କୁଟିଆ କନ୍ଧଙ୍କ ଜଙ୍ଗଲୀ ଜୀବନ – ୪୨ ବର୍ଷରେ କୋଟି କୋଟି ଖର୍ଚ୍ଚ, ବଦଳିନି ସ୍ଥିତି

ତୁମୁଡ଼ିବନ୍ଧ: ଓଡିଶାର ୧୭ଟି ଜିଲାରେ ୧୩ ପ୍ରକାର ଆଦିମ ଜନଜାତି ବସବାସ କରନ୍ତି। ସେମାନଙ୍କ ସର୍ବାଙ୍ଗନ ବିକାଶ ନିମନ୍ତେ ସରକାର ସ୍ୱତନ୍ତ୍ର ଯୋଜନା କରିଛନ୍ତି। ଏହି ୧୩ଟି ଆଦିମ ଜନଜାତି ମଧ୍ୟରୁ କନ୍ଧମାଳ ଜିଲାର ତୁମୁଡ଼ିବନ୍ଧ ବ୍ଲକରେ ବସବାସ କରୁଥିବା କୁଟିଆକନ୍ଧ ଅନ୍ୟତମ। ସୂଚନା ମୁତାବକ ତୁମୁଡିବନ୍ଧ ବ୍ଲକର ୧୧ଟି ପଞ୍ଚାୟତ ମଧ୍ୟରୁ ୮ଟିରେ ପ୍ରାୟ ୧୦ ହଜାର କୁଟିଆ କନ୍ଧ ବସବାସ କରନ୍ତି। ବିଶେଷତଃ ଏମାନେ ପାହାଡି ଆଦିବାସୀ ଭାବେ ପରିଚିତ। ପାହାଡ ପର୍ବତ ସେମାନଙ୍କ ପାଇଁ ସବୁକିଛି। ଘଞ୍ଚ ଜଙ୍ଗଲ ଭିତରେ ଗଢି ଉଠିଥିବା ଗାଁ ଗଣ୍ଡାରେ ଏମାନେ ବସବାସ କରନ୍ତି। ହିଂସ୍ରଜନ୍ତୁଙ୍କ ସହ ଏମାନଙ୍କ ନିତିଦିନିଆ ଆତଯାତ। ଏହି ଜନଜାତି ନିକଟରେ ସରକାରୀ ଯୋଜନା ଏକ ପ୍ରକାର ବାଟବଣା। ଶିକ୍ଷା, ସ୍ବସ୍ଥ୍ୟ, ଗମନାଗମନ ଏବଂ ସାମାଜିକ ନିରାପତ୍ତା ବିପନ୍ନ। ଏମାନଙ୍କର ସର୍ବାଙ୍ଗୀନ ବିକାଶ କରି ଜାତୀୟ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଗଠନ ହୋଇଛି କୁଟିଆ କନ୍ଧ ଉନ୍ନୟନ ସଂସ୍ଥା (କେକେଡିଏ)। ଏହି ସରକାରୀ ସଂସ୍ଥାର କାର୍ୟ୍ୟାଳୟ ବେଲଘରରେ ରହିଛି।

୮ଟି କୁଟିଆ କନ୍ଧ ବହୁଳ ପଞ୍ଚାୟତ ମଧ୍ୟରୁ ମାତ୍ର ୩ଟି ପଞ୍ଚାୟତ ବେଲଘର, ଗୁମା, ବିଲାମାଳ ଏବଂ କୋଟଗଡ ବ୍ଲକର ଦୁର୍ଗାପଙ୍ଗା ପଞ୍ଚାୟତର ମୋଟ ୭୫ଟି ଗ୍ରାମର ପ୍ରାୟ ୪୮୦୦ କୁଟିଆ କନ୍ଧଙ୍କ ଉନ୍ନୟନ ଦାୟିତ୍ୱ ନେଇଥିବା ଏହି ସଂସ୍ଥା ୧୯୭୮ ମସିହା ଜୁନ ୧୬ ତାରିଖରେ ତାର କାର୍ୟ୍ୟାରମ୍ଭ କରିଥିଲା। ଏହି ସଂସ୍ଥା ଗଠନକୁ ପ୍ରାୟ ୪୨ ବର୍ଷ ବିତି ଯାଇଛି। କୁଟିଆ କନ୍ଧଙ୍କ ବିକାଶ ନିମନ୍ତେ ଏସ୍ସିି ଟୁ ଟିଏସ୍ପିା, ସିସିଡି, ମନରେଗା, ଆଇଫ୍ଏାଡି ଜରିଆରେ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଶତାଧିକ କୋଟି ଟଙ୍କା ୪୨ ବର୍ଷ ଭିତରେ ଖର୍ଚ୍ଚ ହୋଇଥିଲେ ମଧ୍ୟ ଜନଜାତିଙ୍କ ଅବସ୍ଥା ଯଥା ପୂର୍ବ ତଥା ପରଂ।

