ଗୋପବନ୍ଧୁଙ୍କ ସହ ଲାଲାଜୀଙ୍କ ରୁଚିର ସମନ୍ବୟ ଥିଲା

0

କଟକ  : ଲାଲା ଲାଜ୍‌ପତ୍‌ ରାୟ ଜଣେ ଆଧ୍ୟାତ୍ମକ, ଜାତୀୟତାବାଦୀ ପୁରୁଷ ଓ ଶୃଙ୍ଖଳିତ ରାଜନେତା ଥିଲେ। ତାଙ୍କର ସ୍ପଷ୍ଟବାଦିତା ପାଇଁ ସମସ୍ତେ ଭୟ କରୁଥିଲେ। ଗୋପବନ୍ଧୁ ଦାସ ବୁଝି ପାରିଥିଲେ ଲାଲାଜୀଙ୍କ ଜାତୀୟତା ଏବଂ ଆଧ୍ୟାତ୍ମକର ଭାବ। ଗୋପବନ୍ଧୁ ଦାସଙ୍କ ରୁଚି ସହିତ ଲାଲାଜୀଙ୍କ ରୁଚିର ସମନ୍ବୟ ଘଟିଥିଲା ବୋଲି ଲୋକସେବକ ମଣ୍ଡଳର ପ୍ରତିଷ୍ଠାତା ଲାଲାଜୀଙ୍କ ୧୫୪ତମ ଜୟନ୍ତୀ ସମାରୋହରେ ମୁଖ୍ୟ ବକ୍ତା ସାହିତ୍ୟିକ ପ୍ରଫେସର ଡ. ବାବାଜୀ ଚରଣ ପଟ୍ଟନାୟକ କହିଛନ୍ତି।
ସେହିପରି ପଣ୍ଡିତ ଗୋପବନ୍ଧୁ ଓ ଲାଲାଜୀଙ୍କ ମିତ୍ରତା ଓଡ଼ିଶାରେ ସ୍ବାଧୀନତା ଆନ୍ଦୋଳନକୁ ଦିଗ୍‌ଦର୍ଶନ ଦେଇଥିଲା। ମାଜିନି, ଗାରିବାଲ୍‌ଡି ଓ ଶିବାଜୀଙ୍କ ଜୀବନାଦର୍ଶର ପ୍ରଭାବରେ ଲାଲାଜୀଙ୍କ ଜୀବନ ଋଦ୍ଧିମନ୍ତ ହୋଇଥିଲା। ଲାଲାଜୀ ଉର୍ଦ୍ଦୁ, ପାର୍ସୀ ଏବଂ ଆରବୀ ଭାଷାରେ ଅନେକ ସାହିତ୍ୟ ଲେଖିଥିଲେ। ଭାଷାର ପାଣ୍ଡିତ୍ୟକୁ ଜାଣିବା ପାଇଁ ହିନ୍ଦୀ, ସଂସ୍କୃତ ଏବଂ ଇଂଲିଶ ଭାଷାକୁ ଶିକ୍ଷା କରିବା ସହିତ ଇଂଲିଶ ଭାଷାରେ‌ କେତେକ ଗ୍ରନ୍ଥ ଲେଖିଥିଲେ। ସେହିପରି ବ୍ରହ୍ମସମାଜ ଏବଂ ଆର୍ଯ୍ୟ ସମାଜ ସଂସ୍କାର ପାଇଁ ତାଙ୍କର ରଚନା ଉଲ୍ଲେଖଯୋଗ୍ୟ। ଲାଲାଜୀଙ୍କ ପାଖରେ ବୌଦ୍ଧିକ ଏବଂ କ୍ରାନ୍ତୀକାରୀ ଚିନ୍ତାଧାରା ଥିଲେ ମଧ୍ୟ ଶିବାଜୀଙ୍କ ଆତ୍ମଜୀବନୀକୁ ସେ ତାଙ୍କ ସାହିତ୍ୟରେ ଲେଖିଥିଲେ। ଏପରିକି ଇଟାଲୀ ସ୍ବାଧୀନତା ସଂଗ୍ରାମ ଉପରେ ମଧ୍ୟ ଲାଲାଜୀ ଲେଖିଥିଲେ ବୋଲି ମୁଖ୍ୟବକ୍ତା ଡ. ପଟ୍ଟନାୟକ କହିଥିଲେ।
