କୂଟନୈତିକ ଆଲୋଚନାରୁ ସଫଳତା : ପୂର୍ବ ବୁଝାମଣାକୁ ସମ୍ମାନ ଦେବ ଚୀନ

ନୂଆଦିଲ୍ଲୀ : ଚୀନ ଓ ଭାରତ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନାରୁ ସୁଫଳ ମିଳିଛି। ବୁଧବାର ଏ ସମ୍ପର୍କରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ବିବାଦୀୟ ସ୍ଥଳରୁ ଉଭୟ ପକ୍ଷ ସେନା ପ୍ରତ୍ୟାହାର ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ପୂର୍ବରୁ ଜୁନ ୬ରେ ଏ ନେଇ ହୋଇଥିବା ବୁଝାମଣାକୁ ଶୀଘ୍ର କାର୍ଯ୍ୟକାରୀ କରିବା ସହ ଚୀନ ଏହାର ସୈନ୍ୟଙ୍କୁ ପ୍ରତ୍ୟାହାର କରିନେବ ଓ ଏଲଏସିକୁ ସମ୍ମାନ ଦେବ ବୋଲି ସମ୍ମତି ପ୍ରକାଶ କରିଛି। ସୀମାନ୍ତରେ ଶାନ୍ତି ପ୍ରତିଷ୍ଠା ପାଇଁ ଏହା ସହାୟକ ହେବ ବୋଲି ଏହି ବିବୃତିରେ କୁହାଯାଇଛି।

ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦୁଇ ଦେଶର ବୈଦେଶିକ ମନ୍ତ୍ରଣାଳୟ ଅଧିକାରୀ ପୂର୍ବ ଲଦାଖରେ ବିବାଦର ସମାଧାନ ନେଇ ଦୀର୍ଘ ୪ଘଣ୍ଟା କାଳ ଆ‌େ​‌ଲାଚନା ଚଳାଇଥିଲେ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପୂର୍ବ ଏସିଆ ଦାୟିତ୍ବରେ ଥିବା ଯୁଗ୍ମ ସଚିବ ନବୀନ ଶ୍ରୀବାସ୍ତବ ଓ ଚୀନ ବୈଦେଶିକ ମନ୍ତ୍ରଣାଳୟ ମହାନିର୍ଦେଶକ ଉ ଜିଆନଘୋଙ୍କ ମଧ୍ୟରେ ଅନୁଷ୍ଠିତ ଆଲୋଚନାବେଳେ ଭାରତୀୟ ପ୍ରତିନିଧିମାନେ ଗତ ୧୫ତାରିଖର ସଂଘର୍ଷ ନେଇ କ୍ଷୋଭ ପ୍ରକାଶ କରିଥିଲେ। ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଉଭୟ ପକ୍ଷ ଆଲୋଚନା କରିଥିଲେ ଏବଂ ଚୀନ୍‌ ପୁନର୍ବାର ଏଥିପାଇଁ ଭାରତକୁ ଦୋଷୀ ଦର୍ଶାଇଥିଲା। ଏହି ଆଲୋଚନାବେଳେ ଦୁଇ ଦେଶ ମଧ୍ୟରେ କୂଟନୈତିକ ଓ ସାମରିକ କ୍ଷେତ୍ରରେ ଯୋଗାଯୋଗ ଉନ୍ମୁକ୍ତ ରହିବ ବୋଲି ନିଷ୍ପତ୍ତି ହୋଇଥିବା ପ୍ରକାଶ। ଏଭଳି ଆଲୋଚନା ଆଗକୁ ଜାରି ରହିବ ବୋଲି ବିବୃତିରେ କୁହାଯାଇଛି।

