ବେଆଇନ କ୍ରସର ବ୍ଲାଷ୍ଟିଂରେ ଶ୍ରମିକଙ୍କ ମୃତ୍ୟୁ

ବେଲଗାଁ: ସଇଁନ୍ତଲା ଥାନା ଅନ୍ତର୍ଗତ ଏକ କ୍ରସରରେ ବେଆଇନ ବ୍ଲାଷ୍ଟି ସମୟରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ସମ୍ପୃକ୍ତ କ୍ରସର ମାଲିକ ନିଜର ପ୍ରଭାବ ନେଇ ପୁଲିସକୁ ନଜଣାଇବାକୁ ସମ୍ପୃକ୍ତ ପରିବାରଙ୍କୁ ଧମକ ଚକମ ଦେଇଥିବା ଜଣାଯାଇଛି। ଏନେଇ ଶ୍ରମିକଙ୍କ ମୃତଦେହକୁ କ୍ରସର ମାଲିକଙ୍କ ପ୍ରରୋଚନାରେ ପୋଡି ମଧ୍ୟ ଦେଇଥିବା ଜଣାଯାଇଛି। ଘଟଣା ପ୍ରଘଟ ହେବା ପରେ ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶରେ ସଇଁନ୍ତଲା ପୁଲିସ ମାମଲା ରୁଜୁ କରି ତଦନ୍ତ ଜୋରଦାର କରିଛି। ସୁଚନା ଯେ ସଇଁନ୍ତଲା ଥାନା ମହଗାଁ ଠାରେ ସଇଁନ୍ତଲାର ଠିକାଦାର ତଥା କ୍ରସର ମାଲିକ ଗଜାନନ ଅଗ୍ରୱାଲ ଅବାଧ କାରବାର ଚଲାଇ ଆସିଛନ୍ତି। ଜାତୀୟ ରାଜପଥ କଡରେ ବିରାଟ କ୍ରସର ସହ ବେଆଇନ ଭାବରେ ବ୍ଲାଷ୍ଟିଂ କରାଯାଉଛି। ତେବେ ୧୯ ତାରିଖର ସନ୍ଧ୍ୟାରେ ବେଆଇନ ଭାବରେ ପଥର ବ୍ଲାଷ୍ଟିଂ ସମୟରେ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଖଗେଶ୍ୱର ରଣାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।

ଏନେଇ କ୍ରସର ମାଲିକ କିଛି ଟଙ୍କା ବଦଳରେ ମାମଲାକୁ ରଫାଦଫା କରିବା ଉଦ୍ୟମ କରିଥିଲେ। ଏପରିକି ପୁଲିସକୁ ନଜଣାଇ ଏବଂ ଶବ ବ୍ୟବଚ୍ଛେଦ ମଧ୍ୟ ନକରି ମୃତଦେହକୁ ପୋଡି ଦିଆଯାଇଥିବା ଅଭିଯୋଗ ହୋଇଛି। ଘଟଣା ନେଇ ସଇଁନ୍ତଲା ଥାନାରେ କେସ ନମ୍ବର ୪୩/୨୦ ରୁଜୁ ସହ ଅଧିକ ତଦନ୍ତ ଜାରି ରହିଥିବା ଆଇଆଇସି ବାରିଣୀ ଦାସ ସୁଚନା ଦେଇଛନ୍ତି। ଅନ୍ୟପକ୍ଷରେ ଜାତୀୟ ରାଜପଥ ୨୬ କଡରେ ସମସ୍ତ ନୀତି ନିୟମକୁ ଉଲଙ୍ଘନ କରି ବେଆଇନ ଭାବରେ କ୍ରସର ଚଲାଇବା ସହ ବ୍ଲାଷ୍ଟିଂ ନେଇ ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଏନେଇ ସଇଁନ୍ତଲା ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗଙ୍କୁ ଯୋଗାଯୋଗ କରିବାରୁ ଉକ୍ତ କ୍ରସର ବନ୍ଦ କରିଦିଆଯିବ ବୋଲି କହିଛନ୍ତି। ଏନେଇ ସମ୍ପୃକ୍ତ କ୍ରସର ମାଲିକଙ୍କ ବିରୁଦ୍ଧରେ ଦୃଡ କାର୍ଯ୍ୟାନୁଷ୍ଠାନ ସହ ମୃତ ଶ୍ରମିକଙ୍କ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ସଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ମାଝୀ ଦାବି କରିଛନ୍ତି।

Comments are closed.