ଶାସ୍ତ୍ରୀଙ୍କ ସମ କେହି ନାହିଁ

ଚିତ୍ତରଞ୍ଜନ ମହାନ୍ତି

ଭାରତ ମାତାର ବରପୁତ୍ର, ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଓ ଜାତିର ଜନକ ମହାତ୍ମା ଗାନ୍ଧି, ଉଭୟଙ୍କ ଜନ୍ମ ତାରିଖ ଅକ୍ଟୋବର ଦୁଇ। ଏହା କାକତାଳିକ ନୁହେଁ; ଏକ ଅପୂର୍ବ ସଂଯୋଗ। ପରାଧୀନ ଭାରତର ଜନଗଣଙ୍କର ମୁକ୍ତି ସଂଗ୍ରାମର ଗାନ୍ଧିଜୀ ଥିଲେ ଶାଶ୍ୱତ ସେନାପତି। ଶାସ୍ତ୍ରୀଜୀ ଥିଲେ ସେ ସଂଗ୍ରାମରୁ ସୃଷ୍ଟ ସରକାରର ସାର୍ଥକ ସୂତ୍ରଧର। ଗାନ୍ଧିଜୀ ବିପ୍ଳବର ସ୍ରଷ୍ଟା, ଶାସ୍ତ୍ରୀ ସେ ବିପ୍ଳବର ସୃଷ୍ଟି। ଗାନ୍ଧୀ କଳ୍ପିତ ସରକାରର ସ୍ପଷ୍ଟ ଚେହେରା।

ଲାଲବାହାଦୁର ଶାସ୍ତ୍ରୀ ୧୯୦୪ ମସିହା ଅକ୍ଟୋବର ଦୁଇ ତାରିଖରେ ଉତ୍ତର ପ୍ରଦେଶର ରାମନଗରରେ ଜନ୍ମଗ୍ରହଣ କରିଥିଲେ। ଯଦିଓ ସେ ହେତୁ ହେବା ଦିନଠାରୁ ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ କିନ୍ତୁ ଗାନ୍ଧୀଙ୍କ ବର୍ତ୍ତମାନରେ ପରାଧୀନ କି ସ୍ୱାଧୀନ ଭାରତରେ ସେ କୌଣସି ସରକାର ଚଳାଉ ନଥିଲେ। ତାଙ୍କର ଦୁର୍ବଳ ପାରିବାରିକ ପୃଷ୍ଠଭୂମି ତାଙ୍କୁ ଦେଶର ରାଜନୀତିରେ ଆଗଧାଡିରେ ଦୃଶ୍ୟମାନ ହେବାରେ ବାଧକ ସାଜିଥିଲା। ଗାନ୍ଧିଜୀଙ୍କ ଜୀବଦ୍ଦଶାରେ ସରକାର ଚଳାଇଥିଲେ ସେ ଓଡିଶାର ପ୍ରଥମ ନିର୍ବାଚିତ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସଙ୍କ ଭଳି ଗାନ୍ଧୀଙ୍କର ପ୍ରିୟ ଓ ପ୍ରଶଂସା ଭାଜନ ହୋଇଥାନ୍ତେ। ଘଟଣାକ୍ରମେ ଉଭୟ ଶାସ୍ତ୍ରୀଜୀ ଓ ବିଶ୍ୱନାଥ ଦାସ, ଲାଲା ଲାଜପତ ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଲୋକ ସେବକ ମଣ୍ଡଳ’ର ସଭ୍ୟ ଓ ପରେ ସର୍ବଭାରତୀୟ ସଭାପତି ହୋଇଥିଲେ।