ସୋମବାର ଉଭୟପକ୍ଷର ଲେଫ୍ଟନାଣ୍ଟ ଜେନେରାଲସ୍ତରରେ ଅନୁଷ୍ଠିତ ପ୍ରାୟ ୧୧ ଘଣ୍ଟାର ମାରାଥନ ଆଲୋଚନାରେ ବିବାଦୀୟ ସ୍ଥଳରୁ ସେନା ପ୍ରତ୍ୟାହାର ନେଇ ସମ୍ମତି ପ୍ରକାଶ ପାଇଥିବା ମଙ୍ଗଳବାର ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଥିଲା। ସେହିଭଳି ଦୁଇ ଦେଶର ସେନାଧିକାରୀସ୍ତରୀୟ ଆଲୋଚନା ବୁଧବାର ମଧ୍ୟ ଅନୁଷ୍ଠିତ ହୋଇଛି। ଏଥିରେ ସେନା ପ୍ରତ୍ୟାହାର ସମ୍ପର୍କିତ ପଦ୍ଧତି ଉପରେ ଆଲୋଚନା ଚାଲିଛି। ଅପରପକ୍ଷରେ ସୈନ୍ୟ ପ୍ରତ୍ୟାହାର ପାଇଁ ହୋଇଥିବା ସମ୍ମତି ଏତେ ଶୀଘ୍ର କାର୍ଯ୍ୟକାରୀ ହେଲା ଭଳି ମନେ ​‌ହେଉ ନାହିଁ ଏବଂ ୨୦୧୭ର ଡୋକଲାମ୍‌ ଭଳି ଚୀନ ସେନା ଶୀଘ୍ର ଏଠାରୁ ହଟିବା ସମ୍ଭାବନା ନାହିଁ ବୋଲି ସୂଚନା ମିଳିଛି।

ଚୀନର ସୀମା ଓ ସାମୁଦ୍ରିକ ବ୍ୟାପାର ବିଭାଗ ଉପମହାନିର୍ଦେଶକ ହେ ସିଆଙ୍ଗକି ଗଲୱାନ ସଂଘର୍ଷରେ ଚୀନ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ସ୍ବୀକାର କରିଛନ୍ତି; କିନ୍ତୁ ଏହି ସଂଖ୍ୟା ସେ ସ୍ପଷ୍ଟ କରି ନାହାନ୍ତି। ବୁଧବାର ବିଦେଶୀ କୂଟନୀତିଜ୍ଞଙ୍କ ସହ ଆଲୋଚନାବେଳେ ସେ କହିଛନ୍ତି ଯେ ଏହି ସଂଖ୍ୟା ଅତି ନଗଣ୍ୟ। ଏହା ପ୍ରକାଶ କରି ଚୀନ ବିବାଦ ବଢ଼ାଇବାକୁ ଚାହୁଁ ନାହିଁ। ପ୍ରଥମ ଥର ପାଇଁ ଚୀନର ଜଣେ ସରକାରୀ ଅଧିକାରୀ ଏଭଳି ସ୍ବୀକାରୋକ୍ତି କରିଛନ୍ତି। ଭାରତ ୧୯୯୩ ଓ ୧୯୯୬ର ରାଜିନାମା ଉଲ୍ଲଙ୍ଘନ କରିବାରୁ ସାମ୍ପ୍ରତିକ ବିବାଦ ସୃଷ୍ଟି ହୋଇଥିବା ସେ କହିଛନ୍ତି। ପୂର୍ବରୁ ଦେଶର ଜଣେ କମାଣ୍ଡିଂ ଅଫିସରଙ୍କ ମୃତ୍ୟୁ ହୋଇଥିବା ସେନାଧିକାରୀସ୍ତରୀୟ ଆଲୋଚନାରୁ ସୂଚନା ମିଳିଥିଲା। ସଂଘର୍ଷରେ ଚୀନର ୪୫ ସୈନ୍ୟ ମୃତାହତ ହୋଇଥିବା ଭାରତ ଦାବି କରୁଛି। ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ ଏହାକୁ ‘ମିଛ ଖବର’ ଭାବେ କରିଛନ୍ତି।

Comments are closed.