍ଳା ସଭାପତିଙ୍କୁ ଫେରାଦ ହେଲେ ଦଳୀୟ କର୍ମକର୍ତ୍ତା

ଲାଞ୍ଜିଗଡ଼: ଧାମନଗର ଉପ-ନିର୍ବାଚନରେ ପରାଜୟ ପରେ ପଦ୍ମପୁର ଉପ ନିର୍ବାଚନରେ ବିଜୟୀ ହେବାକୁ ଶାସକ ବିଜୁ ଜନତା ଦଳ ରାତିଦିନ ଏକ କରି ପ୍ରଚାରରେ ଲାଗିଯାଇଛି । ବିଜେଡି ନିଜର ଆତ୍ମସମ୍ମାନ ବଜାୟ ରଖିବାକୁ କସରତ ଜାରି ରଖିଥିବା ବେଳେ ଦଳର ଜଣେ ବ୍ଲକ ସଭାପତିଙ୍କ ଦୁର୍ନୀତି, ଅନିୟମିତତା ଓ ବେଆଇନ କାର୍ଯ୍ୟକୁ ନେଇ ଏବେ ଦଳ ହରଡ଼ଘଣାରେ ପଡ଼ିଛି । ଏପରିକି ସଭାପତିଙ୍କ ମାତ୍ରାଧିକ ଦୁର୍ନୀତି ଓ ସ୍ବେଚ୍ଛାଚାର ବିରୋଧରେ ଖୋଦ୍ ଦଳର ନେତା ଓ କର୍ମୀ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିଜେଡି ବିରୋଧରେ ବିଜେଡି ନେତା ଓ କର୍ମୀ ଯୁଦ୍ଧଂଦେହି ଡାକରା ଦେବା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ଏହିପରି ପରିସ୍ଥିତିରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବିଜେଡି ସଭାପତି ଭାବେ କାର୍ଯ୍ୟରତ ଗୋବିନ୍ଦ ପ୍ରଧାନୀଙ୍କୁ ଅଡୁଆରେ ପକାଇଛି । ଦୀର୍ଘ ବର୍ଷ ହେଲା ସେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ଓ ତାଙ୍କୁ ଦଳ ଘଣ୍ଟ ଘୋଡ଼ାଇ ଆସୁଥିବା ନେଇ ବିରୋଧୀ କଂଗ୍ରେସ ଓ ବିଜେପି ଅଭିଯୋଗ କରି ଆସୁଥିଲେ । ତାଙ୍କ କାର୍ଯ୍ୟକଳାପ ଯୋଗୁଁ ଦଳ ବଦନାମ ହେଉଥିବାବେଳେ ଏଥିରେ ଅତିଷ୍ଠ ହୋଇ ଏଥର ତାଙ୍କ ବିରୋଧରେ ଶହଶହ ଦଳୀୟ କର୍ମୀ ଅସନ୍ତୋଷ ଜାହିର କରିଛନ୍ତି । ଲାଞ୍ଜିଗଡ଼ ବିଜୁ ଜନତା ଦଳର ସଭାପତି ଗୋବିନ୍ଦ ପ୍ରଧାନୀଙ୍କ ବିରୁଦ୍ଧରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କ ନେତୃତ୍ବରେ ଲାଞ୍ଜିଗଡ଼ ବ୍ଲକର ଶତାଧିକ ନେତା ଓ କର୍ମୀ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏହାସହିତ ଦଳର ସାମୁହିକ ସ୍ବାର୍ଥ ଦ୍ରୁଷ୍ଟିରୁ ବ୍ଲକ ସଭାପତି ଗୋବିନ୍ଦ ପ୍ରଧାନୀଙ୍କୁ ସଭାପତି ପଦରୁ ତୁରନ୍ତ ବହିଷ୍କାର କରିବା ପାଇଁ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି ।

ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ, ଅଞ୍ଜଳୀ ମାଝୀ, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ବିଜେଡି ଜିଲ୍ଲା ପରିଷଦ ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ଲୋକନାଥ ମାଝୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ସମାଜସେବୀ ହରିଶଙ୍କର ପାତ୍ର, ବ୍ଲକ ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗ, ବିଶ୍ବନାଥପୁର ସରପଞ୍ଚ ସୁରଥ ମାଝୀ, ସମିତିସଭ୍ୟ ଅଜିତ ପ୍ରଧାନୀଙ୍କ ସମେତ ବିଜେଡି ସମର୍ଥିତ ୩୦ ଜଣ ସରପଞ୍ଚ ଓ ସମିତିସଭ୍ୟ, ଦଳର ଶତାଧିକ କର୍ମୀ ଜିଲ୍ଲା ସଭାପତିଙ୍କୁ ସାକ୍ଷାତ କରି ଫେରାଦ ହୋଇଥିବା ଜଣାପଡ଼ିଛି । ସେହିପରି ବ୍ଲକ ବ୍ୟାପି ଶହଶହ କର୍ମୀ ତାଙ୍କ ବିରୋଧରେ ବିଷୋଦଗାର କରୁଥିବାବେଳେ ପଦ୍ମପୁର ଉପ ନିର୍ବାଚନ ଓ ଜିଲ୍ଲା ସଭାପତିଙ୍କ ନିର୍ଦ୍ଦେଶକୁ ସମସ୍ତେ ଅପେକ୍ଷା କରିଛନ୍ତି ।

