ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳରେ ବଢୁଛି ହାତୀ ଉପଦ୍ରବ, ଭୟ ଓ ଆତଙ୍କରେ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ

ଲାଞ୍ଜିଗଡ଼:କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକର ଦୁର୍ଗମ ଅଞ୍ଚଳମାନଙ୍କରେ ଜଙ୍ଗଲି ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଉଛି। ଜଙ୍ଗଲି ହାତୀପଲ୍ଲ ଗାଁ ଭିତରକୁ ପସି ଅନେକ କ୍ଷୟକ୍ଷତି ଘଟାଉଛନ୍ତି। ଅନେକ ଲୋକଙ୍କ ଫସଲ ଉଜାଡି ଦେଉଥିବା ବେଳେ ଘରଦ୍ୱାର ମଧ୍ୟ ଭାଙ୍ଗି ଦେଉଛନ୍ତି। ସନ୍ଧ୍ୟା ହେଲେ ଦୁର୍ଗମ ଅଞ୍ଚଳବାସୀ ଭୟ ଓ ଆତଙ୍କରେ ଜୀବନ ବିତାଉଛନ୍ତି। ହେଲେ ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବାପାଇଁ କୋଣସି ପଦକ୍ଷେପ ନିଆ ଯାଉନାହିଁ ।ଆଜିଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ ଛତ୍ରପୁର ପଞ୍ଚାୟତର ଖଜୁରିପଦର ଗାଁରେ। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୨୦ରୁ ଊର୍ଦ୍ଧ୍ବ ଜଙ୍ଗଲି ହାତୀପଲ୍ଲ ଖଜୁରିପଦର ଗାଁ ଭିତରକୁ ପସିଆସି ହୁଙ୍କାର ମାରିଥିଲେ। ଭୟରେ ଗାଁ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ। ଜଙ୍ଗଲି ହାତୀପଲ୍ଲ ଗାଁର ତିନୋଟି ଘର ଭାଙ୍ଗି ଦେଇଥିବା ବେଳେ ଘରେ ଥିବା ଖାଦ୍ୟଶସ୍ୟକୁ ଖାଇ ନଷ୍ଟ କରିଦେଇଥିଲେ। ଗାଁର ଲିଙ୍ଗରାଜ ମାଝୀ, ମେଁଡି ମାଝୀ, ସୁବର୍ଣ୍ଣ ମାଝୀଙ୍କ ଘର ସମ୍ପୁର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ପରିବାର ରହିବା ପାଇଁ କୌଣସି ଜାଗାନାହିଁ। ବର୍ତ୍ତମାନ ସେମାନେ ପୋଡଷି ଘରେ ଆଶ୍ରୟ ନେଇଥିବା ଜଣାପଡିଛି। ଗାଁ ବାହାରେ ଭୟଙ୍କର ହୁଙ୍କାର ମାରି ଗାଁ ଲୋକଙ୍କୁ ଭୟ ଭିତ କରିଥିବା ବେଳେ ଗାଁରେ ଥିବା ଚାଷକୁ ନଷ୍ଟ କରି ଦେଇଥିଲେ। ହାତୀ ଆକ୍ରମଣ ଭୟରେ ଗାଁ ଲୋକେ ଲୁଚିକି ରହିଯାଇଥିଲେ। ଆଜି ସକାଳୁ ଏ ସଂପର୍କରେ ବିଶ୍ୱାନଥପୁର ରେଞ୍ଜର ସୁଦର୍ଶନ ଦେହୁରୀଙ୍କୁ ଖବର ଦେଇଥିଲେ ମଧ୍ୟ ବନବିଭାଗ ପକ୍ଷ୍ୟରୁ କୋଣସି ପଦକ୍ଷେପ ନିଆଯାଇନାହିଁ।

 

କେବଳ ବନ ବିଭାଗର କିଛି କର୍ମଚାରୀ ଘଟଣା ସ୍ଥଳକୁ ପରିଦର୍ଶନ କରି ସ୍ଥିତି ପରଖି ଚାଲି ଆସିଥିଲେ । ଦୁର୍ଗମ ଅଞ୍ଚଳରେ ହାତୀ ଉପଦ୍ରବକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ସ୍କାର୍ଡ ଗଠନ କରି ହାତୀର ଗତିପଥକୁ ଲକ୍ଷ କରାଯାଉଛି ବୋଲି କୁହାଯାଉଛି ହେଲେ ତାହା କେବଳ କାଗଜପତ୍ରରେ ଚାଲିଥିବା ଅଭିଯୋଗ ହେଉଛି। ଗାଁ ଲୋକଙ୍କ କ୍ଷୟକ୍ଷତି ପାଇଁ ବିଶ୍ୱନାଥପୁର ରେଞ୍ଜର ଆକଳନ କରିବା କଥା ହେଲେ ତାହା ମଧ୍ୟ ଏପର୍ଯ୍ୟନ୍ତ ହୋଇନ ଥିବା ଅଭିଯୋଗ ହୋଇଛି। ବିଶ୍ୱନାଥପୁର ତହସିଲଦାର ମୁନିନ୍ଦ୍ର ହୁଁନ୍ନାଗା ଘର ଭାଙ୍ଗିଯାଇଥିବା ପରିବାର ଙ୍କୁ ରହିବା ପାଇଁ ପୋଲିଥିନ ଦେବାକଥା ହେଲେ ଏ ପ୍ରଯ୍ୟନ୍ତ ଘଟଣା ସ୍ଥଳ କୁ ଯାଇନାହାନ୍ତି । ବର୍ତ୍ତମାନ ତିନୋଟି ପରିବାର ବେସାହାରା ହୋଇଥିବା ବେଳେ ସେମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗାଟିଏ ନାହିଁ। ସେମାନେ ଖାଇବେ କଣ,ପିନ୍ଧିବେ କଣ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ବ୍ଲକ ପ୍ରଶାସନର କୌଣସି ଅଧିକାରୀ ମଧ୍ୟ ଘଟଣା ସ୍ଥଳକୁ ଯାଇ ନାହାନ୍ତି । ବର୍ତ୍ତମାନ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସହଯୋଗର ହାତ ବଡାଇବା ନିହାତି ଆବଶ୍ୟକତା ହୋଇପଡିଛି। ଦୁର୍ଗମ ଅଞ୍ଚଳରେ ହାତୀଭୟ କେବେ ଦୁରହେବ ,ବନବିଭାଗ ଏ ଦିଗରେ ପଦକ୍ଷେପ ନେବା ନିହାତି ଜରୁରୀ ହୋଇପଡିଛି।

Comments are closed.