ଆର୍ଥିକ ସଂକଟରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ, ଡିସେମ୍ବର ୧୬ ଯାଏଁ ଦେଣନେଣ ଉପରେ ପ୍ରତିବନ୍ଧକ ଲଗାଇଲେ ରିଜର୍ଭ ବ୍ୟାଙ୍କ

- ଟି.ଏନ. ମନୋହରନ ପ୍ରଶାସକ ନିଯୁକ୍ତ

ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଲକ୍ଷ୍ମୀ ବିଳାସ ବ୍ୟାଙ୍କର ସମସ୍ତ କାର୍ଯ୍ୟକଳାପ ଉପରେ ଆଜିଠାରୁ ଆସନ୍ତା ଡିସେମ୍ବର ୧୬ ପର୍ଯ୍ୟନ୍ତ ପ୍ରତିବନ୍ଧକ ଜାରି କରିଛନ୍ତି। ଏହି ଅବଧି ମଧ୍ୟରେ ସେହି ବ୍ୟାଙ୍କର ଗ୍ରାହକ ସର୍ବାଧିକ ୨୫ ହଜାର ଟଙ୍କାରୁ ଅଧିକ ଅର୍ଥ ଉଠାଣ କରିପାରିବେ ନାହିଁ। ରିଜର୍ଭ ବ୍ୟାଙ୍କ ସୂଚନା ଅନୁଯାୟୀ, ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଅନାଦେୟ ଋଣ ପରିମାଣ ବୃଦ୍ଧି ପାଇଥିବା ବେଳେ କ୍ଷତି ଜାରି ରହିଛି। ତେବେ ରିଜର୍ଭ ବ୍ୟାଙ୍କ ଜମାକାରୀଙ୍କୁ ଆଶ୍ୱାସନା ଦେଇଛି ଯେ ସେମାନଙ୍କର ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ଏବଂ ଏ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ।

ଗତ ୩ ବର୍ଷ ମଧ୍ୟରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଲିମିଟେଡର ଆର୍ଥିକ ସ୍ଥିତି କ୍ରମାଗତ ଭାବରେ ହ୍ରାସ ପାଇ ଚାଲିଛି। କୌଣସି କାର୍ଯ୍ୟକ୍ଷମ ରଣନୀତିକ ଯୋଜନା ଅଭାବରୁ ଆଗାମୀ ଦିନରେ କ୍ଷତି ଜାରି ରହିବ ବୋଲି ଆକଳନ କରାଯାଉଛି। ବ୍ୟାଙ୍କ ଏହାର ନେଟ୍ ମୂଲ୍ୟ ଏବଂ ନିରନ୍ତର କ୍ଷତିର ସମାଧାନ ପାଇଁ ପର୍ଯ୍ୟାପ୍ତ ପୁଞ୍ଜି ସଂଗ୍ରହ କରିବାରେ ସକ୍ଷମ ହୋଇ ନାହିଁ। ଏଥିସହ ବ୍ୟାଙ୍କ ମଧ୍ୟ ଜମା ପ୍ରତ୍ୟାହାରର ସମ୍ମୁଖୀନ ହେଉଛି।

ଆରବିଆଇ ଏହା ମଧ୍ୟ କହିଛି ଯେ ବ୍ୟାଙ୍କର ଆର୍ଥିକ ସ୍ଥିତିରେ ଗୁରୁତର ଅବନତି ହେତୁ ୩୦ ଦିନ ପାଇଁ ଋଣ ପ୍ରଦାନକାରୀଙ୍କ ବୋର୍ଡକୁ ନିଷ୍କ୍ରିୟ କରିଛି। ବ୍ୟାଙ୍କର ସ୍ଥିତି ସୁଧୁରିବା ଯାଏଁ କାନାରା ବ୍ୟାଙ୍କର ପୂର୍ବତନ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଟି.ଏନ. ମନୋହରନଙ୍କୁ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି।

Comments are closed.