ଲାଲୁଙ୍କ ମୁକ୍ତି ପାଇଁ ‘ଆଜାଦୀ ପତ୍ର’ ଅଭିଯାନ

ନୂଆଦିଲ୍ଲୀ: ଗୁରୁତର ଅସୁସ୍ଥ ଅବସ୍ଥାରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଭର୍ତ୍ତି ହୋଇଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଜେଲ୍‌ରୁ ମୁକ୍ତ କରିବା ପାଇଁ ତାଙ୍କ ପରିବାରୁ ଜୋର୍‌ସୋର ଉଦ୍ୟମ ଆରମ୍ଭ ହୋଇଛି। ଜାମିନ ପାଇଁ ବାରମ୍ବାର ତାରିଖ ଘୁଞ୍ଚୁଥିବାରୁ ଲାଲୁ ମାସାଧିକ କାଳ ରାଞ୍ଚି କାରାଗାରରୁ ମୁକ୍ତ ହୋଇପାରୁ ନ ଥିବାବେଳେ ସପ୍ତାହେ ହେଲା ଅସୁସ୍ଥ ଅଛନ୍ତି। ତାଙ୍କର ବୃକ୍‌କ (କିଡ୍‌ନୀ) ମାତ୍ର ୨୫ପ୍ରତିଶତ କାମ କରୁଛି। ଏତଦ୍‌ବ୍ୟତୀତ ତାଙ୍କ ଫୁସଫୁସରେ ପାଣି ଜମି ରହିବା ସଂକ୍ରମଣ ଯୋଗୁଁ ସେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି। ଶନିବାର ତାଙ୍କୁ ଝାଡ଼ଖଣ୍ଡର ରିମ୍ସରୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇପଡ଼ିଥିବାରୁ ତାଙ୍କୁ ମୁକୁଳାଇବା ପାଇଁ ତାଙ୍କ ପୁଅ-ଝିଅ ଲାଗିପଡ଼ିଛନ୍ତି।

ସୂଚନାନୁଯାୟୀ, ଲାଲୁଙ୍କ ଝିଅ ରୋହିଣୀ ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ପୋଷ୍ଟ କାର୍ଡ ଆକାରରେ ଲିଖିତ ଏହି ପତ୍ରକୁ ରୋହିଣୀ ‘ଆଜାଦୀ ପତ୍ର’ ଭାବେ ଦର୍ଶାଇଛନ୍ତି। ଏ ବିଷୟ ସେ ଟ୍ବିଟ୍‌ କରି ଜଣାଇବା ସହ ଲାଲୁଙ୍କ ମୁକ୍ତି ଅଭିଯାନରେ ସବୁ ବର୍ଗର ଜନତା ଓ ନେତା ସାମିଲ ହେବାକୁ ସେ ନିବେଦନ କରିଛନ୍ତି। ରୋହିଣୀଙ୍କ ଏହି ଅଭିଯାନକୁ ଭାଇ ତଥା ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଆଗେଇ ନେଇଛନ୍ତି। ତେଜପ୍ରତାପ ଏଥିପାଇଁ ଆଜାଦୀ ପତ୍ର ଅଭିଯାନ ଆରମ୍ଭ କରିଛନ୍ତି। ସୋମବାର ଆରଜେଡି ରାଜ୍ୟ କାର୍ଯ୍ୟାଳୟରୁ ଏହି ଅଭିଯାନ ଆରମ୍ଭ ହୋଇଛି। ସେ ଅଧିକ ୩ ଲକ୍ଷ ପୋଷ୍ଟକାର୍ଡ ଛାପିବାକୁ ଦେଇଛନ୍ତି। ଏଗୁଡ଼ିକୁ ଆସନ୍ତା ୨୭ରେ ରାଷ୍ଟ୍ରପତିଙ୍କୁ ଦିଆଯିବ ବୋଲି ତେଜପ୍ରତାପ କହିଛନ୍ତି। ଏହି ଅବସରରେ ଲାଲୁଙ୍କୁ ମିଛ ମାମଲାରେ ଫସାଇ ଦିଆଯାଇଥିବା ସେ କହିଛନ୍ତି।

Comments are closed.