ଲଘୁଚାପ ବର୍ଷାରେ ୮ ଜିଲା ପ୍ରଭାବିତ;୬ ଜଣଙ୍କ ମୃତ୍ୟୁ

0

ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷାରେ କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗିର, ବୌଦ୍ଧ, ରାୟଗଡ଼ା ଓ କନ୍ଧମାଳ ଆଦି ୮ଟି ଜିଲା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏସବୁ ଜିଲାର ୪୮ଟି ବ୍ଳକରେ ୩୩୨ଟି ଗ୍ରାମର ୨୩,୭୬୪ଜଣ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ବର୍ଷା ଯୋଗୁଁ ୮୨୦ଟି ଘର ଭାଙ୍ଗିଯାଇଥିବାବେଳେ ୬ ଜଣ ପ୍ରାଣ ହରାଇଛନ୍ତି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି।
କଳାହାଣ୍ଡିର ୯ଟି ବ୍ଳକ ୮୦ଟି ଗ୍ରାମ ୨ଟି ଅର୍ବାନ ଲୋକାଲ ବଡ଼ି, ୩ଟି ୱାର୍ଡ଼ର ୧୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ୨୧ଟି ଗ୍ରାମ ଜଳପ୍ଳାବିତ ହୋଇଥିବାବେଳେ ୭୦୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୧୯୦ଟି ଘର ଭାଙ୍ଗିଥିବାବେଳେ ନର୍ଲା ଥାନା ବାରଗାଁ ଗ୍ରାମର ସଦାଶିବ ସାହୁ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଜୁନାଗଡ ଓ କେସିଙ୍ଗା ବ୍ଳକରେ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ୍‍ ମୁତୟନ କରାଯାଇଛି। ୯ଟି କେନ୍ଦ୍ରରେ ୬୮୭ଜଣ ହିତାଧିକାରୀଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇଦିଆଯାଇଛି। କାଣ୍ଟେସିରଠାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ଭବାନିପାଟଣାଠାରୁ ବିଶ୍ୱନାଥପୁର ମଧ୍ୟରେ ଥିବା ସିକେରକୁପା ପୋଲ ନିକଟସ୍ଥ ସଂଯୋଗ ରାସ୍ତା ବର୍ଷାରେ ଧୋଇଯାଇଛି। ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। କେସିଙ୍ଗା ବ୍ଳକର ବିଶୋଡ଼ି ଓ କର୍ଲାମୁଣ୍ଡା ବ୍ଲକର କାଣ୍ଡେଇପଲି ଗ୍ରାମବାସୀଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ସେହିପରି କୋରାପୁଟରେ ୧୩ଟି ବ୍ଲକର ୧୯୯ଟି ଗ୍ରାମ, ୩ଟି ଅର୍ବାନ ଲୋକାଲ ବଡ଼ି ଓ ୨୪ଟି ୱାର୍ଡ଼ର ୫୮୦୪ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୪୫୩ଟି ଘର ଭାଙ୍ଗିଯାଇଛି। ଦୁଇ ଜଣ ପ୍ରାଣ ହରାଇଛନ୍ତି। ସେଠାରେ ୩୦ଜଣ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ଏହି