ଗାନ୍ଧିଜୀଙ୍କ ଲବଣ ସତ୍ୟାଗ୍ରହ ଡାକରାରେ ନବ ବିବାହିତ ଲାଲବାହାଦୁର ସନ୍ତାନସଂଭବା ପତ୍ନୀ ଲଳିତାଙ୍କଠାରୁ ଶ୍ରଦ୍ଧାରେ ବିଦାୟ ନେଇ କାରାବରଣ କରିଥିଲେ। ଶାସ୍ତ୍ରୀଙ୍କ ପାଇଁ ଗାନ୍ଧିଜୀ ଥିଲେ ଦୂର ଦେବତା, ଜବାହରଲାଲ ନେହେରୁ ଥିଲେ ନିକଟର ତୁଙ୍ଗ ନେତା। ବିଶେଷକରି ଶାସ୍ତ୍ରୀଙ୍କ ନମ୍ରତା ଓ ସମର୍ପିତ ସଂଗଠନ କୁଶଳତା ଶ୍ରୀମତୀ କମଳା ନେହେରୁଙ୍କୁ ଖୁବ୍‍ ପ୍ରଭାବିତ କରିଥିଲା। ଉତ୍ତର ପ୍ରଦେଶର ସେ ସମୟରେ ସମସ୍ତ ତୁଙ୍ଗ ନେତା ଶାସ୍ତ୍ରୀଙ୍କୁ ଶ୍ରଦ୍ଧା କରୁଥିଲେ ଓ ନେହେରୁଙ୍କ ସମସ୍ତ ଚିଠି ପତ୍ର ତଥା ବ୍ୟକ୍ତିଗତ ଅଫିସ ଓ ସଂଗଠନ କାମ ଶାସ୍ତ୍ରୀଜୀ କରୁଥିଲେ। ସେ ଦୃଷ୍ଟିରୁ ଉତ୍ତର ପ୍ରଦେଶ ରାଜନୀତିରେ ଶାସ୍ତ୍ରୀଜୀ ଥିଲେ ଅଜାତ ଶତ୍ରୁ।

ଆମ ସମ୍ବିଧାନ ୧୯୫୦ ଜାନୁଆରୀ ୨୬ରେ ଲାଗୁ ହେବାପରେ ସାବାଳକ ଭୋଟ ପ୍ରଥାରେ ପ୍ରଥମ ସାଧାରଣ ନିର୍ବାଚନ ହେଲା ୧୯୫୨ ମସିହାରେ। ଶାସ୍ତ୍ରୀଜୀ କେନ୍ଦ୍ରରେ ରେଳମନ୍ତ୍ରୀ ହେଲେ। ରେଳମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ସ୍ୱାଚ୍ଛନ୍ଦ୍ୟକୁ ଏଡାଇ ଗାନ୍ଧିଜୀଙ୍କ ନୀତି ଅନୁସାରେ ସାଧାରଣ ମଣିଷର ଜୀବନ ଶୈଳୀକୁ ପୂର୍ବଭଳି ନେଇ ଶାସ୍ତ୍ରୀଜୀ ଚଳିଲେ। ତାଙ୍କ ପତ୍ନୀ ଲଳିତା ଶାସ୍ତ୍ରୀ ଏଥିରେ ତାଙ୍କୁ ଷୋଳ ଅଣା ସହାୟତା କଲେ। ରେଳ ଦୁର୍ଘଟଣା ଓ ବିଭାଗର ତ୍ରୁଟି ବିଚ୍ୟୁତିର ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ସେ ରେଳ ମନ୍ତ୍ରୀ ଭଳି ଲୋଭନୀୟ ପଦକୁ ଅକୁଣ୍ଠିତ ଭାବେ ତ୍ୟାଗ କଲେ। ଶାସ୍ତ୍ରୀଜୀ ବାରମ୍ବାର ମନ୍ତ୍ରିପଦ ଛାଡିଲେ ମଧ୍ୟ ଜନମତ, ଦଳ କିମ୍ବା ପ୍ରଧାନମନ୍ତ୍ରୀ ଜବାହରଲାଲ ତାଙ୍କୁ ଛାଡୁ ନଥିଲେ। ରେଳମନ୍ତ୍ରୀରୁ ବାଣିଜ୍ୟମନ୍ତ୍ରୀ, ବାଣିଜ୍ୟ ମନ୍ତ୍ରୀରୁ ଘରୋଇ ମନ୍ତ୍ରୀ ଓ ଅବଶେଷରେ ବିଭାଗ ବିହୀନ(ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସ୍ତ) ମନ୍ତ୍ରୀ। ସବୁଠାରେ ଶାସ୍ତ୍ରୀଜୀ, ଗାନ୍ଧୀଙ୍କ ନୀତି, ନିଷ୍ଠା, ସରଳତା ଓ ସାଧୁତାର ଅନୁକରଣରେ, ସ୍ୱତନ୍ତ୍ର ଛାପ ଛାଡି ଯାଇଥିଲେ। ରାଜଧାନୀ ଦିଲ୍ଲୀର ଥାଟବାଟ, ଚାକଚକ୍ୟ ତାଙ୍କର କ୍ଷୁଦ୍ର କଳେବରକୁ ଆବୋରି ନେବାରେ ଅସମର୍ଥ ହୋଇଥିଲା।

