‘ଫ୍ରୀ କାଶ୍ମୀର’ ପୋଷ୍ଟର ଧରିଥିବା ଯୁବତୀଙ୍କ ଭିଡିଓ ସାମ୍ନାକୁ ଆସିଲା; କହିଲେ ତଳେ ପଡ଼ିଥିଲା, ଉଠାଇଦେଲି

ମୁମ୍ବଇ: ଜେଏନୟୁ ହିଂସା ବିରୋଧରେ ମୁମ୍ବଇର ଗେଟ୍‌ ୱେ ଅଫ୍‌ ଇଣ୍ଡିଆଠାରେ ସୋମବାର ବିରୋଧ ପ୍ରଦର୍ଶନ ବେଳେ ଜଣେ ଯୁବତୀ ‘ଫ୍ରୀ କାଶ୍ମୀର’ ପୋଷ୍ଟର ଧରିଥିବା ଦେଖାଯାଇଥିଲା। ଏହାକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ବିଜେପି ରାଜ୍ୟ ସରକାରଙ୍କୁ ଘେରିବା ସହିତ ଏସବୁ କିଏ କରାଉଛି ବୋଲି ପ୍ରଶ୍ନ କରିଛି। ଏହା ମଧ୍ୟରେ ପୋଷ୍ଟର ଧରିଥିବା ଯୁବତୀ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସେ ଉକ୍ତ ପୋଷ୍ଟର କାହିଁକି ଧରିଥିଲେ ତା’ ବିଷୟରେ ଭିଡିଓରେ ସ୍ପଷ୍ଟ କରିଛନ୍ତି।

ଯୁବତୀଙ୍କ ନାଁ ହେଉଛି ମହକ ମିର୍ଜା ପ୍ରଭୁ। ସେ ଭିଡିଓରେ କହିଛନ୍ତି, ଗେଟ୍‌ ୱେ ଇଣ୍ଡିଆଠାରେ ବିକ୍ଷୋଭ ବେଳେ ମୁଁ ଏକ ପୋଷ୍ଟର ଧରିଥିଲି। ସେହି ପୋଷ୍ଟରଟି ପୂର୍ବରୁ ସେଠାରେ ତଳେ ପଡ଼ିଥିଲା। ମୁଁ ତାହାକୁ ତଳୁ ଉଠାଇ ପ୍ରଦର୍ଶନ କରିବାର କାରଣ ହେଉଛି, ମୁଁ କାଶ୍ମୀରରେ ଇଣ୍ଟରନେଟ ଏବଂ ମୋବାଇଲ ସେବା ଆରମ୍ଭ କରିବା ସମ୍ପର୍କରେ କିଛି କହିବାକୁ ଚାହୁଁଥିଲି। ମୁଁ କାଶ୍ମୀର ବାସିନ୍ଦା ନୁହେଁ, ମୁମ୍ବଇବାସୀ। କୌଣସି ଗ୍ୟାଙ୍ଗ ସହିତ ମୋର କିଛି ସମ୍ପର୍କ ନାହିଁ।

ଉଲ୍ଲେଖଯୋଗ୍ୟ, ଏହି ପୋଷ୍ଟରକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନଭୀସ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପ୍ରଶ୍ନ କରି ଆପଣ ‘ପ୍ରୀ କାଶ୍ମୀର’ ଭାରତ ବିରୋଧୀ ଅଭିଯାନ ସହ୍ୟ କରିପାରୁଛନ୍ତି କି ବୋଲି ପଚାରିଛନ୍ତି। ଫଡନଭୀସ ଟ୍ବିଟ୍‌ କରି ଲେଖିଛନ୍ତି, ଏହି ବିକ୍ଷୋଭ କେଉଁ ପ୍ରସଙ୍ଗରେ ହେଉଛି ? ଫ୍ରୀ କାଶ୍ମୀର ନାରା କ’ଣ ପାଇଁ ଲଗାଯାଉଛି? ଆମେ ମୁମ୍ବଇରେ ଏଭଳି ବିଚ୍ଛିନ୍ନତାବାଦୀ ତତ୍ତ୍ଵଗୁଡ଼ିକୁ କିପରି ସହ୍ୟ କରିପାରିବୁ ?

Comments are closed.