ଏଲଏସିରେ ସେନାର ବଡ଼ ସଫଳତା; କବ୍‌ଜାରେ ଆଉ ୬ ପାର୍ବତ୍ୟ ଶିଖର

ନୂଆଦିଲ୍ଲୀ : ପୂର୍ବ ଲଦାଖରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ତୀବ୍ର ଉତ୍ତେଜନା ଲାଗି ରହିଥିବାବେଳେ ଭାରତୀୟ ସେନା ମଜଭୁତ୍‌ ସ୍ଥିତିରେ ଥିବା ଜଣାପଡିଛି। ଗତ କିଛି ସପ୍ତାହ ମଧ୍ୟରେ ଭାରତୀୟ ସେନା ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ୬ଟି ପ୍ରମୁଖ ପାହାଡ଼କୁ ନିଜ ଅକ୍ତିଆରକୁ ନେଇଛି। ଚୀନ୍‌ ସେନା ପିପୁଲ୍ସ ଲିବରେସନ୍‌ ଆର୍ମି (ପିଏଲଏ) ଏହି ସବୁ ସ୍ଥାନରେ ପହଞ୍ଚି ଅଧିକାର କରିବା ପୂର୍ବରୁ ଭାରତୀୟ ଯବାନ ଏଠାରେ ନିଜର ଦୃଢ ସ୍ଥିତି ଜାହିର କରିଛନ୍ତି। ଭାରତୀୟ ସେନା ମଗର ହିଲ୍, ରିସେହେନ୍‌ ଲା, ରେଜାଙ୍ଗ ଲା, ମୁକ୍‌ପରୀ ଏବଂ ଫିଙ୍ଗର-୪ର ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ନିଜ ଅକ୍ତିଆରକୁ ନେଇଥିବାରୁ ପିଏଲଏ ଏନେଇ ବିବ୍ରତ ହୋଇପଡିଛି। ପୂର୍ବ ଲଦାଖର ଏସବୁ ପାର୍ବତ୍ୟ ଶିଖର ଅଧିକାର କରିବା ଦ୍ବାରା ଭାରତୀୟ ସେନା ଚୀନ୍‌ର ଯେ କୌଣସି ଚାଲ୍‌ବାଜୀକୁ ପ୍ରତିହତ କରିବାକୁ ସକ୍ଷମ ହୋଇପାରିବ। ଏହାହିଁ ଚୀନ୍‌ର ଚିନ୍ତା ବଢାଇ ଦେଇଛି। ପୂର୍ବରୁ ଏସବୁ ପାର୍ବତ୍ୟ ଶିଖରରେ କୌଣସି ସେନାର ଉପସ୍ଥିତି ନଥିଲା। ଚୀନ୍‌ ଏହାକୁ ଦଖଲ କରିବାକୁ ପ୍ରୟାସରତ ଥିବାବେଳେ ଭାରତୀୟ ସେନା ଏହା ପୂର୍ବରୁ ସେଠାରେ ସ୍ଥିତି ସୁଦୃଢ କରିପାରିଥିବା ସରକାରୀ ସୂଚତ୍ରରୁ ପ୍ରକାଶ। ଚୁସୁଲ ଅଞ୍ଚଳରେ ଭାରତୀୟ ସେନା ପୂର୍ବରୁ ବ୍ଲାକ୍‌ଟପ୍‌ ଓ ହେଲ୍‌ମେଟ୍‌ ଟପ୍‌କୁ ଅଧିକାର କରିଥିବାବେଳେ ଏବେ ପୁଣି ଆଉ ୬ଟି ପାର୍ବତ୍ୟ ଶିଖରରେ ନିଜର କବ୍‌ଜା ଜମାଇବା ଦ୍ବାରା ଚୀନ୍‌ ସେନାକୁ ଉପରୁ ରହି ସଫଳତାର ସହ ମୁକାବିଲା କରିପାରିବ। ରେଜାଙ୍ଗ ଲା ଓ ରିଚେନ୍‌ ଲା ନିକଟରେ ଚୀନ୍‌ ପକ୍ଷରୁ ଅତିରିକ୍ତ ୩୦ ହଜାର ସୈନ୍ୟ ଠୁଳ କରାଯାଇଥିବାବେଳେ ଭାରତ ପକ୍ଷରୁ ମଧ୍ୟ ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ମୁତୟନ କରାଯାଇଛି। ଉଭୟ ପକ୍ଷ ଏବେ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ସେନା ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ, ସିଡିଏସ୍‌ ଜେନେରାଲ ବିପିନ୍‌ ରାୱତ୍‌ ଏବଂ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରଭଣେ ଉତ୍ତମ ସମନ୍ବୟ ରଖି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଚୀନ୍‌ ଯେ କୌଣସି ସମୟରେ କିଛି ବି କରିପାରେ ବୋଲି ଆଶଙ୍କା ରହିଛି। ତେବେ ଭାରତୀୟ ସେନା ଏହାର ଦୃଢ ଜବାବ ଦେବା ଲାଗି ନିଜକୁ ପୂର୍ଣ୍ଣ ପ୍ରସ୍ତୁତ ରଖିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

Comments are closed.