୧୯୬୨ ମସିହାରେ ଚୀନ ଆକ୍ରମଣ ସମୟରେ ଶାସ୍ତ୍ରୀଜୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ନେହେରୁ ରାଜନୀତିରେ ତାଙ୍କର ‘ଦେବ ପୁରୁଷ’ ହୋଇଥିଲେ ମଧ୍ୟ ସ୍ପଷ୍ଟବାଦୀ ଶାସ୍ତ୍ରୀଜୀ ଚୀନର ସଂପ୍ରସାରଣବାଦୀ ନୀତି ସଂପର୍କରେ ନେହେରୁଙ୍କୁ ତାଙ୍କ ବିରକ୍ତି ସତ୍ତ୍ବେ ବାରମ୍ବାର ଅବଗତ, ସତର୍କ, ଏପରି କି ତାଗିଦା କରୁଥିଲେ। ଘରୋଇ ବିଭାଗ ମନ୍ତ୍ରୀ ଭାବେ ସୀମାନ୍ତ ରାଜ୍ୟଗୁଡ଼ିକରେ ସୁଶାସନ ଓ ଲୋକସେବା ଦେବାରେ ସେ ଆଗ୍ରହୀ ଓ ବ୍ରତୀ ଥିଲେ। ଲୋକସେବକ ମଣ୍ଡଳର ସଭ୍ୟଭାବେ ଲୋକସେବା କରିବା ଯେମିତି ତାଙ୍କର ଧେୟ ଥିଲା। ଗାନ୍ଧୀନୀତି ଓ ଲୋକ ସେବକ ମଣ୍ଡଳର ସମର୍ପିତ ସେବା ପରମ୍ପରା ତାଙ୍କ ପ୍ରଶାସକ ପଦରେ ମଧ୍ୟ ପରିସ୍ଫୁଟ ହେଉଥିଲା।

