ପୂଜ୍ୟ ପ୍ରଣାମ : କୁନ୍ତଳା କୁମାରୀ ଝରା ଶେଫାଳି

ଆଜି ଜୟନ୍ତୀ

ବିଂଶ ଶତାବ୍ଦୀର ତ୍ରିଦଶକରେ ଓଡ଼ିଶାର ସାରସ୍ବତ ଜଗତରେ କୁନ୍ତଳା କୁମାରୀ ସାବତ ଏକ ଉଦ୍ଦାତ୍ତ ଉଚ୍ଚାରଣ । ଏକଧାରରେ ସେ ଚିକିତ୍ସାବିତ୍‌, ସାହିତ୍ୟିକା, ନେତ୍ରୀ, ସଙ୍ଗଠିକା, ସମାଜସେବୀ, ପତ୍ରପତ୍ରିକାର ସମ୍ପାଦିକା ଓ ସୁବକ୍ତା ଥିଲେ । ବହୁମୁଖୀ ପ୍ରତିଭାର ଅଧିକାରିଣୀ ବିଦୁଷୀ କୁନ୍ତଳାକୁମାରୀ ୧୯୦୦ ମସିହା ଫେବୃଆରୀ ୮ ତାରିଖ ମଧ୍ୟପ୍ରଦେଶର ବସ୍ତର ଜିଲା ଜଗଦ୍ଦଳପୁରଠାରେ ଜନ୍ମଗ୍ରହଣ କରିଥିଲେ। ଜୀବନର ପ୍ରଥମ ୧୫ ବର୍ଷ ଯାଏ ସେ ସୁଦୂର ବର୍ମାରେ ପ୍ରତିପାଳିତ ହୋଇଥିