ଭୂମିହୀନ ଦର୍ଶାଇ ସରକାରୀ ଜମିକୁ ହାତେଇନେବା ଘଟଣା: ସ୍ୱତନ୍ତ୍ର ସଭାରେ ନିଷ୍ପତି ନେଲେ, ଉଦ୍‍ଘାଟନ କଲେ ପାର୍କ

ଫୁଲବାଣୀ/ଚକାପାଦ: କନ୍ଧମାଳ ଜିଲା ଚକାପାଦ ବ୍ଳକ ବସ୍ତିଙ୍ଗିଆଠାରେ ସରକାରୀ ଅନୁଦାନରେ ନିର୍ମାଣ ହେଉଥିବା ଏକ ପାର୍କକୁ ଜଣେ ବ୍ୟକ୍ତି ନିଜକୁ ଭୂମିହୀନ ଦର୍ଶାଇ ପାର୍କ ନିର୍ମାଣ ହେଉଥିବା ସରକାରୀ ଜମିକୁ ହାତେଇ ନେବା ଘଟଣା ଆଜି ଭିନ୍ନ ମୋଡ଼ ନେଇଛି। ଗାନ୍ଧୀ ଜୟନ୍ତୀ ଅବସରରେ ବସ୍ତିଙ୍ଗିଆଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାମସଭାରେ ଉକ୍ତ ପାର୍କକୁ ଉଦ୍‍ଘାଟନ ନେଇ ନିଷ୍ପତି ନିଆଯିବା ସହିତ ଆଦିବାସୀ ପରମ୍ପରା ପ୍ରକାରେ ଅଞ୍ଚଳରେ ଜମିପୂଜା କରୁଥିବା ପୂଜାରୀ (ଜାନୀ)ଙ୍କ ଦ୍ୱାରା ପୂଜାପାଠ କରିବାପରେ ତାହାକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରାଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

ଖବର ପ୍ରକାରେ, ଚକାପାଦ ବ୍ଳକ ଅନ୍ତର୍ଗତ ବସ୍ତିଙ୍ଗିଆ ଗ୍ରାମ ପଂଚାୟତରେ ଆର୍ଥିକ ବର୍ଷ ୨୦୧୯-୨୦ ପ୍ରକାରେ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବସ୍ତିଙ୍ଗିଆଠାରେ ୧୦ଲକ୍ଷ ଟଙ୍କାରେ ଏକ ମିନିପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବହୁ କାର୍ଯ୍ୟ ସମାପ୍ତ ହୋଇ ସାରିଲାଣି। କାର୍ଯ୍ୟ ଆରମ୍ଭ ପୂର୍ବରୁ ବ୍ଳକ କାର୍ଯ୍ୟାଳୟ ନିକଟସ୍ଥ ଏକ ଜମିକୁ ରାଜସ୍ୱ ନିରୀକ୍ଷକ ଚିହ୍ନଟ କରିବା ପରେ ଆରମ୍ଭ ହୋଇଥିଲା ନିର୍ମାଣ କାମ। କାମ ଆରମ୍ଭ ହେବାର କିଛିଦିନ ପରେ ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ତଲାରିମାହା ପଂଚାୟତ ଅନ୍ତର୍ଗତ ପ୍ରଧାନମପଡା ଗ୍ରାମର କରୁଣାକର ପ୍ରଧାନ ନାମକ ଜଣେ ବ୍ୟକ୍ତି ଉକ୍ତ ଜମିର ପଟାଦାର ବୋଲି ଅଭିଯୋଗ କରିବା ସହିତ ଉକ୍ତ ଜମିର ସମସ୍ତ କାଗଜପତ୍ର ମଧ୍ୟ ଦେଖାଇଛନ୍ତି। ଯାହାକି ତାଙ୍କରି ନାମରେ ରହିଛି। ତେବେ କରୁଣାକରଙ୍କ ଘର ଜି.ଉଦୟଗିରି ବ୍ଳକରେ ହୋଇଥିବା ବେଳେ ଜି.ଉଦୟଗିରି ଅଞ୍ଚଳରେ ତାଙ୍କର ରାସନକାର୍ଡ଼ ସହିତ ଭୋଟ ତାଲିକାରେ ମଧ୍ୟ ନାମ ରହିଛି। ତଲାରିମାହା ଗ୍ରାମରୁ ସେ ରାସନକାର୍ଡ଼ରେ ରାସନ ସାମଗ୍ରୀ ପାଉଥିିଲେ ମଧ୍ୟ ସେ ଚଞ୍ଚକତା କରି ଗୋଟିଏ ବ୍ଳକରୁ ଆସି ଚକାପାଦ ବ୍ଳକରେ ଭୂମିହୀନ ଦର୍ଶାଇ ଉକ୍ତ ଜାଗା ହାତେଇଥିବା ଅଭିଯୋଗ କରି ବସ୍ତିଙ୍ଗିଆ ସରପଂଚଙ୍କ ସମେତ ବ୍ଳକ ପ୍ରଶାସନ ପକ୍ଷରୁ ମଧ୍ୟ ଟିକାବାଲି ଥାନାରେ ଏତଲା ଦିଆଯାଇଛି। ବର୍ତ୍ତମାନ ତାର ତଦନ୍ତ ଚାଲିଛି।