ପଣ୍ଡିତ ଜବାହରଲାଲ ନେହେରୁ ଚୀନର ଅହେତୁକ ଆକ୍ରମଣରେ ବ୍ୟଥିତ ଓ ମ୍ରିୟମାଣ ହୋଇ ଭାଙ୍ଗି ପଡିଥିବା ବେଳେ ଶାସ୍ତ୍ରୀଜୀ ହିଁ ଥିଲେ ତାଙ୍କର ଦମ୍ଭ ଓ ଭରସା। ୧୯୬୪ ମେ ୨୭ତାରିଖରେ ପଣ୍ଡିତ ନେହେରୁଙ୍କ ଦେହାନ୍ତ ହେଲା। ‘ନେହେରୁଙ୍କ ପରେ କିଏ’ର ଉତ୍ତର ଶାସ୍ତ୍ରୀଜୀଙ୍କ ନମ୍ର ଅଥଚ ଦୃଢ ଭାବମୂର୍ତ୍ତିରୁ ମିଳିଗଲା। ପ୍ରଧାନମନ୍ତ୍ରୀ ହେବା ପରେ ଶାସ୍ତ୍ରୀଜୀ କାଳବିଳମ୍ବ ନକରି ଗାନ୍ଧିଜୀଙ୍କ ‘ଗ୍ରାମ ସ୍ୱରାଜ୍ୟ’ ଲକ୍ଷ୍ୟକୁ ପୂରଣ କରିବାରେ ଲାଗିପଡିଲେ। ପ୍ରଥମେ ସେ ଆମେରିକାର ଖାଦ୍ୟ ଅନୁକମ୍ପା ପି.ଏଲ୍‍ ୪୮୦ରୁ ଦେଶକୁ ମୁକ୍ତ କଲେ। ଖାଦ୍ୟ ଓ ଔଷଧ ଜଣେ ମଣିଷପାଇଁ କେତେ ଜରୁରୀ ସେ ନିଜ ଅନୁଭୂତିରୁ ଜାଣିଥିଲେ। ଭାରତଛାଡ ଆନ୍ଦୋଳନରେ ଘର ପରିବାରରୁ ବିଚ୍ଛିନ୍ନ ହୋଇଥିବାବେଳେ ତାଙ୍କର କନ୍ୟା ଟାଇଫଏଡରେ ଆକ୍ରାନ୍ତ ହୋଇ ପଥି ଓ ଚିକିତ୍ସା ଅଭାବରେ ପ୍ରାଣ ହରାଇଥିଲା। ଭାରତର ପ୍ରତ୍ୟେକ ଗାଁ ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା ଓ ସ୍ୱାସ୍ଥ୍ୟରେ ସ୍ୱାବଲମ୍ବୀ ହୋଇପାରିଲେ ଭାରତ ଅଜେୟ ହେବ ଓ ବିଶ୍ୱର ପଥ ପ୍ରଦର୍ଶକ ହେବ ବୋଲି ଶାସ୍ତ୍ରୀଜୀ ବିଶ୍ୱାସ କରୁଥିଲେ ଓ ପୁଞ୍ଜିବାଦ, ସମାଜବାଦ କି ମିଶ୍ର ଅର୍ଥନୀତିର ତାତ୍ତ୍ବିକ ବିତର୍କକୁ ନଯାଇ ଭ୍ରଷ୍ଟାଚାରମୁକ୍ତ ସେବାକାରୀ ଶାସନ ଓ ବିକାଶକାରୀ ଯୋଜନା ଉପରେ ଜୋର ଦେଲେ।

ସେତେବେଳେ ଭ୍ରଷ୍ଟାଚାର ମୁଖ୍ୟତଃ ଉଚ୍ଚ ପଦସ୍ଥ ବ୍ୟକ୍ତି ଓ ଅଫିସରଙ୍କ ମଧ୍ୟରେ ପ୍ରଚଳିତ ଥିଲା ଓ ସେମାନେ ନିଜ ପଦବୀର ପ୍ରଭାବରେ ତଦନ୍ତ ସଂସ୍ଥାର ଦୁର୍ବଳତାରୁ ସୁଯୋଗ ନେଇ ଖସିଯାଉଥିଲେ। ଶାସ୍ତ୍ରୀଜୀ ଦିଲ୍ଲୀର ସ୍ୱତନ୍ତ୍ର ପୁଲିସ ସଂସ୍ଥାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋରେ ରୂପାନ୍ତରିତ କଲେ। ବିଜୁବାବୁଙ୍କ ଭଳି ପ୍ରବାଦ ପୁରୁଷ ମଧ୍ୟ ସେ ସଂସ୍ଥାର ତଦନ୍ତ ପରିସର ଭୁକ୍ତ ହୋଇଥିଲେ, ଶାସ୍ତ୍ରୀଜୀଙ୍କ ଅମଳରେ। ଶାସ୍ତ୍ରୀଜୀଙ୍କ ଅନ୍ତେ ସେ ସଂସ୍ଥା ରାଜନୀତିର ଯୂପକାଠରେ ପଡି ଧୀରେ ଧୀରେ ଅକ୍ଷମ ହୋଇ ଚାଲିଲା।

ଉତ୍ପାଦକ ଶକ୍ତି ସକ୍ଷମ ନ ହେଲେ ସେନା ଅଧିକ ଦିନ ଯୁଦ୍ଧ କରିବାକୁ ଅକ୍ଷମ ହେବ ବୋଲି ଜାଣି ଶାସ୍ତ୍ରୀଜୀ ଭାରତର ମୁଖ୍ୟ ଉତ୍ପାଦକ ଶକ୍ତି କୃଷକର ବିକାଶ ଚାହିଁଲେ ଓ ଦେଶପାଇଁ ସବୁଠୁ ବେଶୀ ଉପାଦେୟ ‘ଜୟ ଯବାନ, ଜୟ କିଷାନ’ ତତ୍ତ୍ୱ ଓ ସ୍ଲୋଗାନ ଦେଲେ। ଏହା ଆଜି ଦିନରେ ଦେଶର ସବୁଠୁ ବଡ ଲକ୍ଷ୍ୟ ହେବା ଜରୁରୀ।

