ରେଳ ଧାରଣାରେ ପାହାଡ଼ ଧସିଲା – କର୍ମଚାରୀ ସମେତ ୩ ମୃତ

କୋରାପୁଟ: କିରଣ୍ଡୁଲ ବିଶାଖାପାଟଣା ରେଳରାସ୍ତାରେ ପାହାଡ଼ ଧସି ଜଣେ ରେଳ କର୍ମଚାରୀଙ୍କ ସମେତ ତିନିଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଚାରିଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଗତକାଲି ସକାଳେ ବୁରାଗୁହାଳୁ ଚିମିଡ଼ିପଲ୍ଲୀ ଷ୍ଟେସନ ମଧ୍ୟରେ ପାହାଡ଼ରୁ ପଥର ଧସିଥିଲା। ରେଳ କର୍ମଚାରୀ ଓ କିଛି ଠିକା ଶ୍ରମିକ ଘଣାସ୍ଥଳରେ ପହଞ୍ଚି ରେଳ ଲାଇନରୁ ପଥର ହଟାଉଥିଲେ। ଅପରାହ୍ଣ ପ୍ରାୟ ୩ଟା ପରେ ସେମାନେ ସଫେଇ କାର୍ୟ୍ୟ କରୁଥିବା ବେଳେ ଏକ ବିରାଟକାୟ ପଥର ସହ ଅନ୍ୟ କିଛି ପଥର ପୁଣି ଧସିଯାଇଥିଲା। ଏଥିରେ ରେଳ ବିଭାଗର ଜଣେ କର୍ମଚାରୀ ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ଦୁଇଜଣ ଠିକା କର୍ମଚାରୀ ପଥର ସହ ପାହାଡ଼ ତଳକୁ ଚାଲିଯାଇ ପ୍ରାଣ ହରାଇଥିଲେ।

ଏହି ଘଟଣାରେ ଅନ୍ୟ ଜଣେ ରେଳ କର୍ମଚାରୀ ଓ ଦୁଇ ତିନିଜଣ ଠିକା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ମୃତକମାନେ ହେଲେ କାତାରା ବିରା ସ୍ୱାମୀ (୫୪), ଚୁକା ସୁରୀ ବାବୁ (୪୫) ଓ ସୁରେଶ (୪୨)। ୨ଶ୍ରମିକ ବିରା ସ୍ୱାମୀ ଓ ସୁରୀ ବାବୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ରାସ୍ତାରେ ରେଳ କର୍ମଚାରୀ ସୁରେଶଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଦୁର୍ଘଟଣା ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଶ୍ରମିକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ଜଣାଯାଇଛି।

Comments are closed.