‘ଦୋ ହଜାର ବିଶ୍‍, ହଟାଓ ନୀତିଶ’ : ଲାଲୁ

ପାଟନା : ଚଳିତ ବର୍ଷ ୨୦୨୦ରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହି ନିର୍ବାଚନ ପାଇଁ ଆହୁରି ଅନେକ ସମୟ ବାକି ଅଛି । କିନ୍ତୁ ଏବେଠାରୁ ବ୍ୟାନର ଓ ପୋଷ୍ଟର ମାଧ୍ୟମରେ ଶାସକ-ବିରୋଧୀ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ ଲଗାଇବା ଏବଂ ସମାଲୋଚନା କରିବାକୁ ପଛାଉ ନାହାନ୍ତି । ଇତି ମଧ୍ୟରେ ରାଷ୍ଟ୍ରୀୟ ଜନତାଦଳ (ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଦଳକୁ ଏକ ନୂଆ ସ୍ଳୋଗାନ ଦେଇଛନ୍ତି। ଲାଲୁ ପ୍ରସାଦ ଯାଦବଙ୍କ ସ୍ଳୋଗାନ ହେଉଛି-‘ଦୋ ହଜାର ବିଶ୍‍, ହଟାଓ ନୀତିଶ’ ଅର୍ଥାତ ‘ଦୁଇ ହଜାର କୋଡିଏ, ନୀତିଶଙ୍କୁ ହଟାଅ ।’
ଶନିବାର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲାଲୁ ଏହି ସ୍ଳୋଗାନକୁ ଟ୍ୱିଟ କରିଛନ୍ତି । ଏହା ପୂର୍ବରୁ ସଂଯୁକ୍ତ ଜନତାଦଳ(ଜେଡିୟୁ) ଏବଂ ଆରଜେଡି ମଧ୍ୟରେ ପୋଷ୍ଟର ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ଆରଜେଡି ନିଜ ଦଳୀୟ କାର୍ଯ୍ୟାଳୟ ବାହାରେ ଏକ ପୋଷ୍ଟର ଲଗାଇଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାରକୁ ମିିଥ୍ୟାର ପସରା ଏବଂ ଭ୍ରଷ୍ଟାଚାରର ଧନ୍ଦା ବୋଲି ଦର୍ଶାଯାଇଥିଲା । ଜେଡିୟୁ ମଧ୍ୟ ଏହାର ଉତ୍ତର ଦେଇଥିଲା। ଜେଡିୟୁ ନିଜ ପୋଷ୍ଟରରେ ଆରଜେଡିର ୧୫ ବର୍ଷ ଏବଂ ନିଜ ସରକାରଙ୍କର ୧୫ ବର୍ଷ ମଧ୍ୟରେ ଥିବା ପ୍ରଭେଦ ବିଷୟରେ ଦର୍ଶାଇଥିଲା । ଏଥିରେ ଆରଜେଡି ପକ୍ଷରୁ ଭାଷାର ଭୁଲ ବ୍ୟବହାର ସଂପର୍କରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା।


ସୁଚନା ଯୋଗ୍ୟ ୨୦୧୫ରେ ଏକାଠି ନିର୍ବାଚନ ଲଢିଥିବା ଜେଡିୟୁ ଏବଂ ଆରଜେଡି ମଧ୍ୟରେ ରାଜ୍ୟ ରାଜନୀତିକୁ ନେଇ ବିବାଦ ଲାଗି ରହିଛି । ଉଭୟ ପକ୍ଷରୁ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ନିର୍ବାଚନ ପର୍ଯ୍ୟନ୍ତ ଏହା ଜାରି ରହିବ ଏବଂ ନୂଆ ନୂଆ ସ୍ଳୋଗାନମାନ ତିଆରି ହେବ, ଯାହା ଲାଲୁ ଯାଦବ ଆରମ୍ଭ କରିଦେଇଛନ୍ତି ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।

Comments are closed.