ଶାସ୍ତ୍ରିଜୀଙ୍କ ବଳ ଥିଲା -୧) ଦେଶପ୍ରେମ, ୨) ଦେଶ ଓ ଦେଶବାସୀଙ୍କ ସେବାରେ ଜୀବନକୁ ତିଳ ତିଳ କରି ନିଃଶେଷ କରିବାର ଅଦମ୍ୟ ପ୍ରବୃତ୍ତି ଓ ସାହସ, ୩) ସାଧାରଣ ଦେଶବାସୀଙ୍କ ଭଳି ସରଳ ଜୀବନ ଯାପନରେ ଆନନ୍ଦ, ୪) ସୀମା ସୁରକ୍ଷାରେ ନିୟୋଜିତ ଯବାନଙ୍କ ଭଳି ଉତ୍ପାଦନରେ ଉତ୍ସର୍ଗୀକୃତ କିଷାନଙ୍କ ପ୍ରତି ଭାବୁକତା ଓ ସର୍ବୋପରି, ୫) ଜାତି, ଧର୍ମ, ଭାଷା ସବୁର ବିଭେଦକୁ ଭୁଲି ଭାରତକୁ ଏକ ସୂତ୍ରରେ ବାନ୍ଧିବାର ଆନ୍ତରିକତା। ହିନ୍ଦୀଭାଷୀ ଶାସ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବାଛିବାରେ ଦକ୍ଷିଣ ଭାରତ ରାଜ୍ୟ ବିଶେଷ କରି ତାମିଲନାଡୁର ଅଗ୍ରଣୀ ଭୂମିକା ଥିଲା। ଉତ୍ତର ପ୍ରଦେଶ ନିବାସୀ ହାବିଲଦାର ଅବଦୁଲ ହମିଦ ପାକିସ୍ତାନର ପ୍ୟାଟନ ଟ୍ୟାଙ୍କର ରହସ୍ୟ ଜାଣିବାକୁ ଯାଇ ସହିଦ ହେଲେ ଓ ସେଇ ପ୍ରକ୍ରିୟାରେ ଏକାକୀ ୩ଟି ପ୍ୟାଟନ୍‍ ଟ୍ୟାଙ୍କ ଧ୍ୱଂସ କରି ସେନାର ସର୍ବୋଚ୍ଚ ସମ୍ମାନ ପରମବୀର ଚକ୍ର ପାଇଲେ।

ଭାରତ ୧୩୦କୋଟିରୁ ଅଧିକ ଲୋକସଂଖ୍ୟା ଓ ଏକ ସମୃଦ୍ଧ ସଭ୍ୟତାର ଦେଶ। ବିଶ୍ୱର ସର୍ବଶ୍ରେଷ୍ଠ ଦେଶ ହେବାକୁ ହେଲେ ତା’ର ଦୁଇଟି ଜିନିଷ ଏକାନ୍ତ ଆବଶ୍ୟକ। ୧) ଭାରତୀୟଙ୍କ ମଧ୍ୟରେ ଅତୁଟ ଏକତା, ୨) ଗାନ୍ଧୀ, ସୁଭାଷ ଓ ଭଗତ ସିଂହଙ୍କ ଭଳି ସଚ୍ଚା ଦେଶପ୍ରେମୀ ନେତା। ଶାସ୍ତ୍ରୀଜୀଙ୍କ ଅମଳରେ ତାଙ୍କ ଯୋଗୁ ଏ ଦୁଇଟି ଆବଶ୍ୟକତା ପୂରଣ ହୋଇଥିଲା। ସେଥିପାଇଁ ହିନ୍ଦୀରେ କହନ୍ତି ଶାସ୍ତ୍ରୀ ଜୈସା କୋଇ ନେହିଁ।

Comments
Loading...