ଆଜି ମଧ୍ୟ ଅଧିକାଂଶ କୁଟିଆ ଗାଁକୁ ଗମନାଗମନ ପାଇଁ ଭଲ ରାସ୍ତାଟିଏ ନାହିଁ। ଗ୍ରାମକୁ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ସାତ ସପନ ହୋଇ ରହିଛି। ଗର୍ଭବତୀ ମହିଳା ଓ ରୋଗାଗ୍ରସ୍ତଙ୍କୁ ଡାକ୍ତରଖାନାକୁ ଖଟିଆରେ ହିଁ ବୁହାଯାଉଛି। ଏକାଧିକ ଗ୍ରାମରେ ବିଦ୍ୟାଳୟ ଥିଲେ ଶିକ୍ଷକ ରୁହନ୍ତି ନାହିଁ। ଘଞ୍ଚ ଜଙ୍ଗଲ ଭିତରେ ରହିବାକୁ ପସନ୍ଦ କରନ୍ତିନି ଶିକ୍ଷକ କିମ୍ବା କୌଣସି ସରକାରୀ ବାବୁ। ସ୍ୱଚ୍ଛ ପାନୀୟ ଜଳ ଏମାନଙ୍କ ପାଇଁ କେବଳ ଘୋଷଣାରେ ସୀମିତ । କୁକୁର, ଘୁଷୁରି ଭଳି ଗୃହପାଳିତ ପଷୁପକ୍ଷୀଙ୍କ ସହ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଏମାନେ ଜୀବନ ବିତାଉଛନ୍ତି। ସ୍ୱାସ୍ଥ୍ୟବୀମା ଯୋଜନାରେ ଅଧିକାଂଶ ଲୋକ ଅନ୍ତର୍ଭୁକ୍ତ ହୋଇନାହାନ୍ତି । ଏକର ଏକର ପାହାଡ ଓ ଜଙ୍ଗଲ କାଟି ମାଣ୍ଡିଆ, କୁଏରି , ଧାନ ଝୁଡୁଙ୍ଗ , କଟିଙ୍ଗ, କାଙ୍ଗୁ , ମକା ଆଦି ପାରମ୍ପରିକ ଫସଲ କରି ଏମାନେ ବଞ୍ଚନ୍ତି। ବର୍ଷର ଅର୍ଦ୍ଧାଧିକ ଦିନ ଗ୍ରାମରେ ନରହି ଏହି ଜନଜାତିର ଲୋକେ ମଞ୍ଚା କରି ଜଙ୍ଗଲରେ ରହୁଛନ୍ତି।

କେକେଡିଏର ସ୍ୱତନ୍ତ୍ର ଅଧିକାରୀ ରଣୁଧର ନାୟକଙ୍କ ସୂଚନା ମୁତାବକ ଆର୍କେେଭିୱାଇ, ଆଇଏଫ୍ଏଡଡି ଏବଂ ସିସିଡିରେ ପ୍ରତିବର୍ଷ ହାରାହାରି ଆସୁଥିବା ୧୦କୋଟି ଅନୁଦାନକୁ ବିଭିନ୍ନ ଉପାୟରେ ଖର୍ଚ୍ଚ କରାଯାଉଛି। ଆଳୁ, କଦଳୀ, ଲିଚୁ, କାଜୁ, ଆମ୍ବ ଏବଂ ଅନ୍ୟାନ୍ୟ ପନିପରିବା ଚାଷ ସହ କୁକୁଡା, ଛେଳି ପାଳନକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି। କୁଟିଆ କନ୍ଧ ଗ୍ରାମର ପ୍ରବେଶ ଦ୍ୱାରରେ କମିଟି ଗୃହ ନିର୍ମାଣ କରାଯାଇ ଗାଁ ଉନ୍ନୟନ କମିଟିକୁ ହସ୍ତାନ୍ତର କରାଯାଇଛି। କଂକ୍ରିଟ ରୋଡ୍‍ ନିର୍ମାଣ ସହ ଧରଣିପେନୁ ପାଇଁ ପୂଜା ମଣ୍ଡପ ନିର୍ମାଣ ହୋଇଛି। ଗରିବ, ବିକଳାଙ୍ଗ ଲୋକଙ୍କୁ ବ୍ୟବସାୟ ନିମନ୍ତେ ୨୫ହଜାର ଟଙ୍କା ପର୍ୟ୍ୟନ୍ତ ସହାୟତା ରାଶି ଯୋଗାଇ ଦିଆଯାଉଛି। ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ ୨୦ହଜାର ପର୍ୟ୍ୟନ୍ତ ଆର୍ଥିକ ସହାୟତା ଦିଆଯାଉଛି।

ଉଚ୍ଚଶିକ୍ଷିତ ବେକାରୀଙ୍କୁ ମାଗଣାରେ ଦକ୍ଷତା ଭିତ୍ତିକ ଶିକ୍ଷା ଆହରଣ ପାଇଁ ଭୁବନେଶ୍ୱର ପଠାଯାଉଛି। ଦକ୍ଷତା ଅନୁଯାୟୀ ବେଙ୍ଗାଲୁର, ଚେନ୍ନାଇ ଭଳି ରାଜ୍ୟ ବାହାରେ କମ୍ପାନୀ ଗୁଡିକରେ ଥଇଥାନ ମଧ୍ୟ କରାଯାଉଛି। ଅଶିକ୍ଷିତ କୁଟିଆଙ୍କୁ ଡ୍ରାଇଭିଙ୍ଗ୍‍ ଟ୍ରେନିଙ୍ଗ ଦିଆଯାଉଛି। ୭୫ଟି ସଂୟସହାୟକ ଗୋଷ୍ଠୀଙ୍କୁ ଶିଆଳି ଖଲି ସିଲେଇ ତାଲିମ ଏବଂ ଖଲି ସିଲେଇ ମେସିନ ମାଗଣାରେ ଯୋଗାଇ ଦିଆଯାଉଛି। ଦକ୍ଷ ଚାଷୀଙ୍କୁ ପାୱାର ଟିଲର, ପାଣି ପମ୍ପ ମଧ୍ୟ ଯୋଗାଇ ଦିଆଯାଉଛି। ଗ୍ରାମ ଗୁଡିକରେ ସୋଲାର ଲାଇଟ୍‍, ସୋଲାର ପାଣି ଟାଙ୍କି ବ୍ୟବସ୍ଥା କରାଯାଇଛି। ମନରେଗା ଯୋଜନା ସିଧାସଳଖ କନ୍ଧମାଳ ଜିଲାପାଳ ତଦାରଖ କରିଥାନ୍ତି ବୋଲି କେକେଡିଏ ସ୍ବତନ୍ତ୍ର ଅଧିକାରୀ ରେଣୁଧର ନାୟକ ସୂଚନା ଦେଇଛନ୍ତି। କେକେଡିଏ ତାର ଗୁଣଗାନ କରିଥିଲେ ମଧ୍ୟ ବାସ୍ତବ ଚିତ୍ର କିନ୍ତୁ ଓଲଟା। ୭୫ଟି କୁଟିଆ କନ୍ଧ ଗାଁରେ କୌଣସି ଆଖିଦୃଶିଆ ବିକାଶ ହୋଇନଥିବା ଦେଖିବାକୁ ମିଳିଛି। ୨୦୧୭ ମସିହାରୁ କେ.କେ.ଡି.ଏ ଅଧିନରେ ସୌରଭ ନାମକ ଏକ ବେସକାରୀ ସଂସ୍ଥା ଜରିଆରେ ବିକାଶ କାର୍ୟ୍ୟ ଏହି ଅଞ୍ଚଳରେ କରାଯାଉଛି।

ଏକବିଶଂ ଶତାବ୍ଦୀ ବିକାଶଶୀଳ ଯୁଗରେ କୁଟିଆକନ୍ଧଙ୍କ ଏଭଳି ଦୁର୍ଦଶା ଦେଖି ପ୍ରଶ୍ନ ଉଠେ ୪୨ ବର୍ଷର କୁଟିଆ କନ୍ଧ ଉନ୍ନୟନ ସଂସ୍ଥା କାହା ପାଇଁ? କେବେ ହେବ କୁଟିଆଙ୍କ ବିକାଶ ? ଯେଉଁ ଆଭିମୁଖ୍ୟ ନେଇ ଏହି ସଂସ୍ଥା ସ୍ଥାପିତ ହୋଇଥିଲା ତାହାର ସଫଳ ରୂପାୟନ ହେଇଥିଲେ ବର୍ଷକରେ ଗୋଟିଏ ଗାଁ ହିସାବରେ ଅନ୍ତତଃ ୪୨ଟି ଗାଁର ବିକାଶ ହୋଇପାରିଥାନ୍ତା। ନିରୀହ ସରଳ କୁଟିଆ କନ୍ଧଙ୍କ ବିକାଶ ଅର୍ଥକୁ ଲୁଟି ଖାଇଯାଇଛନ୍ତି ଅଧିକାରୀ ଗଣ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପୂର୍ବତନ ବାଲିଗୁଡା ବିଧାୟକ କରେନ୍ଦ୍ର ମାଝି। ବ୍ୟୟ ହୋଇଥିବା ଅର୍ଥ ତୁଳନାରେ ପାଞ୍ଚ ପ୍ରତିଶତ ବିକାଶ ହୋଇନଥିବା ଶ୍ରୀ ମାଝୀ ଆରୋପ କରିଛନ୍ତି।

Comments are closed.