ସମାଜ ଲୋକସେବକ ମଣ୍ଡଳ ଓଡ଼ିଶା ପକ୍ଷରୁ ଲାଲା ଲଜ୍‌ପତ୍‌ ରାୟଙ୍କ ଜୟନ୍ତୀ ସମାରୋହ ସୋମବାର ସନ୍ଧ୍ୟାରେ ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନଠାରେ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ବିଶିଷ୍ଟ ଚିକିତ୍ସକ ପ୍ରଫେସର ଡାକ୍ତର ସନାତନ ରଥ କହିଲେ, ଲାଲାଜୀଙ୍କ ବାଲ୍ୟ ଜୀବନ ଓ ସ୍ବାଧୀନତା ସଂଗ୍ରାମରେ ତାଙ୍କର ଯୋଗଦାନ ଆମ ସମସ୍ତଙ୍କ ପାଇଁ ପ୍ରେରଣାପ୍ରଦ। ସେ ଜଣେ ସଚ୍ଚା ଦେଶପ୍ରେମୀ ଥିଲେ। ବହୁମୁଖୀ ପ୍ରତିଭାର ଅଧିକାରୀ ଲାଲାଜୀ ନିଜର ଜନସେବା ଓ ସଂସ୍କାରବାଦୀ କାର୍ଯ୍ୟକ୍ରମ ପାଇଁ ତତ୍‌କାଳୀନ ସମାଜରେ ଏକ କ୍ରାନ୍ତି ଆଣିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ’ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଅଧ୍ୟକ୍ଷତା କରି କହିଲେ, ମହାତ୍ମାଙ୍କ ନାମ ନେବା ଭଗବାନଙ୍କ ନାମ ନେବା ସହ ସମାନ। ଲାଲା ଲଜ୍‌ପତ୍‌ ରାୟ ଥିଲେ ସେହିଭଳି ଜଣେ ବ୍ୟକ୍ତି। ଲାଲାଜୀ ତାଙ୍କର କୃତି ଯୋଗୁଁ ଅମର ରହିଛନ୍ତି ଏବଂ ଲୋକେ ଏବେ ମଧ୍ୟ ତାଙ୍କୁ ମନେ ପକାଉଛନ୍ତି ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ପଦ୍ମଶ୍ରୀ ସମ୍ମାନ ପାଇବା ପାଇଁ ନାମ ଘୋଷିତ ହୋଇଥିବା ସମାଜସେବୀ ଡି. ପ୍ରକାଶ ରାଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ’ସମାଜ’ ପାଇଁ କିଛି କାମ କରିବାର ସୁଯୋଗ ପାଇଥିବାରୁ ଆଜି ଏ ସମ୍ମାନ ପାଇପାରିଛି ବୋଲି ଉତ୍ତରରେ ଶ୍ରୀ ରାଓ କହିଥିଲେ। ’ସମାଜ’ର ବାର୍ତ୍ତା ସମ୍ପାଦକ ତପନ କୁମାର ମିଶ୍ର ସ୍ବାଗତ ଭାଷଣ, ଲୋକ ସେବକ ମଣ୍ଡଳର ମୁଖ୍ୟ ସଂଯୋଜକ ସୁରେଶ ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ଅତିଥି ପରିଚୟ ଦେବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର କୁମାର ସାହୁ, ସମ୍ପାଦକ ଭିକାରୀ ଦାସ, ଶିକ୍ଷାବିତ୍ କୈଳାସ ବରାଳ, ଆଡ୍‌ଭୋକେଟ ଗଗନ ଚନ୍ଦ୍ର ମେହେର, ରାଜକିଶୋର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

Leave A Reply