କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବାହ୍ନରେ ଉତ୍ତର ପ୍ରଦେଶରେ କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦରକୁ ଉଦଘାଟନ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ସମଗ୍ର ବିଶ୍ୱରେ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ କୁଶୀନଗର ଏକ ପ୍ରମୁଖ ତୀର୍ଥସ୍ଥଳ । ଏହି ସ୍ଥାନରେ ଭଗବାନ ବୁଦ୍ଧ ମହାପରିନିର୍ବାଣ ପ୍ରାପ୍ତି ହୋଇଥିଲେ । ଏହା ଭାରତର ଅନ୍ୟତମ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ନତାତ୍ୱିକ ସ୍ଥଳ ଭାବରେ ପରିଗଣିତ ହେଉଛି । ଏହାର ଉଦଘାଟନ ଅବସରରେ ଶ୍ରୀଲଙ୍କାର ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ କଲମ୍ବୋରୁ ଆସି କୁଶୀନଗରରେ ପହଞ୍ଚିଥିଲେ । ଏହି ଦଳରେ ଶତାଧିକ ବୌଦ୍ଧ ସନ୍ନ୍ୟାସୀ ଏବଂ ଶ୍ରୀଲଙ୍କାର ପାଞ୍ଚଜଣ ମନ୍ତ୍ରୀ ଅନ୍ତର୍ଭୁକ୍ତ ଅଛନ୍ତି । କୁଶୀନଗର ଉତ୍ତର ପ୍ରଦେଶର ଉତ୍ତର ପୂର୍ବ ଭାଗରେ ଗୋରଖପୁର ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣରେ ପ୍ରାୟ ୨୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ବିମାନ ବନ୍ଦର ଉତ୍ତର ପ୍ରଦେଶ ଓ ବିହାରର ନିକଟବର୍ତ୍ତୀ ଜିଲାଗୁଡିକ ସକାଶେ ଗମନାଗମନର ଏକ ପ୍ରମୁଖ ସ୍ଥଳ ହେବା ସହିତ ଏହା ଉକ୍ତ ଅଞ୍ଚଳରେ ପୁଞ୍ଜିନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

Comments are closed.