ଦାଦନ ରୋକିବାକୁ ଆକ୍ସନ ପ୍ଲାନ, ଜାନୁଆରୀରୁ ୫ଟି ଏବଂ ମୋ ସରକାର ଅଧିନକୁ ଆସିବ ଶ୍ରମ ବିଭାଗ

ଭୁବନେଶ୍ବର: ଦାଦନ ଶ୍ରମିକ ରୋକିବାକୁ ଶ୍ରମ ବିଭାଗ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି। କିନ୍ତୁ ରାଜ୍ୟରେ ଦାଦନ ସମସ୍ୟା କମ୍ ହେବାର ନାଁ ନେଉନାହିଁ। ଏଣୁ କିପରି ଦାଦନ ରୋକାଯିବ ଏନେଇ ରାଜ୍ୟ ସରକାର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ରଜ୍ୟର ୧୧ଟି ଜିଲାକୁ ଦାଦନ ପ୍ରବଣ ଜିଲା ଭାବେ ଚିହ୍ନଟ କରାଯାଇଛି। ଏହି ଜିଲାମାନଙ୍କରେ ଥିବା ଦଲାଲଙ୍କ ଉପରେ ନଜର ରଖାଯାଇଛି ଏବଂ ଧରା ପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଦାଦନ ଶ୍ରମିକ ମାନଙ୍କ ସାହାର୍ଯ୍ୟ ପାଇଁ ରାଜ୍ୟ ସରକାର ୫ ଟି ରାଜ୍ୟରେ ହେଲ୍ପଡେସ୍କ ଖୋଲିଛନ୍ତି। ଏହି ୫ଟି ରାଜ୍ୟ ହେଲା ଦିଲ୍ଲୀ,ଆନ୍ଧ୍ରପ୍ରଦେଶ,କର୍ଣ୍ଣାଟକ,ତାମିଲନାଡୁ ଏବଂ ତେଲେଙ୍ଗାନା। ଅନ୍ୟରାଜ୍ୟ ମାନଙ୍କରେ ମଧ୍ୟ ହେଲ୍ପଡେସ୍କ ଖୋଲିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ଜଣାପଡିଛି।

ଏଥିସହିତ ୨୦୨୦ ଜାନୁଆରୀରୁ ୫ଟି ଏବଂ ମୋ ସରକାର ଅଧୀନକୁ ଶ୍ରମ ବିଭାଗ ଆସିବ ବୋଲି  ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂହ ସୂଚନାଦେଇଛନ୍ତି। ଏଥିପାଇଁ ଶ୍ରମ ବିଭାଗ ସମସ୍ତ ଜିଲା ଶ୍ରମ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି। ବିଦେଶରେ ରହୁଥିବା ଓଡିଆ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାର ବ୍ଲୁ ପ୍ରିଂଟ ପ୍ରସ୍ତୁତ କରୁଥିବା ଜଣାପଡିଛି। ବିଦେଶରେ ରହୁଥିବା ଶ୍ରମିକ ମାନଙ୍କ ପାଇଁ ଦିଲ୍ଲୀରେ ଏକ ଅଫିସ ଖୋଲିବ ଏବଂ ବିଦେଶ ମନ୍ତ୍ରଣାଳୟ ସହଯୋଗରେ ବିଦେଶରେ ରହୁଥିବା ଓଡିଆ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ। ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି।

Comments are closed.