ଏଲଏସି ନିକଟ ୨୪ଟି ଗାଁକୁ ଘାଟି କଲାଣି ଚୀନ

ଉପଗ୍ରହ ଚିତ୍ରରୁ ଚୀନର ସଡ଼କ, ଘାଟି, ବଙ୍କର ଓ ଗୋଦାମ ସ୍ପଷ୍ଟ

ନୂଆଦିଲ୍ଲୀ : ଚୀନ କେବଳ ଭାରତ ସୀମାନ୍ତ ଭୁଟାନର ଦୁଇ କିଲୋମିଟର ଆଭ୍ୟନ୍ତରରେ, ଡୋକଲାମ୍‌ଠାରୁ ପ୍ରାୟ ୯ କିଲୋମିଟର ଦୂର ପାଙ୍ଗଡ଼ାଠାରେ ଚୀନ ଏକ ଗ୍ରାମ ପ୍ରତିଷ୍ଠା କରି ନାହିଁ; ବରଂ ସୀମାନ୍ତ ନିକଟବର୍ତ୍ତୀ ଆଉ କିଛି ଅଞ୍ଚଳରେ ସାମରିକ ଘାଟି ପ୍ରତିଷ୍ଠା କରିଛି। ଏ ସମ୍ପର୍କରେ ଉପଗ୍ରହ ସୂତ୍ରରୁ ଯେଉଁ ଚିତ୍ର ହସ୍ତଗତ ହୋଇଛି ତାହା ଭାରତର ଚିନ୍ତା ବଢ଼ାଇଦେବା ଭଳି। ବାସ୍ତବ ନିୟନ୍ତ୍ରଣ ରେଖା ବା ଏଲଏସି ନିକଟସ୍ଥ ଯେଉଁ ଗ୍ରାମଗୁଡ଼ିକରେ ବର୍ଷକ ପୂର୍ବେ ସାଧାରଣ ନାଗରିକ ବସବାସ କରୁଥିଲେ ଚୀନ ଏବେ ସେଗୁଡ଼ିକୁ ସାମରିକ ଘାଟିରେ ରୂପାନ୍ତରିତ କରିଛି ଏବଂ ଭାରତକୁ ଏଠାରୁ ନିଶାଣ କରାଯାଇଥିବା ଉକ୍ତ ଚିତ୍ରରୁ ସ୍ପଷ୍ଟ ହୋଇଛି।
ମହାକାଶ ଗବେଷଣା ସଂସ୍ଥା ମାକ୍ସାର ଟେକ୍‌ନୋଲଜି ପକ୍ଷରୁ ୭ ସେଟ୍‌ ବିଶିଷ୍ଟ ‘ହାଇ ରିଜୋଲୁସନ୍‌’ ଚିତ୍ରରୁ ସ୍ପଷ୍ଟ ଲକ୍ଷ୍ୟ କରାଯାଉଛି ଯେ ଭୁଟାନ ଓ ଚୀନ ସୀମାନ୍ତରେ ପ୍ରବହମାନ ତୋର୍ସା ନଦୀ ଅବବାହିକାରେ ଚୀନ ଉନ୍ନତମାନର ୪ଟିକିଆ ସଡ଼କ ନିର୍ମାଣ କରୁଛି। ଏହି ସଡ଼କ ଯୁଦ୍ଧ ପାଇଁ ଖୁବ୍‌ ଉପଯୋଗୀ। ଏହା ଦ୍ବାରା ଚୀନ ପାଇଁ ସମଗ୍ର ପଶ୍ଚିମ ସୀମାନ୍ତରେ ଭାରତ ବିରୋଧରେ ଯୁଦ୍ଧ ପ୍ରସ୍ତୁତି ସହଜ ହେବ। ଏହି ଅଞ୍ଚଳରେ ପ୍ରାୟ ୨୪ଟି ଗ୍ରାମକୁ ଘାଟିରେ ପରିବର୍ତ୍ତନ କରାଯାଇଛି ବା ସ୍ବତନ୍ତ୍ର ଗ୍ରାମ ପ୍ରତିଷ୍ଠା କରାଯାଇଛି। ଏଠାରେ ବହୁ ସଂଖ୍ୟକ ଟାୱାର, ବଙ୍କର ଓ ସାମରିକ ଗୋଦାମ ଘର ନିର୍ମାଣ ସହ ସୀମାନ୍ତକୁ ନୂଆ ସଡ଼କ ଓ ଗ୍ରାମ ସହ ସଂଯୁକ୍ତ କରିଛି। ଏଗୁଡ଼ିକ ଡୋକଲାମ ପାଖାପାଖି ରହିଛି। ଏହି ଗ୍ରାମଗୁଡ଼ିକୁ ଚୀନ ‘ସମନ୍ବିତ ଗ୍ରାମ’ ଆଖ୍ୟା ଦେଇଛି। ଭୁଟାନ ଓ ସିକିମ ସଂଲଗ୍ନ ଚୁମ୍ବି ଉପତ୍ୟକାରେ ୨୦୧୯ ଅଗଷ୍ଟରୁ ମାତ୍ର ବର୍ଷକ ମଧ୍ୟରେ ୧୨ଟି ଶିବିରାକୃତି ଘର ନିର୍ମାଣ କରିଥିବାବେଳେ ଏବେ ସୁଉଚ୍ଚ ନିର୍ମାଣ ଚଳାଉଛି। ଚୀନ ସୈନଙ୍କ ଅବସ୍ଥିତିର ଦକ୍ଷିଣାଞ୍ଚଳ ଗ୍ୟାନ୍‌ସ୍ତେଠାରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ଅଞ୍ଚଳରେ ଚୀନର ସାମରିକ ଯାନ ଘନଘନ ଯାତ୍ରା କରୁଥିବା ଦେଖାଯାଉଛି। ଏତଦ୍‌ ବ୍ୟତୀତ ପୂର୍ବ ସୀମାନ୍ତରେ ସିକିମ, ଅରୁଣାଚଳ ପ୍ରଦେଶ ତଥା ତିବ୍‌ବତ ସୀମାନ୍ତରେ ମଧ୍ୟ ଚୀନ ସାମରିକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଚଳାଇଛି। ଭୁଟାନର ଡୋକଲାମ ନିକଟ ପାଙ୍ଗଡ଼ାଠାରେ ଚୀନ ପକ୍ଷରୁ ଏକ ଗାଁ ପ୍ରତିଷ୍ଠା ସ୍ପଷ୍ଟ ହୋଇଥିଲେ ମଧ୍ୟ ଭୁଟାନ ଏହାକୁ ଅସ୍ବୀକାର କରୁଥିବା ଖବର ଦୁଇ ଦିନ ପୂର୍ବେ ପ୍ରକାଶ ପାଇଥିଲା।

Comments are closed.