ଚୁଟିଆପଶିରେ କୁରାଳ ପଞ୍ଚମୀ ଉତ୍ସବ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ଚୁଟିଆପଶି ଗ୍ରାମରେ ବୁଧବାର ଠାରୁ ୭୮ତମ କୁରାଳ ପଞ୍ଚମୀ ଉତ୍ସବ ଆରମ୍ଭ ହୋଇଛି । ମାର୍ଗଶିର ମାସ ଶୁକ୍ଳ ପକ୍ଷ ପ୍ରଥମ ପ୍ରତିପଦ ଠାରୁ ପଞ୍ଚମୀ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଏହି ପର୍ବ ପାଳିତ ହୋଇଥାଏ । କୁମ୍ଭକାର ସମ୍ପ୍ରଦାୟର ଏହି କୁରାଳ ପଞ୍ଚମୀରେ ଇଷ୍ଟଦେବତା ରୁଦ୍ରପାଳ ଓ ଇଷ୍ଟଦେବୀ ରତନେଶ୍ୱରୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ପ୍ରଥମ ଦିନରେ ଠାକୁରଙ୍କ ଘଟ ସ୍ଥାପନ କରିବା ପରେ ପୂଜା ମଣ୍ଡପରେ ବିରାଜିତ ହୁଅନ୍ତି ନିରାକାର ମହାପ୍ରଭୁ ରୁଦ୍ରପାଳ, ରତନେଶ୍ୱରୀ ଓ ସୁଦର୍ଶନ ଚକ୍ର । ଏହି କୁରାଳ ପଞ୍ଚମୀ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବା ସହ ବିଭିନ୍ନ ଜାତିର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଭାଇଚାରାର ସମ୍ପର୍କ ନେଇ ନିରାମୟ ନିରାକାରଙ୍କ ଦର୍ଶନଲାଭ କରିଥାନ୍ତି । ପ୍ରଥମ ଦିନ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଧୀରେନ ମହାନ୍ତିଙ୍କ ସମେତ କଳାକାର ଉତ୍ତମ ସେଠୀ, ନରୋତ୍ତମ ସେଠୀ, ବିଜେଡି ଉପସଭାପତି ବିଜୟ କୁମାର ଖଟୁଆ, ପିଇଓ ସୁବ୍ରତ ସେଠୀ, ସରପଞ୍ଚ ବିଜୟ ପଇଦା, ଜିଆର ଏସ ସୁଦର୍ଶନ ପୃଷ୍ଟି, ସ୍ୱେଚ୍ଛାସେବୀ ପରମାନନ୍ଦ ମହାନ୍ତ ପ୍ରମୁଖ ଯୋଗଦାନ କରି ଏହି ପର୍ବକୁ ଉତ୍ସବ ମୁଖର କରିଥିଲେ।

Comments are closed.