ରେଳ ଧାରଣାରେ କଟି ମହିଳା ଡାକ୍ତର ମୃତ

0

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ରେଳ ଧାରଣାରେ କଟି ଜଣେ ମହିଳା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ତରାଇ ପାଟପୁର ଅଞ୍ଚଳର ରଘୁନାଥ ଦାଶଙ୍କ ଝିଅ ଅର୍ଚ୍ଚନା ଦାଶ। ଅର୍ଚ୍ଚନା ଗତ ୪ ବର୍ଷ ପୂର୍ବେ ଭୁବନେଶ୍ୱର ଗାଡ଼କଣ ଅଞ୍ଚଳର ଡାକ୍ତର ଅଞ୍ଜନ ଦାଶଙ୍କୁ ବିବାହ କରିଥିଲେ। କିନ୍ତୁ ଅନେକ ସମୟରେ ପାରିବାରିକ କଳହ ଯୋଗୁଁ ସେ ମାନସିକ ଚିନ୍ତାରେ ରହୁଥିବା ତାଙ୍କର ବାପ ଘର ଲୋକେ କହିଛନ୍ତି। ସେ ଦୀର୍ଘ ଦିନ ହେବ ବାପାଙ୍କ ଘରେ ରହିବା ସହ ସିନ୍ଦୁରପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଆଜି ସକାଳୁ ତାଙ୍କର ମୃତଦେହ ରେଳଧାରଣାରୁ ଠାବ ହୋଇଥିବା ବେଳେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା ଜନିତ ମୃତ୍ୟୁ ତାହା ସ୍ପଷ୍ଟ ହୋଇପାରିନାହିଁ। ଖବର ପାଇ ଜିଆରପି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଉଦ୍ଧାର କରି ପଞ୍ଚନାମା ନିମନ୍ତେ ପଠାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ସୁଚନା ଦେଇଛି। ତେବେ ମୃତ ଡାକ୍ତର ଅର୍ଚ୍ଚନାଙ୍କ ମୃତ୍ୟୁର କାରଣ ତାଙ୍କ ସ୍ୱାମୀ ଡାକ୍ତର ଅଞ୍ଜନ ଦାଶ, ଶାଶୁ ଓ ଶ୍ୱଶୁର ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନାଙ୍କ ବାପା। ବିବାହ ବିଚ୍ଛେଦ ପାଇଁ ଅର୍ଚ୍ଚନାଙ୍କ ଅନିଚ୍ଛା ସତ୍ତ୍ୱେ ଅଞ୍ଜନ କୋର୍ଟ ନୋଟିସ ପଠାଇବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ମୃତ ଅର୍ଚ୍ଚନାଙ୍କ ବାପା ରଘୁନାଥ ଦାଶ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ ଏବଂ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

Leave A Reply