ସାମ୍ବାଦିକଙ୍କ ପ୍ରସଙ୍ଗରେ ସରକାର ସମ୍ବେଦନଶୀଳ : ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ

ସମ୍ବଲପୁର – ସାମ୍ବାଦିକ ମାନଙ୍କ ପ୍ରସଙ୍ଗରେ ସରକାର ସମ୍ବେଦନଶୀଳ ବୋଲି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ କହିଛନ୍ତି । ମଙ୍ଗଳବାର ସମ୍ବଲପୁରର ମ୍ୟୁନିସିପାଲିଟି ଛକ ସ୍ଥିତ ସାମ୍ବାଦିକ ଭବନ ଠାରେ ଆୟୋଜିତ ମିଟ ଦି ପ୍ରେସ କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ସାହୁ କହିଛନ୍ତି । ସମ୍ବଲପୁର ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରମ ଓ ନିୟୋଜନ ମନ୍ତ୍ରୀ ସାହୁ ଯୋଗ ଦେଇ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁ ବର୍ଗର ନାଗରିକଙ୍କ ପ୍ରତି ସର୍ବଦା ସମ୍ବେଦନଶୀଲ ଅଛନ୍ତି । ସାମ୍ବାଦିକ ମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ସାଧାରଣ ଲୋକଙ୍କ ସହିତ ସରକାରଙ୍କ ସର୍ମ୍ପକ ଯୋଡିବା ସହିତ ବିଭିନ୍ନ ପ୍ରସଙ୍ଗ ଗୁଡିକୁ ପ୍ରଶାସନର ଦୃଷ୍ଟିକୁ ଆଣିବାରେ ଗଣମାଧ୍ୟମର ଭୂମିକା ପ୍ରଶଂସନୀୟ । ସାମ୍ବାଦିକ ମାନଙ୍କର ପରିଶ୍ରମ ଯୋଗୁଁ ବ୍ୟକ୍ତିତ୍ୱର ବିକାଶ ହୋଇଥାଏ । ମୁଖ୍ୟମନ୍ତ୍ରୀ ସାମ୍ବାଦିକ ମାନଙ୍କ କଲ୍ୟାଣ ପ୍ରତି ଯତ୍ନବାନ ଅଛନ୍ତି । ସାମ୍ବାଦିକ ବୀମା ଯୋଜନା ସେଥିମଧ୍ୟରୁ ଅନ୍ୟତମ ।

 

ପେନସନ ଯୋଜନା ସର୍ମ୍ପକରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଶ୍ରମ ମନ୍ତ୍ରୀ ସାହୁ କହିଥିଲେ । ସଂଘର ସଭାପତି ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ଦାଶ (ସମ୍ବଲପୁର) ଏବଂ ଶଙ୍କର ବଲ୍ଲଭ ମିଶ୍ର (ବରଗଡ) ଙ୍କୁ ପ୍ରଶସ୍ତିପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ସମ୍ମାନୀତ ଅତିଥି ରୂପେ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଅତିଥି ଙ୍କ ସହିତ ମଞ୍ଚାସୀନ ରହିଥିଲେ । ସଭାପତି ପାଣିଗ୍ରାହୀ ରାଜ୍ୟର ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବି ଗୁଡିକରେ ଉପରେ ଆଲୋଚନା କରି ପଶ୍ଚିମବଙ୍ଗ, ଆସାମ, ତ୍ରିପୁରା ଭଳି ରାଜ୍ୟରେ ସେହି ରାଜ୍ୟ ସରକାର ମାନଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ସାମ୍ବାଦିକ ପେନସନ ଯୋଜନା ଓଡିଶାରେ ଲାଗୁ କରିବା ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂଘର ବରିଷ୍ଠ ସଦସ୍ୟ କିଶୋର କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଶଙ୍କର ବେହେରା ଓ ପୁଷ୍ପା ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Comments are closed.