ଲାଞ୍ଜିଗଡରେ ନକ୍ସଲ ବିରୋଧୀ ପୋଷ୍ଟର – ଲକ୍‍ଡାଉନ୍‍ ସମୟରେ ଆମଠାରୁ ଦୁରେଇ ରୁହ

ଲାଞ୍ଜିଗଡ: ଲାଞ୍ଜିଗଡର ଦୁର୍ଗମ ଅଞ୍ଚଳରେ ମାଓବାଦିମାନେ ବିଭିନ୍ନ ଚେତାବନି ମୁଳକ ପୋଷ୍ଟର ଛାପୁଥିବା ବେଳେ ବର୍ତ୍ତମାନ କରୋନା ଭୁତାଣୁର ଭୟଭୟତାକୁ ଦେଖି ବିଭିନ୍ନ ଅଞ୍ଚଳମାନଙ୍କରେ ନକ୍ସଲ ବିରୋଧରେ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ଲାଞ୍ଜିଗଡ ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳମାନଙ୍କରେ ମାଓବାଦିମାନେ ସକ୍ରିୟ ରହିଥିବା ବେଳେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏହି ମାଓ ବିରୋଧି ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି। ବ୍ଲକର ବିଜେପୁର, ତ୍ରିଲୋଚନପୁର ଛକ, କଦମଗୁଡା, ବଳଭଦ୍ରପୁର ରାସ୍ତାରେ ଏହି ପୋଷ୍ଟର ସବୁ ମରାଯାଇଛି। ବର୍ତ୍ତମାନ ସାରା ବିଶ୍ୱରେ ଏହି କରୋନା ଭୁତାଣୁ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହି ସଂକ୍ରାମକ ରୋଗ ନବ୍ୟାପିବା ପାଇଁ ସରକାର ଏହାକୁ ଜାତୀୟ ବିପତ୍ତି ଭାବେ ଘୋଷଣା କରିବା ସହିତ ପ୍ରତିଷେଧକମୂଳକ ସାମାଜିକ ଦୁରିକରଣ ପାଇଁ ଆହ୍ୱାନ ଦେଇଛନ୍ତି। କେବଳ ସଂକ୍ରମିତ ଲୋକଙ୍କ ଠାରୁ ଦୁରେଇ ରହିଲେ ହିଁ ନିଜକୁ ମୃତ୍ୟୁ ମୁଖରୁ ବଞ୍ଚାଇପାରିବ।

ଆମ ଦୁର୍ଗମ ଅଞ୍ଚଳମାନଙ୍କରେ ବୁଲୁଥିବା ମାଓବାଦିମାନେ ଅନ୍ୟରାଜ୍ୟମାନଙ୍କରୁ ଆସିଛନ୍ତି। ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ପ୍ରକାଶ କରୁଛୁ ଯେ ମାଓବାଦିମାନଙ୍କ ମଧ୍ୟରେ କିଛି ମାଓବାଦି କରୋନା ଭାଇରସରେ ସଂକ୍ରମିତ ହୋଇ ପଡୋଶୀ ରାଜ୍ୟମାନଙ୍କରୁ ଆସିଛନ୍ତି ସେମାନଙ୍କ ଦ୍ୱାରା ଏଠାରେ କରୋନା ଭାଇରସ ବ୍ୟାପିବାର ଆଶଙ୍କା ରହିଛି। ସେଥିପାଇଁ ସମସ୍ତ ଅଞ୍ଚଳବାସୀଙ୍କୁ ଅନୁରୋଧ ସେମାନଙ୍କ ସଂର୍ଷ୍ପରେ ଆସନ୍ତୁ ନାହିଁ। ମାଓବାଦିଙ୍କ ଦ୍ୱାରା ସଂଗଠିତ ସଭାସମିତିରେ ଯୋଗ ଦିଅନ୍ତୁ ନାହିଁ। ସେମାନଙ୍କୁ ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଦିଅନ୍ତୁ ନାହିଁ। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଲକ୍‍ଡାଉନ୍‍କୁ ମାନି ନିଜଘରେ ରୁହନ୍ତୁ ବାହାର ଲୋକଙ୍କ ସହିତ ମିଶାନ୍ତୁ ନାହିଁ। ମାଓବାଦୀମାନଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ଗାଁ ଗାଁ ନବୁଲି ରୋଗ ସଂକ୍ରମଣର ବାହାକ ନହୋଇ ଜଙ୍ଗଲରୁ ନବାହାରି ସଂକ୍ରମଣରୁ ନିଜକୁ ରକ୍ଷା କରନ୍ତୁ।ସ ଜିଲ୍ଲା ପୁଲିସ ପ୍ରଶାସନ ପାଖରେ ଆତ୍ମସମର୍ପଣ କରି ଏହି ସଂକ୍ରମଣରୁ ରକ୍ଷା ପାଆନ୍ତୁ ବୋଲି ପୋଷ୍ଟର ମାନଙ୍କରେ ଉଲ୍ଲେଖ ରହିଛି। ଏହି ପୋଷ୍ଟର ଲାଗିଲା ପରେ ଜନ ସାଧାରଣ ଓ ଦୁର୍ଗମ ଅଞ୍ଚଳବାସି ସଚେତନ ହେବାର ଲକ୍ଷ କରାଯାଇଛି। ଏହା ଏକ ଉଚିତ୍‍ ସଚେତନତା ବାର୍ତ୍ତା ଓ ଏହି ସଚେତନତା ପୋଷ୍ଟର ପଡିଲା ପରେ ନିଶ୍ଚିତ ଜନସାଧାରଣ ସେମାନଙ୍କ ଠାରୁ ଦୁରେଇ ରହିବେ ବୋଲି ଲାଞ୍ଜିଗଡ ଆଇଆଇସି ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି।

Comments are closed.