ଦୁର୍ଗମ ଅଞ୍ଚଳରେ ପୁଣି ହାତୀ ଆତଙ୍କ ; ଭାଙ୍ଗିଲେ ୫ଘର, ଉଜୁଡିଲା ମାଣ୍ଡିଆ ଓ ଧାନ ଫସଲ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ଜଙ୍ଗଲି ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ମଧ୍ୟ ନାକେଦମ୍ ହୋଇପଡିଛି । ଜଙ୍ଗଲି ହାତୀ ଭୟରେ ଗାଁ ଲୋକେ ଘର ଛାଡି ଚାଲିଯାଇଉଥିବା ବେଳେ ବୁଧବାର ପୁଣି ଏହି ବ୍ଲକ ଅର୍ନ୍ତଗତ ପୋଖରୀବନ୍ଧ ପଞ୍ଚାୟତର ମେଲଭୁଟୁ ଗାଁରେ ଦେଖାଦେଇଛି ଜଙ୍ଗଲି ହାତୀ ଉପଦ୍ରବ । ମଙ୍ଗଳାର ବିଳମ୍ବିତ ରାତିରେ ଜଙ୍ଗଲି ହାତୀପଲ୍ଲ ଆସି ଗାଁର ୫ଟିଘର ସଂପୁର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ଧାନ ଓ ମାଣ୍ଡିଆ ବିଲ ଗୁଡାକ ସଂପୁର୍ଣ୍ଣ ନଷ୍ଟ କରିଦେଇଛନ୍ତି ।

ବନ ବିଭାଗର ସୂଚନା ଅନୁସାରେ, ଗତ କିଛିଦିନ ହେଲା ଜଙ୍ଗଲି ହାତୀପଲ୍ଲ ବେଡାଗାଁ ପଞ୍ଚାୟତ ବିଭିନ୍ନ ଗାଁରେ ଫସଲ ନଷ୍ଟ କରିବା ସହ ଅନେକ ଲୋକଙ୍କ ଘର ଭାଙ୍ଗି ଦେଇଛନ୍ତି। ବର୍ତ୍ତମାନ ସେହି ହାତୀପଲ୍ଲ ପୋଖରୀବନ୍ଧ ଗ୍ରାମ ପଞ୍ଚାୟତ ଆଡକୁ ମୁହାଇଛନ୍ତି । ରାତିରେ ଲୋକେ ତାଟି କବାଟ ଦେଇ ଶୋଇଥିବା ସମୟରେର ଏହି ପଞ୍ଚାୟତର ମେଲଭୁଟୁ ଗାଁରେ ପହଞ୍ଚିଥିଲେ ହାତୀପଲ୍ଲ। ଏହି ଗାଁକୁ ଆସି ପ୍ରଥମେ ଠେଲା ମାଝୀର ଖଳାରେ ଗଦା ହୋଇଥିବା ୭କୁଇଣ୍ଟାଲ ଧାନକୁ ଖାଇଦେଇଥିବା ବେଳେ ରିଞ୍ଜା ମାଝୀ ଓ ଧୃବ ମାଝୀର ଧାନ ଓ ମାଣ୍ଡିଆ ଚାଷକୁ ଦଳି ଚକଟି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ। ପରେ ଗାଁକୁ ପସି ଆସି ଲକ୍ଷ୍ମଣ ମାଝୀ,ଡୁପୁରା ମାଝୀ,କ୍ରୀଷ୍ଣା ମାଝୀ, ସୁସାନ୍ତି ମାଝୀ ଓ ବୁଡୁ ମାଝୀଙ୍କ ଘର ସଂପୁର୍ଣ୍ଣ ଭାଙ୍ଗିରୁଜି ନଷ୍ଟ କରିଦେଇଛନ୍ତି । ବର୍ତ୍ତମାନ ପରିବାର ଲୋକେ ଖୋଲା ଆକାଶ ତଳେ ପ୍ରଶାସନିକ ସହାୟତାକୁ ଅନେଇ ରହିଛନ୍ତି। ବନ ବିଭାଗ ପକ୍ଷରୁ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ତଦନ୍ତ କରି ଫେରି ଆସିଛନ୍ତି । ଏହି ଘଟଣାକୁ ନେଇ ବ୍ଲକ ଅଧ୍ୟକ୍ଷ ଇ.ଫକୀର ମୋହନ ମାଝୀ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ସେମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ଲାଞ୍ଜିଗଡ ତହସିଲଦାରଙ୍କୁ ଅନୁରୋଧ କରିଥିବା ବେଳେ ଘଟଣାକୁ ୨୦ଘଣ୍ଟା ବିତିଯାଇଥିଲେ ସୁଦ୍ଧା ବ୍ଲକ ପ୍ରଶାସନ ପକ୍ଷରୁ କେହି ପହଞ୍ଚି ନ ଥିବା ଅଭିଯୋଗ କରିଛନ୍ତି।  ଏ ସଂପର୍କରେ ଲାଞ୍ଜିଗଡ ତହସିଲଦାର ମୁନିନ୍ଦ୍ର ହୁନ୍ନାଗାଁଙ୍କୁ ପଚାରିବାରୁ ସଂପୃକ୍ତ ଅଞ୍ଚଳର ରାଜସ୍ୱ ନିରିକ୍ଷକଙ୍କୁ ନିର୍ଦ୍ଧେଶ ଦିଆଯିବ ସେ ତଦନ୍ତ କରିବେ ଓ ତାଙ୍କ ରିପୋର୍ଟ ଆନୁସାରେ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି।ଏ ଘଟଣା ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ସମ୍ପୃକ୍ତ ପଞ୍ଚାୟତର କାର୍ଯ୍ୟ ନିର୍ବାହି ଅଧିକାରୀ ଓ ପଞ୍ଚାୟତ କର୍ମକର୍ତ୍ତାଙ୍କୁ କ୍ଷୟକ୍ଷତି ହୋଇଥିବା ପରିବାରର ଅସୁବିଧା ବୁଲି ଦେଖିବାସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Comments are closed.