ଜିଲାର ସେମିଳିଗୁଡ଼ାସ୍ଥିତ ରାଜୁବିଦେଇ ଗ୍ରାମର ମଙ୍ଗୁଳି ମୁଦୁଲି ପ୍ରାଣ ହରାଇଛନ୍ତି। ବୋରିଗୁମ୍ମାର ହର୍ଦଲି ଗ୍ରାମର ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି। ଏଠାରେ ଗୋଟିଏ ଓଡ୍ରାଫ ଟିମ ସହିତ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି। ଲିମା ଓ ଘୁରିଆଗୁଡ଼ା ରାସ୍ତାର କୁନ୍ଦ୍ରାଠାରେ ବନ୍ୟା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ କୋଟପାଡ଼ଠାରେ କାଖନଗୁଡ଼ା ଓ ସର୍ଗିଗୁଡ଼ା ମଧ୍ୟରେ ଥିବା କଲଭର୍ଟ ଭାଙ୍ଗିଯାଇଛି। ଏନଏଚ-୨୬ରେ ବର୍ଷାରେ ରାସ୍ତା ଧୋଇଯିବା ଯୋଗୁଁ ବୋରିଗୁମ୍ମାରୁ କୋଟପାଡ଼ ମଧ୍ୟରେ ବିଜେପୁର ନିକଟରେ ଯୋଗାଯୋଗ ବ୍ୟାହତ ହୋଇଛି।
ବୈପାରିଗୁଡ଼ା-ଗୁପ୍ତେଶ୍ୱର ମୁଖ୍ୟ ରାସ୍ତା କଲଭର୍ଟ ଭାଙ୍ଗିଯିବା ଯୋଗୁଁ ମୁଖ୍ୟ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପି.ଶିରିମୁଣ୍ଡା ଗ୍ରାମର ୧୫ଜଣ ଲୋକ ଗ୍ରାମ ପଞ୍ଚାୟତ ଅଫିସକୁ ପେନସନ ପାଇଁ ଆସିଥିବାବେଳେ ବର୍ଷାରେ ରାସ୍ତା ଯୋଗାଯୋଗ ବ୍ୟାହତ ହେବାରୁ ଅଟକି ରହିଥିଲେ। ସେମାନଙ୍କୁ ଗ୍ରାମ ପଞ୍ଚାୟତ ଅଫିସରେ ଆଶ୍ରୟ ଦିଆଯିବା ସହିତ ଖାଦ୍ୟ ଯୋଗାଇଦିଆଯାଇଛି। ବୋରଗୁମ୍ମା ତହସିଲର ୨୮ ଓ ସେମିଳିଗୁଡ଼ା ତହସିଲର ୮ଟି ଘର ଭାଙ୍ଗିଯାଇଛି।
ମାଲକାନଗିରି ଜିଲାର ୭ଟି ବ୍ଲକ, ୪୨ଟି ଗ୍ରାମ ଓ ଗୋଟିଏ ଅର୍ବାନ ଲୋକାଲ ବଡ଼ି ପ୍ରଭାବିତ ହେବା ସହିତ ୧୩ଟି ଘର ଭାଙ୍ଗିଛି। ୩୩୨ଜଣଙ୍କୁ ଉଦ୍ଧାର ସହ ରନ୍ଧାଖାଦ୍ୟ ଦିଆଯାଇଛି। ଜୟପୁର-ମାଲକାନଗିରି ରାସ୍ତା, ମାଲକାନଗିରି-ବାଲିମେଳା, ମାଲକାନଗିରିରୁ ମୋଟୁ, ମାଲକାନଗିରିରୁ ସୁକୁମା ଯୋଗାଯୋଗ ବ୍ୟାହତ ହୋଇଛି। ଏଠାରେ ଅଗ୍ନିଶମ ଓ ଓଡ୍ରାଫ ଟିମ ନିୟୋଜିତ ଅଛନ୍ତି। ସାବେରୀ ନଦୀର ଜଳସ୍ତର ବଢ଼ୁଥିବାରୁ ପଡ଼ିଆ ଏବଂ ମୋଟୁ ଅଞ୍ଚଳ ବନ୍ୟାପ୍ଲାବିତ ହେବାର ଆଶଙ୍କା ରହିଛି। ଏଥିପାଇଁ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ସଜାଗ ରଖାଯାଇଛି। ଯୋଗାଯୋଗ ବିଚ୍ଛିନ୍ନ ଥିବା ମାଲକାନଗିରି-ବାଲିମେଳା ରାସ୍ତା ସ୍ୱାଭାବିକ ହୋଇଛି। ଜୟପୁର-ମାଲକାନଗିରି ଯୋଗାଯୋଗ ବ୍ୟାହତ ହୋଇଥିବାବେଳେ କମରାପଲ୍ଲୀ ଓ ମହୁଆପଦର ମଧ୍ୟରେ ସଂଯୋଗ ରାସ୍ତା ଧୋଇଯିବାରୁ ୧୩ଟି ଘର ଭାଙ୍ଗିବା ସହିତ ୪୦ଗ୍ରାମବାସୀଙ୍କୁ ନିକଟସ୍ଥ ବିଦ୍ୟାଳୟ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ମାଲକାନଗିରିରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି।
