କଠିନ ସମୟରେ ସହାୟତାର ହାତ ବଢାଇଲା ‘ଦାପ୍ତା’;  ୮୦ଟି ଗରିବ ଓ ଅସହାୟଙ୍କୁ ରିଲିଫ୍‍ ସାମଗ୍ରୀ ବାଣ୍ଟିଲା

ଲାଞ୍ଜିଗଡ଼ : ମହାମାରୀ କରୋନାର ଦାଉରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ଲୋକଙ୍କ ଜୀବନ ଜୀବିକା ମଧ୍ୟ ଏକପ୍ରକାର ଠପ୍‍ ହୋଇପଡ଼ିଛି। ଧିରେଧିରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାବେଳେ ଗାଁଗହଳିର ଲୋକେ ଜୀବନ ବିକଳରେ କୁଲିମଜୁରି କରିନପାରି ହାତବାନ୍ଧି ବସିଛନ୍ତି। ସେହିପରି ଗରିବ, ନିରାଶ୍ରୟ, ବୃଦ୍ଧବୃଦ୍ଧା ଓ ରୋଗୀଣାମାନଙ୍କ ପାଇଁ ଜୀବନ ଦୁର୍ବିସହ ପାଲଟିଥିବାବେଳେ ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ ଭଳି ପ୍ରତୀତ ହେଉଛି। ଏହିପରି କଠିନ ସମୟରେ କିନ୍ତୁ ଦୁଃସ୍ଥ ଓ ଅସହାୟଙ୍କ ପାଖରେ ଶୁଖିଲା ଖାଦ୍ୟ ପହଞ୍ଚାଇ ମାନବିକତାର ଦାୟିତ୍ୱବୋଧ ପ୍ରଦର୍ଶନ କରୁଛନ୍ତି କିଛି ସ୍ୱେଚ୍ଛାସେବୀ ସଂସ୍ଥା। ଏହିପରି ଭାବେ ଗ୍ରାମାଞ୍ଚଳର ଗରିବଗୁରୁବାଙ୍କୁ ଖାଦ୍ୟ ସାମଗ୍ରୀ ଦେଇ ସେମାନଙ୍କ ଶୁଖିଲା ମୁହଁରେ ହସ ଫୁଟାଇପାରିଛି କଳାହାଣ୍ଡି ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ଦାପ୍ତା। ଦାପ୍ତା ପକ୍ଷରୁ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତର ନଅଟି ଗାଁର ଏଗାର ଜଣ ସଂପୂର୍ଣ୍ଣ ନିରାଶ୍ରୟା ବିଧବା, ଛଅଜଣ ଗୁରୁତର ରୋଗୀ, ପାଞ୍ଚଜଣ ଦିବ୍ୟାଙ୍ଗ, ଆଠ ଜଣ ବୃଦ୍ଧବୃଦ୍ଧାଙ୍କୁ ମିଶାଇ ମୋଟ ୩୦ଜଣଙ୍କୁ ଅଟା, ଚାଉଳ, ଡାଲି, ତେଲ, ଲୁଣ, ସାବୁନ, ସର୍ଫ ପାଉଡର ଆଦି ଦ୍ରବ୍ୟ ବଣ୍ଟନ କରାଯାଇଛି। ହେବିଟେଟ୍‍ ଫର୍‍ ହ୍ୟୁମାନିଟି ଇଣ୍ଡିଆ ଓ ମାଙ୍ଗାଲୋରସ୍ଥିତ ଜେରୋଧା ସଂସ୍ଥାର ସହାୟତା ଓ ଦାପ୍ତା ସଂସ୍ଥାର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋବର୍ଦ୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଯୁବଲେଖକ ତଥା ସମାଜସେବୀ ସୁଶୀଲକୁମାର ବାଗ ଓ ଦାପ୍ତା ସଂସ୍ଥାର ଟିମ୍‍ ଲିଡ଼ର ଦୀପନ ଶର୍ମା ଯୋଗ ଦେଇ ରିଲିଫ୍‍ ସାମଗ୍ରୀ ବଣ୍ଟନ କରିଥିଲେ। ଦାପ୍ତା ସଂସ୍ଥା ପକ୍ଷରୁ ସହଦେବ ନିଆଲ, କାନ୍ତ ଭୋଇ ଓ ସୌମ୍ୟରଞ୍ଜନ ଗହୀରଙ୍କ ସମେତ ୱାର୍ଡସଭ୍ୟ ଅଶୋକ ପରିଡା, ବିନୋଦ ସାହୁ, ପାର୍ବତୀ ମାଝୀ, ଭାଲୁଚଞ୍ଚରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୈତାରୀ ମାଝୀ, ଗୋବର୍ଦ୍ଧନପୁର ଗ୍ରା.ପ. ବିଜୁ ଯୁବବାହିନୀର ସଭାପତି ତୀର୍ଥ ଗହୀର, ସଦସ୍ୟ ହୃଷିକେଶ ବଗର୍ତ୍ତି, ପିଣ୍ଟୁ ପତି, ଅମିତ କୁମାର ପଧାନ, ବିକ୍ରମ ଛତ୍ରିଆ ପ୍ରମୁଖ ରିଲିଫ୍‍ ବଣ୍ଟନରେ ସହଯୋଗ କରିଥିଲେ। ସେହିପରି ନିୟମଗିରି ପର୍ବତ ଉପରେ ଥିବା ତ୍ରିଲୋଚନପୁର ଗ୍ରା.ପ.ର ଦୁର୍ଗମ ଫୁଲଡୁମେର ଓ ଖେମୁଣ୍ଡିପଦର ଗାଁରେ ଦାପ୍ତା ସଂସ୍ଥା ପକ୍ଷରୁ ପଚାଶଜଣ କୁଟିଆକନ୍ଧ ପରିବାରଙ୍କୁ ରିଲିଫ୍‍ ସାମଗ୍ରୀ ବଣ୍ଟନ କରାଯାଇଥିବାବେଳେ ତିରିଶ ଜଣ ଗରିବ ମହିଳାଙ୍କୁ ଶାଢି ବଣ୍ଟନ କରାଯାଇଛି। ଏଥିରେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଦାପ୍ତା ସଂସ୍ଥାର ସାଧାରଣ ସଂପାଦକ ରାଜୁ ଶର୍ମା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ଅବହେଳିତ ଜନଗୋଷ୍ଠୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।

Comments are closed.