ଧୋଇଗଲା ଚୀନ ଶିବିର, ରାସ୍ତା

ନୂଆଦିଲ୍ଲୀ : ପ୍ରବଳ ବର୍ଷା ଯୋଗୁଁ ଗଲୱାନ ନଦୀରେ ଅଧିକ ପ୍ରବାହିତ ହୋଇ ଗଲୱାନ ଉପତ୍ୟକାରେ ଚୀନ ନିର୍ମାଣ କରିଥିବା ଶିବିରର କିଛି ଅଂଶ ଓ ସଂଲଗ୍ନ ନୂଆ ରାସ୍ତା ଧୋଇଯାଇଛି। ଏତଦ୍‌ବ୍ୟତୀତ ସେଠାରେ ମୁତୟନ ଚୀନ ସେନା ଅନ୍ୟ ଅଞ୍ଚଳରେ ଥିବା ଶିବିରଠାରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି। ଚୀନ ସେନା ନଦୀର ଦକ୍ଷିଣ ପାଖ ଉପତ୍ୟକାକୁ ପୋତି ଯେଉଁ ଅଞ୍ଚଳକୁ ବ୍ୟବହାର ଉପଯୋଗୀ କରିଥିଲେ ତାହା ମଧ୍ୟ ଜଳପ୍ଳାବିତ ହୋଇଛି। ସେହିପରି ଉତ୍ତର ପାଖ ଉପତ୍ୟକାର ଯେଉଁ ଅଞ୍ଚଳରେ ଯାନବାହାନ ରଖୁଥିଲେ ତାହା ମଧ୍ୟ ପାଣିରେ ବୁଡ଼ିଯାଇଛି। ଏଠାରେ ଜେସିବି ଓ ଅନ୍ୟ ନିର୍ମାଣ ଯନ୍ତ୍ରପାତି ଜମା ହୋଇ ରହିଛି। ଉଭୟ ପାଖକୁ ସଂଯୋଗ ପାଇଁ ଏଠାରେ ଥିବା ସେତୁ ଧୋଇଯାଇଥିବା ଲକ୍ଷ୍ୟ କରାଯାଇଛି। ପ୍ଲାନେଟ ଲାବ୍‌ ପକ୍ଷରୁ ସଂଗୃହିତ ଉପଗ୍ରହ ଚିତ୍ରରୁ ଏହି ତଥ୍ୟ ମିଳିଛି। ଏହା ସତ୍ତ୍ବେ ଚୀନ ସେନା ପଛକୁ ହଟି ନ ଥିବା ଏଥିରୁ ସୂଚନା ମିଳିଛି। ଏତଦ୍‌ବ୍ୟତୀତ ପାଟ୍ରୋଲ ପଏଣ୍ଟ ୧୪ ନିକଟରେ ଯେଉଁ ଶିବିର ସ୍ଥାପନ ହୋଇଥିଲା ସେଗୁଡ଼ିକ ତାର୍ପୋଲିନ ଘୋଡ଼ା ହୋଇ ରହିଥିବା ଏବଂ ସମ୍ପୃକ୍ତ ସ୍ଥାନ ପୂର୍ବାପେକ୍ଷା (ଜୁନ ୧୨ରେ ଉତ୍ତୋଳିତ ଚିତ୍ର) ପରିଷ୍କାର ଦେଖାଯାଉଥିବା ଏହି ଚିତ୍ରରୁ ଲକ୍ଷ୍ୟ କରାଯାଇଛି। ଗଲୱାନ ଉପତ୍ୟକାର ଭାରତୀୟ ଅଞ୍ଚଳକୁ ୪୨୩ ମିଟର ଅନୁପ୍ରବେଶ କରି ଚୀନ ଏହି ସବୁ ଶିବିର ସ୍ଥାପନ କରିଛି।

Comments are closed.