‘ସମାଜ’ ଭୁବନେଶ୍ବର କାର୍ଯ୍ୟାଳୟରେ ଲାଲା ଲଜପତ୍ ରାୟଙ୍କ ଜନ୍ମ ଜୟନ୍ତୀ ପାଳିତ

ପଞ୍ଜାବ କେଶରୀ ଭାବରେ ପରିଚିତ ଭାରତର ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ଲୋକସେବକ ମଣ୍ଡଳର ପ୍ରତିଷ୍ଠାତା ସଂଗ୍ରାମୀ ଲାଲା ଲଜପତ୍ ରାୟଙ୍କ ଆଜି ୧୫୬ତମ ଜନ୍ମ ଜୟନ୍ତୀ। ଲୋକସେବକ ମଣ୍ଡଳ ପ୍ରତିଷ୍ଠା ସହ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଲକ୍ଷ୍ମୀ ବୀମା କମ୍ପାନୀର ମଧ୍ୟ ସେ ପ୍ରତିଷ୍ଠାତା ଥିଲେ। ଦେଶରେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ଲାଲାଜୀ ବିଭିନ୍ନ ପଦକ୍ଷେପ ନେଇଥିଲେ।

ଆଜି ତାଙ୍କର ଜନ୍ମ ଜୟନ୍ତୀ ଅବସରରେ ‘ସମାଜ’ ଭୁବନେଶ୍ବର କାର୍ଯ୍ୟାଳୟ ପକ୍ଷରୁ ଲାଲାଜୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ସମାଜ ଭୁବନେଶ୍ୱର କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଲାଲାଜୀଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଲାଲାଜୀଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ।

୧୮୬୫ ଜାନୁଆରୀ ୨୮ରେ ପଞ୍ଜାବର ମୋଗା ଜିଲାରେ ଲାଲା ଲଜପତ୍ ରାୟ ଜନ୍ମଗ୍ରହଣ କରିଥିଲେ। ଜାତୀୟତାବାଦର ଜଣେ ଦୃଢ ସମର୍ଥକ ଭାବେ ସେ ଲାହୋରଠାରେ ଅଧ୍ୟୟନ କରୁଥିବା ସମୟରେ ଛାତ୍ରାବାସରେ ହଂସରାଜ ଓ ଗୁରୁଦତ୍ତଙ୍କର ମିତ୍ରତା ଲାଭ କରି ବେଦୋଦ୍ଧାରକ ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ ଦ୍ବାରା ସ୍ଥାପିତ ‘ଆର୍ୟ୍ୟ ସମାଜ’ରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଜାତୀୟ କଂଗ୍ରେସରେ ଯୋଗ ଦେଇ ଇଂରେଜ ସରକାର ବିରୋଧରେ ସେନାପତି ରୂପେ କାର୍ୟ୍ୟ ଆରମ୍ଭ କରିଥିଲେ। ଭାରତର ଭାଗ୍ୟ ନିର୍ଣ୍ଣୟ ପାଇଁ ବ୍ରିଟିଶ ସରକାର ଜନ୍ ସାଇମନ୍‌ଙ୍କ ନେତୃତ୍ବରେ ଏକ କମିସନ ପଠାଇଥିଲେ। କମିସନର ସଦସ୍ୟମାନେ ୧୯୨୮ ଅକ୍ଟୋବର ୩୦ରେ ଲାହୋର ରେଳ ଷ୍ଟେସନରେ ପହଞ୍ଚିଥିଲେ। ସେତେବେଳେ ଲାଲାଜୀଙ୍କ ନେତୃତ୍ବରେ ଲକ୍ଷ ଲକ୍ଷ ପଞ୍ଜାବବାସୀ ସେମାନଙ୍କୁ ବିରୋଧ କରିଥିଲେ। ଏହି ସମୟରେ ଇଂରେଜ ପୁଲିସମାନେ ଲାଲାଜୀଙ୍କୁ ନିଷ୍ଠୁର ଭାବେ ଲାଠିମାଡ କରିଥିଲେ। ତା’ର ୧୮ ଦିନ ପରେ ଅର୍ଥାତ୍ ନଭେମ୍ବର ୧୭ରେ ପୁରୁଷ ସିଂହ ଲାଲାଜୀ ଇହଲୀଳା ସମ୍ବରଣ କରିଥିଲେ।

Comments are closed.