ପଞ୍ଜାବ ହାତକୁ ମ୍ୟାଚ୍‌ ଟେକିଦେଲା ହାଇଦରାବାଦ

ଦୁବାଇ : ଚଳିତ ଆଇପିଏଲ୍‌ରେ ଶନିବାର ୨ୟ ମ୍ୟାଚ୍‌ ଜିତିବା ପାଇଁ ସନ୍‌ରାଇଜର୍ସ ହାଇଦରାବାଦ ୧୦ଟିଯାକ ୱିକେଟ ହାତରେ ଥାଇ ୮୪ ବଲ୍‌ରୁ ୭୫ ରନ୍ ଆବଶ୍ୟକ କରୁଥିଲା। ତେବେ ପରବର୍ତ୍ତୀ ୮୩ ବଲ୍‌ରେ ୬୨ ରନ୍‌କରି ୧୦ଟି ୱିକେଟ ହରାଇ କିଙ୍ଗ୍‌ସ ଏକାଦଶ ପଞ୍ଜାବ ହାତକୁ ମ୍ୟାଚ୍ ଟେକି ଦେଇଥିଲା ସନ୍‌ରାଇଜର୍ସ। ଏହି କମ୍ ସ୍କୋର୍‌ର ମ୍ୟାଚ୍‌ରେ ୧୨ ରନ୍‌ରେ ପଞ୍ଜାବ ବିଜୟୀ ହୋଇଛି। ୨୦ ଓଭରରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ୭ ୱିକେଟ ହରାଇ ମାତ୍ର ୧୨୬ ରନ୍ କରିଥିଲା। ପରେ ଦୟନୀୟ ବ୍ୟାଟିଂକରି ଗୋଟିଏ ବଲ୍‌ ବାକିଥାଇ ସନ୍‌ରାଇଜର୍ସ ୧୧୪ ରନ୍‌ରେ ଅଲ୍ଆଉଟ ହୋଇ ଯାଇଥିଲା। ୧୧ଶ ମ୍ୟାଚ୍‌ରେ ୫ମ ବିଜୟ ପରେ ୫ମ ସ୍ଥାନରେ ଥିବା ପଞ୍ଜାବ ପ୍ଲେଅଫ୍ ଆଶା ବଜାୟ ରଖିଛି। ୧୧ଶ ମ୍ୟାଚ୍‌ରେ ୭ମ ପରାଜୟ ପରେ ସନ୍‌ରାଇଜର୍ସ ଚିନ୍ତାରେ ପଡ଼ିଯାଇଛି।
ସନ୍‌ରାଇଜର୍ସ ହାଇଦରାବାଦ ଟସ୍‌ ଜିତି ଫିଲ୍‌ଡିଂ କରିଥିଲା। କିଙ୍ଗ୍‌ସ ଏକାଦଶ ପଞ୍ଜାବର ଓପ୍‌ନର ୫ ଓଭର ପର୍ଯ୍ୟନ୍ତ ରହି ୩୭ ରନ୍ ଯୋଡ଼ିବା ପରେ ମନ୍‌ଦୀପ ସିଂହ ଆଉଟ ହୋଇଥିଲେ। ମନ୍‌ଦୀପ ୧୪ ବଲ୍‌ରୁ ଗୋଟିଏ ଚୌକା ସହ ୧୭ ରନ୍ କରିଥିଲେ। ଅଧିନାୟକ କେ.ଏଲ୍‌. ରାହୁଲ ଓ କ୍ରିସ୍ ଗେଲ୍‌ ୨ୟ ୱିକେଟ ପାଇଁ ୫ ଓଭରରେ ୨୯ ରନ୍‌ ଯୋଡ଼ିବା ପରେ ଗେଲ୍‌ ବିଦାୟ ନେଇଥିଲେ। ବାମହାତି ଗେଲ୍‌ ୨୦ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୦ ରନ୍ କରିଥିଲେ। ପରବର୍ତ୍ତୀ ବଲ୍‌ରେ ରାହୁଲ ବୋଲ୍‌ଡ ହୋଇଥିଲେ। ରାହୁଲ ୨୭ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୭ ରନ୍ କରିଥିଲେ। ୬୬ ରନ୍‌ରେ ପଞ୍ଜାବ ୩ଟି ୱିକେଟ ହରାଇବା ପରେ ଗ୍ଲେନ୍‌ ମ୍ୟାକ୍ସୱେଲ ବେପରୁଆ ସଟ୍‌ ଖେଳି ଆଉଟ ହୋଇଥିଲେ। ତାଙ୍କ ବିଫଳତା ଧାରା ଜାରିରଖି ମ୍ୟାକ୍ସୱେଲ ୧୩ ବଲ୍‌ରୁ ୧୨ ରନ୍‌ କରିଥିଲେ। ନିୟମିତ ୱିକେଟ ହରାଇବା ଯୋଗୁଁ କିଙ୍ଗ୍‌ସ ଏକାଦଶ ପଞ୍ଜାବର ରନ୍‌ଗତି ଧିମା ହୋଇ ଯାଇଥିଲା। ନିକୋଲାସ୍ ପୁରନ୍ ତାଙ୍କର ସ୍ବାଭାବିକ ଆକ୍ରମଣାତ୍ମକ ବ୍ୟାଟିଂ କରି ପାରିନଥିଲେ। କ୍ରିସ୍ ଜୋର୍ଡାନ୍ ୭ ରନ୍ କରିଥିଲେ। ୧୦ ଓଭର କ୍ରିଜ୍‌ରେ ରହି ପୁରନ୍ ୨୮ ବଲ୍‌ରୁ ୨ଟି ଚୌକା ସହ ୩୨ ରନ୍ କରିଥିଲେ। ସନ୍ଦୀପ ଶର୍ମା, ଜେସନ୍ ହୋଲ୍‌ଡର ଓ ରସିଦ୍ ଖାଁ ୨ଟି ଲେଖାଏଁ ୱିକେଟ ନେଇଥିଲେ।
୧୨୭ ରନ୍ ଲକ୍ଷ୍ୟରେ ସନ୍‌ରାଇଜର୍ସ ହାଇଦରାବାଦର ଦୁଇ ବିଦେଶୀ ଓପ୍‌ନର ଦ୍ରୁତଗତିରେ ଇନିଂସ ଆରମ୍ଭ କରିଥିଲେ। ୬ ଓଭରର ପାୱରପ୍ଲେ ଶେଷରେ ସନ୍‌ରାଇଜର୍ସ ୫୨ ରନ୍ କରିଥିଲା। ୫୬ ଓଭରର ଓପ୍‌ନିଂ ଭାଗିଦାରୀ ପରେ ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ୧୯ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୫ ରନ୍‌କରି ବିଦାୟ ନେଇଥିଲେ। ପରେ ଅନ୍ୟ ଓପ୍‌ନର ଜନି ବେୟାର​‌େ​‌ଷ୍ଟା ୨୦ ବଲ୍‌ରୁ ୪ଟି ଚୌକା ସହ ୧୯ ରନ୍‌କରି ବିଦାୟ ନେଇଥିଲେ। ଅବ୍‌ଦୁଲ ସମାଦ୍ ୭ ରନ୍‌କରି ଆଉଟ ହୋଇଥିଲେ। ପରେ ମନୀଷ ପାଣ୍ଡେ ଓ ବିଜୟ ଶଙ୍କର ଦଳକୁ ଲକ୍ଷ୍ୟ ଆଡ଼କୁ ନେଇ ଯାଇଥିଲେ। ୪ ଓଭରରୁ ୨୮ ରନ୍ ଆବଶ୍ୟକ ଥିବା ବେଳେ ପଞ୍ଜାବ ୧୪ ରନ୍‌କରି ୭ଟି ୱିକେଟ ହରାଇ ଅଲ୍‌ଆଉଟ ହୋଇ ଯାଇଥିଲେ। ପାଣ୍ଡେ ୨୯ ବଲ୍‌ରୁ ୧୫ ରନ୍‌କରି ଆଉଟ୍‌ ହୋଇ ଯାଇଥିଲେ। ବିଜୟ ଶଙ୍କର ୨୭ ବଲ୍‌ରୁ ୨୬ ରନ୍‌କରି ଆଉଟ ହୋଇଥିଲେ। ୧୯ଶ ଓଭରରେ କ୍ରମାଗତ ୨ଟି ବଲ୍‌ରେ ଜେସନ୍ ହୋଲ୍‌ଡର ଓ ରାସିଦ୍ ଖାଁ ଆଉଟ ହୋଇଥିଲେ। ଶେଷ ଓଭରରୁ ୧୪ ରନ୍ ଆବଶ୍ୟକ ଥିବା ବେଳେ ୫ଟି ବଲ୍‌ରେ ୩ଟି ୱିକେଟ ପଡ଼ିଥିଲା। ଅର୍ସଦୀପ ସିଂହ ଓ କ୍ରିସ୍ ଜୋର୍ଡାନ୍ ୩ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.