ଚୀନ ଏଲ୍‍ଏସିକୁ ଭାରତ ଗ୍ରହଣ କରେନି

ନୂଆଦିଲ୍ଲୀ : ଚୀନ ଦ୍ୱାରା ୧୯୫୯ରେ ଏକପାଖିଆ ଭାବେ ଧାର୍ଯ୍ୟ କରାଯାଇଥିବା ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)କୁ ଭାରତ କେବେ ବି ଗ୍ରହଣ କରିନାହିଁ। ତେବେ ଚୀନ ସହିତ ସୀମା ଧାର୍ଯ୍ୟ କରିବା ନିମନ୍ତେ ଭାରତ ବିଭିନ୍ନ ସମୟରେ ଅନେକ ଦ୍ୱିପାକ୍ଷିକ ବୁଝାମଣା କରିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ମଙ୍ଗଳବାର କହିଛନ୍ତି ଯେ ୧୯୫୯ ନଭେମ୍ବର ୭ରେ ଚୀନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଚାଓ ଏନ୍‌ ଲାଇ ତାଙ୍କର ଭାରତ ପ୍ରତିପକ୍ଷ ଜବାହାରଲାଲ ନେହେରୁଙ୍କୁ ଏଲଏସି ସମ୍ପର୍କରେ ଯେଉଁ ପ୍ରସ୍ତାବ ଦେଇଥିଲେ ତାକୁ ଭାରତ କେବେ ଗ୍ରହଣ କରିନାହିଁ। ପୂର୍ବ ଲଦାଖର ଏଲଏସିରେ ଲାଗି ରହିଥିବା ଉତ୍ତେଜନାକୁ ନେଇ ବୈଦେଶିକ ମନ୍ତ୍ରଣାଳୟ ବିଭିନ୍ନ ସମୟରେ ଦେଇଥିବା ପ୍ରତିକ୍ରିୟାରେ କହିଛି ଯେ, ଭାରତ ଏଲଏସିକ ସମ୍ମାନ ଜଣାଇ ଆସୁଛି। ଭାରତ ସେନା ଏଲଏସିକୁ ଲଙ୍ଘନ କରି କୌଣସି ପ୍ରକାର ଅନୁପ୍ରବେଶ କରି ନାହିଁ। ଏହା ସହିତ ଭାରତ ଅଭିଯୋଗ କରିଆସୁଛି ଯେ ଚୀନ ସେନା ଏଲଏସିକୁ ବାରମ୍ବାର ଅତିକ୍ରମ କରି ଭାରତ ସୀମାକୁ ଅନୁପ୍ରବେଶ କରୁଛି। ପୂର୍ବରୁ ଭାରତ ଏଲଏସିକୁ ସମ୍ମାନ ଜଣାଇବା କଥା କହିଆସୁଥିବା ବେଳେ ପ୍ରଥମକରି ଏଲଏସି ଅସ୍ୱୀକାର କରିବା କହିଛି। ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦରେ କହିଥିଲେ ଯେ ଚୀନ ପୂର୍ବ ଲଦାଖର ବିଭିନ୍ନ ସ୍ଥାନରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛି। ଏଲଏସିର ବିଭିନ୍ନ ସ୍ଥାନର ସ୍ଥିତାବସ୍ଥାରେ ଚୀନ ସେନା ପରିବର୍ତ୍ତନ ପାଇଁ ଉଦ୍ୟମ କରୁଥିବାରୁ ସୀମାରେ ଉତ୍ତେଜନା ପ୍ରକାଶ ପାଇଛି। ଏଲଏସିକୁ ଭାରତ ସମ୍ମାନ ଜଣାଇଆସୁଥିବା ନେଇ ପୂର୍ବରୁ କହିଆସୁଥିବାବେଳେ ଏବେ ଏହାକୁ ଅସ୍ୱୀକାର କରିଛି। ଶ୍ରୀବାସ୍ତବ କହିଛନ୍ତି ଯେ ୧୯୫୯ ଚୀନ ଧାର୍ଯ୍ୟ କରିଥିବା ଏଲଏସି ଏକପାଖିଆ ନିଷ୍ପତ୍ତି। ଏଥିରେ ଭାରତର କୌଣସି ପ୍ରସ୍ତାବକୁ ଗ୍ରହଣ କରାଯାଇ ନାହିଁ। ତେଣୁ ଭାରତ ଏହାକୁ ଗ୍ରହଣ କରେ ନାହିଁ। ସୀମା ବିବାଦର ସମାଧାନ ପାଇଁ ଚୀନ ସହିତ ଭାରତ ୧୯୯୩ ପରଠାରୁ ଅନେକ ବୁଝାମଣା କରିଛି। ଏହିସବୁ ବୁଝାମଣାକୁ ଭାରତ ସମ୍ମାନ ଜଣାଇ ଆସୁଥିବାବେଳେ ଚୀନ ଏହାକୁ ସମ୍ମାନ ଦେଉ ନାହିଁ।

Comments are closed.