ଅନ୍ୟପକ୍ଷରେ ଗାନ୍ଧୀଜୟନ୍ତୀ ଅବସରରେ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାମସଭାରେ ସରପଂଚ, ସମିତିସଭ୍ୟ ଓ ୱାର୍ଡ଼ ମେମ୍ବରଙ୍କ ସମେତ ଗ୍ରାମର ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ତେବେ ଆଲୋଚନା ବେଳେ ହଠାତ୍‍ ସାମନ୍ତ ଦିଗାଲ ନାମକ ଏକ ବ୍ୟକ୍ତି ଆଜି ଉକ୍ତ ପାର୍କକୁ ଉଦ୍‍ଘାଟନ ପାଇଁ ପ୍ରସ୍ତାବ ଦେବା ପ୍ରକାରେ ଉପସ୍ଥିତ ଥିବା କୁବେର ମଲିକ, ମୋହନ ମଲିକ, ପ୍ରଦ୍ୟୁମ୍ନ ଦିଗାଲ ଓ ଅନ୍ୟମାନେ ସମର୍ଥନ ଜଣାଇବା ସହିତ ସେଠାରେ ଉପସ୍ଥିତ ବ୍ୟକ୍ତିମାନେ ବିଭିନ୍ନ ପ୍ରକାର ପାରମ୍ପରିକ ସାଜସଜାରେ ପାର୍କ ନିକଟରେ ପହଞ୍ଚି ସମସ୍ତଙ୍କ ଉପସ୍ଥିତିରେ ତାହାକୁ ଆଦିବାସୀ ପରମ୍ପରା ପ୍ରକାରେ ପୂଜାକରାଯାଇ ଉଦ୍‍ଘାଟନ କରାଯାଇଛି।

ବୈଠକରେ ନିଷ୍ପତି ପ୍ରକାରେ, ସରକାର ଉକ୍ତ ଜମିକୁ ସରକାରୀ ଖାତାକୁ ଫେରାଇ ଆଣି ପାର୍କ ନିର୍ମାଣ ହୋଇଥିବା ନାମରେ ଯଦି ନକରନ୍ତି ତାହାହେଲେ ଆଗାମୀ ଦିନରେ ଚକାପାଦ ତହସିଲ୍‍ କାର୍ଯ୍ୟାଳୟକୁ ଘେରାଉ କରିବା ସହିତ ବନ୍ଦ କରିଦିଆଯିବ ବୋଲି ମଧ୍ୟ ବସ୍ତିଙ୍ଗିଆ ଅଞ୍ଚଳ ବିକାଶ କମିଟି ଚେତାବନି ଦେଇଛି।

Comments are closed.