ଏଟ୍ରୋସିଟି ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ- ଡମ୍ବ ସମାଜ ବିକାଶ ପରିଷଦ

ଲାଞ୍ଜିଗଡ: ସାରା ଦେଶରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମର ମାମଲା ବଢି ଚାଲିଥିବାବେଳେ ଅନେକ ଘଟଣାରେ ଦୋଷୀମାନେ ଆଇନର ଜଳାବାଟ ଦେଇ ଖସିଯାଉଛନ୍ତି। ସେହିପରି ନିର୍ବାଚିତ ସରକାରଙ୍କ ଦୃଢ ପଦକ୍ଷେପ ଓ ନୀତି ନୈତିକତାର ଅଭାବରୁ ଏଇ ସାମାଜିକ କଳଙ୍କ କମିବା ବଦଳରେ ବୃଦ୍ଧି ପାଇବାରେ ଲାଗିଛି। ସ୍ୱାଧୀନତାର ୭୩ବର୍ଷ ପରେ ବି ନାରୀ ପୁରୁଷ ଭେଦଭାବ ହ୍ରାସ ପାଇ ନ ଥିବାବେଳେ ଦଳିତମାନଙ୍କ ଉପରେ ଅତ୍ୟାଚାର ଓ ଦଳିତ ମହିଳାମାନଙ୍କ ଉପରେ ଦୁଷ୍କର୍ମ ଓ ହତ୍ୟା ଘଟଣା ବଢିଚାଲିବା ସମଗ୍ର ମାନବସମାଜକୁ ଲଜ୍ଜିତ କରୁଛି। ଏପରି ପରିସ୍ଥିତିରେ ଦେଶରେ ନାରୀ ସୁରକ୍ଷା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଉତ୍ତରପ୍ରଦେଶର ହାଥରସ ଓ ବଳରାମପୁରଠାରେ ଦୁଇଜଣ ଦଳିତ ଯୁବତୀଙ୍କ ଉପରେ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ କଡ଼ା ଶବ୍ଦରେ ନିନ୍ଦା କରିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଡମ୍‍ ସମାଜ ବିକାଶ ପରିଷଦ। ଉଭୟ ଘଟଣାରେ ନ୍ୟାୟିକ ତଦନ୍ତ ଓ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ, ସାରା ଦେଶରେ ଦଳିତ ନିର୍ଯାତନା ନିବାରଣ ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛି ପରିଷଦ। କେବଳ ଉତ୍ତରପ୍ରଦେଶ ନୁହେଁ ଆମ ଆଖପାଖ ଅଞ୍ଚଳରେ ବି କେଉଁଠି ନା କେଉଁଠି ଦଳିତ ପରିବାରଟିଏ, ଦଳିତ ଘରର ଝିଅଟିଏ ନିର୍ଯାତିତ ହେଉଛି କିନ୍ତୁ ବିଭିନ୍ନ ପ୍ରକାର ଚାପ ପକାଇ ସେମାନଙ୍କ ସ୍ୱରକୁ ଦବାଇଦିଆଯାଉଛି। କିନ୍ତୁ ଏସବୁ ଆଉ ଚଳିବ ନାହିଁ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଏପରି ଘଟଣା ଘଟିଲେ ଡମ୍‍ ସମାଜ ବିକାଶ ପରିଷଦ ଦୃଢ ସ୍ୱର ଉତ୍ତୋଳନ କରିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏସବୁ ଦାବି ଉପରେ ଜୋରଦେଇ ଆଜି ରାଜରାସ୍ତାକୁ ଓହ୍ଲାଇଛି ଏହି ଦଳିତ ସଂଗଠନ। ଡମ୍‍ ସମାଜ ବିକାଶ ପରିଷଦର ସଭାପତି ଜଗଦୀଶ ବେନିଆଁ , ଉପସଭାପତି ହରିହର କୁମାର, ଉପଦେଷ୍ଟା ନବୀନ ସୁନା ଓ ସକ୍ରିୟ ସଦସ୍ୟ ଜୟରାମ ତାଣ୍ଡି, ମହେନ୍ଦ୍ର କରୁଆଁ, ସୁଶୀଲ କୁମାର ବାଗ, ଗୋପାଳଦାସ ମହାନନ୍ଦ, ଅକ୍ରୁର ତାଣ୍ଡିଙ୍କ ନେତୃତ୍ୱରେ ଆଜି ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ମେଡିକାଲ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବିଶ୍ୱନାଥପୁର ସହର ପରିକ୍ରମା କରିବା ସହ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀଙ୍କ ଉପସ୍ଥିତିରେ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଓ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

କରୋନା କଟକଣାକୁ ପାଳନ କରି ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ବିଶ୍ୱନାଥପୁର ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଓ ଜନସାଧାରଣ ସାମିଲ ହୋଇଥିବାବେଳେ ବ୍ଲକର ବିଶ୍ୱନାଥପୁର, ଲାଞ୍ଜିଗଡ଼, ଛତ୍ରପୁର, ଜଗନ୍ନାଥପୁର, ବସନ୍ତପଡ଼ା, ବାତେଲିମା, ବିଜେପୁର, ମାଳିଯୁବାଙ୍ଗ,ଲାଖବାହାଲି, କାନକୁଟ୍ରୁ, କୁମଖାଲ, ବେଡ଼ାଗାଁ, ଲାଞ୍ଜି, ବେନଗାଁ, ବନ୍ଧପାରି, ପୋଖରୀବନ୍ଧ, ଗୋବର୍ଦ୍ଧନପୁର,ଲାଞ୍ଜିଗଡ଼ରୋଡ଼, କମର୍ଦ୍ଧା, ଭୁର୍ଟିଗଡ଼, କଦମ୍ବଗୁଡ଼ା, ଗୁଣ୍ଡରୀ, ଭଟାଙ୍ଗପଦର, ଚମ୍ପାଦେଇପୁର, ପାହାଡ଼ପଦର, ତ୍ରିଲୋଚନପୁର ଗ୍ରାମପଞ୍ଚାୟତ ଅଞ୍ଚଳରୁ ଡମ୍‍ ସମାଜର ବହୁ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ। ବିଶ୍ୱନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ ଓ ଏଏସ୍‍ଆଇ ବୁଧରାମ ମାଝୀଙ୍କ ନେତୃତ୍ୱରେ ପୁଲିସ ବାହିନୀ ଆଇନଶୃଙ୍ଖଳା ରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିଲେ।

Comments are closed.