‘କୃତ୍ରିମ ଆଧୁନିକତା ପାଇଁ ସୃଷ୍ଟି ହୋଇଛି ମୂଲ୍ୟବୋଧ ସଙ୍କଟ’

ଲାଲା ଲଜପତ୍ ରାୟଙ୍କ ୧୫୬ତମ ଜୟନ୍ତୀ

କଟକ : ଓଡ଼ିଶାକୁ ଜାତୀୟ ରାଜନୀତିରେ ପରିଚିତି ଆଣି ଦେଇଥିଲେ ଲାଲାଜୀ ଓ ଗାନ୍ଧିଜୀ। ଲାଲାଜୀ ତାଙ୍କ ଲେଖାରେ ଜାତୀୟ ଚେତନା ସୃଷ୍ଟି କରୁଥିଲେ। ଲାଲାଜୀଙ୍କ ଜନ୍ମଦିନ ହେଉଛି ମୂଲ୍ୟବୋଧର ଜନ୍ମଦିନ ବୋଲି ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନରେ ଆଜି ଅପରାହ୍ଣରେ ଅନୁଷ୍ଠିତ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ରାଷ୍ଟ୍ରନୀତିଜ୍ଞ ତଥା ଲୋକସେବକ ମଣ୍ଡଳର ପ୍ରତିଷ୍ଠାତା ଲାଲା ଲଜପତ୍ ରାୟଙ୍କ ୧୫୬ତମ ଜୟନ୍ତୀ ସମାରୋହରେ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ଲୋକସେବକ ମଣ୍ଡଳ, ଓଡ଼ିଶା ପକ୍ଷରୁ ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ଶ୍ରୀ ନିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ କୋଭିଡ୍ କଟକଣା ମଧ୍ୟରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଫକିରମୋହନ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର କୁମାରବର ଦାସ କହିଲେ, ଭାରତ ଏକ ସ୍ବତନ୍ତ୍ର ପୃଥିବୀ। ସାଂପ୍ରତିକ ପରିସ୍ଥିତିରେ ଜାତୀୟ ସଙ୍କଟ ସୃଷ୍ଟି ହୋଇଛି। କୃତ୍ରିମ ଆଧୁନିକତା ପାଇଁ ମୂଲ୍ୟବୋଧର ସଙ୍କଟ ଦେଖାଦେଇଛି। କୃତ୍ରିମତା ଆମକୁ ଘାରୁଥିବାରୁ ସଂସ୍କୃତି ନଷ୍ଟ ହେଲାଣି। ସଂସ୍କୃତି ବିନା ସଭ୍ୟତାର ମାନେ କିଛି ନାହିଁ। ଲାଲାଜୀଙ୍କ ରାଷ୍ଟ୍ରପ୍ରେମ ଚେତନା ଉଦ୍ରେକକାରୀ ଥିଲା। ତାଙ୍କ ଲେଖା ମାଧ୍ୟମରେ ଜାତୀୟ ​‌େ​ଚତନା ସୃଷ୍ଟି କରି ‌ସେ ସମସ୍ତଙ୍କୁ ବାନ୍ଧି ରଖିପାରୁଥିଲେ। ପ୍ରଫେସର ଦାସ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ସହ ପ୍ରାଚୀନ ଶିକ୍ଷା ବ୍ୟବସ୍ଥାକୁ ତୁଳନା କରି ସେତେବେଳର ମାଟ୍ରିକ୍ୟୁଲେଟ୍ ଏବେକାର ପିଏଚ୍‌ଡି ସ୍କଲାରଠାରୁ ଢେର ଉନ୍ନତ ବୋଲି କହିଥିଲେ। ଶିକ୍ଷାରେ ଡିଗ୍ରୀପ୍ରାପ୍ତିକୁ ଲକ୍ଷ୍ୟସ୍ଥଳ ବୋଲି ନଭାବି ଏକ ଦିଗ ବୋଲି ମନେ କରିବା ଉଚିତ। ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଦ୍ବାରା ଜଣେ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିବା ପାଠ ବୃତ୍ତି ଉପଯୋଗୀ ହୋଇପାରୁନାହିଁ। ପ୍ରଫେସର ଦାସ କେତେକ ସୁନ୍ଦର କଥା ଉପସ୍ଥାପନ ମାଧ୍ୟମରେ ଘୋଷା କାମ ଦେବ କିଛି ବାଟ, ନିଶା କାମ ଦେବ ବହୁ ବାଟ ବୋଲି କହିଥିଲେ। ଖୋଇଲେ ଚେହେରା ହୁଏ ନାହିଁ, ଖାଇଲେ ଚେହେରା ହୁଏ ଭଳି ପଢ଼ାଇଲେ ପାଠ ହୁଏ ନାହିଁ, ବରଂ ପଢ଼ିଲେ ପାଠ ହୁଏ ବୋଲି ସେ କହିଥିଲେ। ଭାରତ ଏଯାଏ ବିକାଶିତ ଦେଶ ନହୋଇ କେବଳ ବିକାଶୋନ୍ମୁଖୀ ଦେଶ ହୋଇ ରହିଛି ବୋଲି କହି ସେ କ୍ଷୋଭ ପ୍ରକାଶ କରିଥିଲେ। ଏଭଳି ସ୍ଥିତିରେ ଲାଲାଜୀଙ୍କ ପ୍ରଗାଢ଼ ଦେଶପ୍ରେମ ସହ ଆମ ଭିତରେ ମଣିଷପଣିଆ, ମାନବିକ ଚେତନା ଜାଗ୍ରତ କରିବା ଦରକାର। କାର୍ଯ୍ୟଧାରା ଏପରି ହେବା ଆବଶ୍ୟକ ​​‌ଯେପରି ସାରା ପୃଥିବୀ ଆମ ପଛରେ ଗୋଡ଼ାଇବ ବୋଲି ସେ ମତବ୍ୟକ୍ତ କରିଥିଲେ।
ମୁଖ୍ୟବକ୍ତା ବିଶିଷ୍ଟ ଗାନ୍ଧୀବାଦୀ ପ୍ରବକ୍ତା ପ୍ରହଲାଦ କୁମାର ସିଂହ କହିଲେ, ଲାଲାଜୀ ଅତି ସାଧାରଣ ପରିବାରରୁ ଆସିଥିଲେ। ସେ ଜଣେ ତ୍ୟାଗପୂତ ବ୍ୟକ୍ତିତ୍ବ ଭାବେ ସମଗ୍ର ଭାରତରେ ସ୍ବାଧୀନତାର ଅଗ୍ନି ସ୍ଫୁଲିଙ୍ଗ ସୃଷ୍ଟି କରିଥିଲେ। ଲାଲାଜୀ ଓଡ଼ିଶା ଆସି ଗୋପବନ୍ଧୁଙ୍କ ସହ ବିଭିନ୍ନ ଅଞ୍ଚଳ ବୁଲିଥିଲେ। ସ୍ବାଧୀନତା ସଂଗ୍ରାମର ନିଶା ଯୋଗୁଁ ତାଙ୍କୁ କୌଣସି ପ୍ରତିବନ୍ଧକ ଅଟକାଇ ପାରିନଥିଲା। ଦେଶମାତୃକା ପାଇଁ ତାଙ୍କ ମଧ୍ୟରେ ପ୍ରତିବଦ୍ଧତା ଜାଗ୍ରତ ହୋଇଥିଲା। ଗାନ୍ଧୀ-ଗୋପବନ୍ଧୁ-ଲାଲାଜୀଙ୍କ ମଧ୍ୟରେ ଏକ ଅପୂର୍ବ ସମନ୍ବୟ ଥିଲା। ଲାଲାଜୀଙ୍କ ଉପରେ ମାଡ଼ ବେଳେ ପ୍ରତ୍ୟକ୍ଷଦର୍ଶୀ ଥିଲେ ଭଗତ ସିଂ, ଯିଏ ଇଂରେଜ ସରକାରଠାରୁ ଏଭଳି ଅତ୍ୟାଚାରର ପ୍ରତିଶୋଧ ନେବାକୁ ପଣ କରିଥିଲେ ବୋଲି ସେ କହିଥିଲେ।
ସମ୍ମାନିତ ବକ୍ତା ଓଡ଼ିଶାରେ ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ଇଂ ପ୍ରିୟବ୍ରତ ଦାସ କହିଲେ, ଦାନଶୀଳତା ଓ ନିର୍ଭୀକତା ଲାଲାଜୀଙ୍କର ମହାନ୍ ଗୁଣ ଥିଲା। ସେ ଓକିଲାତି ପେସାରୁ କରୁଥିବା ରୋଜଗାର ଲୋକଙ୍କ ସେବାରେ ଲଗାଉଥିଲେ। ଲାଲାଜୀ ଜଣେ ବିଶିଷ୍ଟ ସାହିତ୍ୟିକ ଥିଲେ। ସେ ବହୁତ ଜୀବନୀ ପୁସ୍ତକ ଲେଖିଥିଲେ।
ସଭାପତି ଶ୍ରୀ ରଥ ତାଙ୍କ ବକ୍ତବ୍ୟରେ ଲାଲାଜୀଙ୍କ ଆଦର୍ଶରେ ଯୁବପିଢ଼ି ଅନୁପ୍ରାଣିତ ହେବାକୁ ଆହ୍ବାନ ଦେଇଥିଲେ। ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ତଥା ସମାଜ ରିଲିଫ କମିଟି ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା, କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥିମାନଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉପହାରସ୍ବରୂପ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ଅତିଥିମାନେ ଲାଲାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏଥିସହ ‘ସମାଜ’ ପରିସରସ୍ଥ ପଣ୍ଡିତ ଗୋପବନ୍ଧୁ ଓ ଅନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା।

Comments are closed.