ସେମାନଙ୍କ ଅଭିଯୋଗ ଅନୁସାରେ ଲାଞ୍ଜିଗଡ଼ ବ୍ଲକ ବିଜୁ ଜନତା ଦଳ ସଭାପତିଙ୍କ ଦୁର୍ନୀତି ହାଟରେ ପଡ଼ି ଏବେ ଦାଣ୍ଡରେ ଗଡୁଛି । ଲାଞ୍ଜିଗଡ଼ ବ୍ଲକ ବିଜୁ ଜନତା ଦଳ  ସଭାପତି ଶ୍ରୀ ପ୍ରଧାନୀ ଦୁର୍ନୀତି ଏବଂ ମିଥ୍ୟା ପ୍ରଚାରରେ ଲିପ୍ତ ରହି, ମଦ୍ୟପାନ କରି ଦଳୀୟ ସଙ୍ଗଠନକୁ ଦୁର୍ବଳ କରୁଛନ୍ତି । ବିଶ୍ବନାଥପୁରସ୍ଥିତ ମାଁ ହୀରା ନୀଳା ମହାବିଦ୍ୟାଳୟର ବିବାଦୀୟ ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶରେ ପରିଚାଳିତ ହୋଇ ସଭାପତି ଶ୍ରୀ ପ୍ରଧାନୀ ଦୁଇଜଣ ଜିଲ୍ଲା ପରିଷଦ ସଭ୍ୟ ଓ ଅନ୍ୟ ବିଜେଡି କର୍ମକର୍ତ୍ତାଙ୍କ ଅଜାଣତରେ ସେମାନଙ୍କ ଦସ୍ତଖତ ଜାଲିଆତି କରିବା ଭଳି ସଙ୍ଗୀନ ଅପରାଧ କରିଥିବା ପ୍ରମାଣିତ ହୋଇଛି । ଏହାସହିତ ବିବାଦୀୟ ଓ ଦୁର୍ନୀତିଖୋର ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ନାଁରେ ହୋଇଥିବା ଅଭିଯୋଗକୁ ମିଥ୍ୟା ସାବ୍ୟସ୍ତ କରିବାକୁ ସେ ଏଇ ଜାଲ୍ ଦସ୍ତଖତଗୁଡ଼ିକ ବ୍ୟବହାର କରି ଅପଦସ୍ତ ହୋଇଥିଲେ । ଯେତେବେଳେ କି ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ନାଁରେ ଠକେଇ, ହତ୍ୟା ଧମକ ଏବଂ ମହାବିଦ୍ୟାଳୟର କୋଟିକୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା ଏବଂ ଏଇ ମାମଲାରେ ଶ୍ରୀ ସାହୁ ଜେଲ୍ ଯାଇଥିଲେ, ଜେଲରୁ ଫେରିବା ପରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ।

ଏଥିରେ ବ୍ଲକ ବିଜେଡି ସଭାପତି ଶ୍ରୀ ପ୍ରଧାନୀଙ୍କ ସ୍ତ୍ରୀ ତପସ୍ବିନୀ ବାହୁକ ଅନ୍ୟତମ ଅଭିଯୁକ୍ତ ଥିବାବେଳେ ଏଇ ଅଭିଯୋଗରେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତଥାପି ନିଜ ସ୍ତ୍ରୀ ଓ ବନ୍ଧୁଙ୍କ କଳା କାରନାମାକୁ ଲୁଚାଇବାକୁ ସେ ବିଭିନ୍ନ ସମୟରେ ନିଜର ପଦବୀର ଅପବ୍ୟବହାର କରିଆସୁଛନ୍ତି । ଅପରପକ୍ଷରେ ସେ ମଦ୍ୟପାନ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବିଶୃଙ୍ଖଳା କରୁଥିବା ବେଳେ ଗତ କିଛି ଦିନ ତଳେ ବିଶ୍ବନାଥପୁର ଠାରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମରେ ବିନା ନିମନ୍ତ୍ରଣରେ ଯାଇ ଗଣ୍ଡଗୋଳ କରି ହଟହଟା ହୋଇଥିଲେ । ଏହିପରି ଭାବେ ଦଳର ନୀତି ଓ ଆଦର୍ଶ ବିରୋଧରେ କାର୍ଯ୍ୟକରି ଦଳୀୟ ପଦବୀକୁ ନିଜ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ବଳି ପକାଇ ଦେଉଥିବାରୁ ବିଜେଡି ପ୍ରେମୀ ଓ କର୍ମୀମାନେ ମ୍ରିୟମାଣ ହୋଇପଡ଼ିବା ସହିତ ଜଣେ ଦୁର୍ନୀତିଗ୍ରସ୍ତ ବ୍ଲକ ସଭାପତିଙ୍କ ସହ ସାଙ୍ଗଠନିକ କାର୍ଯ୍ୟ କରିପାରିବୁ ନାହିଁ ବୋଲି କହିବା ସହିତ ଶହଶହ କର୍ମୀ ଓ ନିର୍ବାଚିତ ପ୍ରତିନିଧି ତାଙ୍କୁ ପଦରୁ ବହିଷ୍କାର କରିବା ପାଇଁ ଜିଲ୍ଲା ସଭାପତିଙ୍କ ଦ୍ଵାରସ୍ଥ ହୋଇଥିବା ଜଣାପଡ଼ିଛି ।

ଦଳର ବହୁ ବରିଷ୍ଠ ନେତା ଏବଂ ସମସ୍ତ କର୍ମକର୍ତ୍ତା ତଥା ଅଞ୍ଚଳବାସୀ ଉପସ୍ଥିତ ରହି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ଜିଲ୍ଲା ସଭାପତି ଶ୍ରୀ ସିଂହଦେଓ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

Comments are closed.