ଲଖିମପୁର ହିଂସା- କେନ୍ଦ୍ରମନ୍ତ୍ରୀଙ୍କ ବହିଷ୍କାର, ବିଚାର ବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ

ସରକାରଙ୍କ ସହିତ ଆଲୋଚନା କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲଖିମପୁର ଖେରିଠାରେ ଘଟିଥିବା ହିଂସା ଘଟଣାକୁ ନେଇ କଂଗ୍ରେସର ଏକ ପ୍ରତିନିଧି ଦଳ ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ଦଳର ସଭାପତି ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳ ଲଖିମପୁର ଖେରି ହିଂସା ଘଟଣାକୁ ନେଇ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଏହି ଘଟଣାରେ ଅଭିଯୁକ୍ତଙ୍କ ବାପା ଜଣେ କେନ୍ଦ୍ର ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ହୋଇଥିବାରୁ ନିରପେକ୍ଷ ତଦନ୍ତ ପାଇଁ ତାଙ୍କୁ ପଦବୀରୁ ହଟାଯିବାର ଆବଶ୍ୟକତା ରହିଛି । ସେହିଭଳି କଂଗ୍ରେସର ପ୍ରତିନିଧି ଦଳ ଏହି ଘଟଣାର ତଦନ୍ତ ସୁପ୍ରିମକୋର୍ଟର ଦୁଇଜଣ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା କରାଇବାକୁ ଦାବି କରିଛନ୍ତି । ଏହି ପ୍ରସଙ୍ଗରେ ସରକାରଙ୍କ ସହିତ ଆଲୋଚନା କରିବାକୁ ରାଷ୍ଟ୍ରପତି ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରିରେ ଘଟିଥିବା ହିଂସାରେ ୪ କୃଷକଙ୍କ ସମେତ ମୋଟ ୮ ଜଣଙ୍କର ପ୍ରାଣହାନି ଘଟିଥିଲା । ରାଷ୍ଟ୍ରପତିଙ୍କୁ ଭେଟିଥିବା କଂଗ୍ରେସ ପ୍ରତିନିଧି ଦଳରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ, ଦଳର ବରିଷ୍ଠ ନେତା ଏ କେ ଆଣ୍ଟୋନି, ଗୁଲାମ ନବି ଆଜାଦ, ଲୋକସଭାରେ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ, କେ ସି ଭେନୁଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.