ନବରଙ୍ଗପୁରରେ ୫ଟି ବ୍ଳକ, ୮ଟି ଗ୍ରାମ, ଗୋଟିଏ ଅର୍ବାନ ଲୋକାଲ ବଡ଼ିର ୭୫୦୦ଲୋକ ପ୍ରଭାବିତ ହୋଇଛନ୍ତି। ୨୦ଟି ଘର ଭାଙ୍ଗିଛି। ନବରଙ୍ଗପୁର ସହର ଜଳଘେରରେ ଥିବାବେଳେ ନବରଙ୍ଗପୁର ଉପକାରାଗାର ନିକଟରେ ଏନଏଚ ୨୬ ଉପରେ ପାଣି ଚାଲିଛି। ତୁରୀ ନଦୀରେ ଜଳସ୍ତର ବଢ଼ିବା ସହିତ ବଡ଼ ମାସି ଗାଁ ନିକଟରେ ବନ୍ଧ ଡେଇଁ ପାଣି ଚାଲିଛି। ଇନ୍ଦ୍ରାବତୀ ଜଳଭଣ୍ଡାର ଫାଟକ ଖୋଲାଯିବା ଦ୍ୱାରା ଜଳସ୍ତର ବଢ଼ିବାର ସମ୍ଭାବନା ଥିବାରୁ ପ୍ରଶାସନିକ ଅଧିକାରୀ ଏଥିପ୍ରତି ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ୩ଟି ବ୍ଳକର ୧୬ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯିବାକୁ ସ୍ଥିର ହୋଇଛି। ଇନ୍ଦ୍ରାବତୀ ନଦୀ ପାର୍ଶ୍ବବତ୍ତୀ ଗ୍ରାମବାସୀ ପ୍ରଭାବିତ ହେବାର ଆଶଙ୍କା ରହିଛି। ନବରଙ୍ଗପୁର ବ୍ଳକର ଦହିଭଟ୍ଟ ଓ ଦେବ୍ରିଗୁଡ଼ା ଓ କୋଶଗୁମୁଡ଼ା ବ୍ଲକର ଘାଟବାସୁଳି, ଚିରମା, ମଡ଼େଗାଁ, ଖଣ୍ଡିବାଗଡୋରି ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ପ୍ରଶାସନ ସତର୍କ ଦୃଷ୍ଟି ରଖିଥିବା କୁହାଯାଇଛି।
ଟିଟିଲାଗଡ଼ରେ ତେଲ ନଦୀର ବାଂଜିପାଲିଠାରେ ଏକ ଟାପୁ ଅଞ୍ଚଳରୁ ବଲାଙ୍ଗିର ଜିଲାର ୧୬ଜଣଙ୍କୁ ବନ୍ୟା ପାଣିରୁ ଅଗ୍ନିଶମ ସେବା କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି। ତେଲ ନଦୀରେ ବନ୍ୟା ଯୋଗୁଁ ମନମୁଣ୍ଡା-ସିନେ୍ଧଇଗୁଡ଼ା ଭାୟା କଣ୍ଟାମାଳ(ରାଜ୍ୟ ରାଜପଥ-୧୪) ରାସ୍ତା ବିଚ୍ଛିନ୍ନ ହୋଇଛି। କଣ୍ଟାମାଳ ବ୍ଳକ କମାଘାଟ ଗ୍ରାମର ୧୧୦ ପରିବାର ପ୍ରଭାବିତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଗୋଟିଏ ଡଙ୍ଗା ନିୟୋଜିତ କରାଯାଇଛି।
ଘଟଣା ଉପରେ ଜିଲାପାଳ, ଉପଜିଲାପାଳ, ବିଡ଼ିଓଙ୍କ ସମେତ କ୍ଷେତ୍ର ଅଧିକାରୀ ସଜାଗ ଦୃଷ୍ଟି ରଖିଥିବା ଏସଆରସିଙ୍କ ପକ୍ଷରୁ ସୂଚନା ମିଳିଛି। ରାୟଗଡ଼ାରେ ୧୦ଟି ବ୍ଳକରେ ୧୪୨ଟି ଘର ଭାଙ୍ଗିଛି। ବର୍ଷା ପାଣିରେ ଭାସିଯାଇ ୩ଜଣ ପ୍ରାଣ ହରାଇଛନ୍ତି। କନ୍ଧମାଳରେ ୩ଟି ବ୍ଳକର ୩ଟି ଗ୍ରାମ ପ୍ରଭାବିତ ହୋଇଥିବାବେଳେ ୨ଟି ଘର ଭାଙ୍ଗିଛି।

Leave A Reply