ଜାଲ କାଗଜପତ୍ର କରି ବିକିଦେଲେ ମୂଲ୍ୟବାନ ଜମି, ଘରୋଇ ବ୍ୟାଙ୍କ କର୍ମଚାରୀ ଗିରଫ

ଚନ୍ଦ୍ରଶେଖରପୁର: ଜାଲିଆତି କରି ଜମି ବିକ୍ରି କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଏୟାରପୋର୍ଟ ଥାନା ଅଧୀନ ନିୟୁ ଫରେଷ୍ଟ ପାର୍କ ଅଞ୍ଚଳରେ ରହୁଥିବା ଜଟଣୀ ଥାନା ଅଞ୍ଚଳର ବିଜୟ କୁମାର ଉପାଧ୍ୟାୟ(୩୫)। ସେ ଏକ ଘରୋଇ ବ୍ୟାଙ୍କର ପୂର୍ବତନ କର୍ମଚାରୀ ବୋଲି ଜଣାପଡ଼ିଛି ।
ପୁଲିସ ସୂଚନା ଅନୁସାରେ ପଟିଆ ରାଜାଙ୍କ ମୃତ୍ୟୁ ପରେ ସେବତୀ ଦେଈଙ୍କ ନାମରେ ଶୈଳଶ୍ରୀବିହାର ତୁଳସୀବିହାର ଅଞ୍ଚଳରେ ଏକର ଏକର ଜମି ପଞ୍ଜିିକୃତ ଥିବା ଜଣାପଡିଥିଲା। ସେବତୀ ଦେଈଙ୍କ ଦେହାନ୍ତ ପରେ ତାଙ୍କ ଉତ୍ତରାଧିକାର ପୁଅ, ନାତିନାତୁଣୀମାନେ ରାଜସ୍ବ ରେକର୍ଡ଼ ଅନୁସାରେ ଏସବୁ ଜାଣିବାକୁ ପାଇଥିଲେ। ହେଲେ କିଛି ଜମି ଦଲାଲ ଜାଲ ପ୍ରମାଣପତ୍ର ଦ୍ୱାରା ସେମାନଙ୍କ ଅଜାଣତରେ ଅନ୍ୟର ଫଟୋ ଲଗାଇ ଜାଲିଆତି କରି କିଛି  ଜମି ବିକ୍ରି କରି ଦେଇଥିଲେ। ଏହି ଜାଲିଆତି ଘଟଣା ଜଣାପଡ଼ିବା ପରେ ଜମିର ମାଲିକାନା ରେକର୍ଡ଼ ପ୍ରସ୍ତୁତ କରି ୧୯୯୭ରେ ପ୍ରଥମେ ରେକର୍ଡଭୁକ୍ତ କରିବା ଲାଗି ଅଭିଯୋଗକାରୀ ବିଜୟ କୁମାର ରାଉତରାୟ ମାମଲା ରୁୁଜୁ କରିଥିଲେ। ସେହି ସମୟରେ ବିଜୟ ଏକ ଘରୋଇ ବ୍ୟାଙ୍କରେ କାମ ବିଜୟ କାମ କରୁଥିଲେ। ଏହି ସମୟରେ କିଛି ଜମି କ୍ରେତା ଋଣ ନେବାକୁ ବ୍ୟାଙ୍କ୍‌ ଆସିବା ପରେ ବିଜୟ ଏସମ୍ପର୍କରେ ଅବଗତ ହୋଇଥିଲେ। ତେବେ ଏହାର ସୁଯୋଗ ନେଇ ବିଜୟ ମଧ୍ୟ ତା’ର ସହଯୋଗୀଙ୍କ ସହିତ ମିଶି ନକଲି ପ୍ରମାଣପତ୍ର ତିଆରି କରି କିଛି ଜମି ଲୋକଙ୍କୁ ବିକ୍ରି କରିବା ଆରମ୍ଭ କରି ଦେଇଥିଲା। ଜମିର ପ୍ରକୃତ ଦଲିଲ୍‌ ଉଚ୍ଚ ନ୍ୟାୟାଳୟଠାରୁ ସ୍ବୀକୃତି ପାଇବା ପରେ ଶେଷରେ ଅଭିଯୋଗକାରୀ ଶ୍ରୀ ରାଉତରାୟ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ।

Comments are closed.