ପରଭେଜ ମୁଶରଫଙ୍କ ଫାଶୀ ଦଣ୍ଡାଦେଶ ରଦ୍ଦ କଲେ ଲାହୋର ହାଇକୋର୍ଟ

ଲାହୋର: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶରଫଙ୍କୁ ସ୍ବତନ୍ତ୍ର କୋର୍ଟ ଦେଇଥିବା ଫାଶୀ ଦଣ୍ଡାଦେଶକୁ ଲାହୋର ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ଏହା ସହିତ ମୁଶରଫଙ୍କ ବିରୋଧରେ ଦେଶଦ୍ରୋହ ମାମଲାର ଶୁଣାଣି ପାଇଁ ଗଠିତ ସ୍ବତନ୍ତ୍ର ଅଦାଲତର ଗଠନକୁ ବି ଅସାମ୍ବିଧାନିକ ବୋଲି କହିଛନ୍ତି। ମୁଶରଫଙ୍କ ବିରୋଧରେ ସ୍ବତନ୍ତ୍ର କୋର୍ଟ ଦେଇଥିବା ରାୟ ଅସାମ୍ବିଧାନିକ ଏବଂ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଓ ଅଭିଯୋଗର ଦଲିଲ ବେଆଇନ ବୋଲି ଲାହୋର ହାଇକୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି।

ମୁଶରଫ ସମ୍ବିଧାନକୁ ସ୍ଥଗିତ କରି ଜରୁରିକାଳୀନ ପରିସ୍ଥିତି ଲାଗୁ କରିବା ମାମଲାରେ ସ୍ବତନ୍ତ୍ର କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ୬ବର୍ଷ ଧରି ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲାର ବିଚାର ଚାଲିବା ପରେ ଗତ ଡିସେମ୍ବର ୧୭ରେ ସ୍ବତନ୍ତ୍ର କୋର୍ଟ ଉକ୍ତ ରାୟ ଦେଇଥିଲେ। ୨୦୧୩ରେ ତତ୍କାଳୀନ ପାକିସ୍ତାନ ମୁସଲିମ୍‌ ଲିଗ ସରକାର ମୁଶରଫଙ୍କ ବିରୋଧରେ ଏହି ମାମଲା ଦାୟର କରିଥିଲା। ସ୍ବତନ୍ତ୍ର ଅଦାଲତଙ୍କ ରାୟକୁ ମୁଶରଫ ଲାହୋର ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଲାହୋର ହାଇକୋର୍ଟ ସ୍ବତନ୍ତ୍ର କୋର୍ଟଙ୍କ ରାୟକୁ ଅବୈଧ, କ୍ଷେତ୍ରାଧିକାର ବହିର୍ଭୁତ ଏବଂ ଅସାମ୍ବିଧାନିକ ବୋଲି ଦର୍ଶାଇ ତାହାକୁ ଖାରଜ କରିଦେଇଛନ୍ତି। ଫଳରେ ମୁଶରଫଙ୍କୁ ଆଶ୍ଵସ୍ତି ମିଳିଛି।

Comments are closed.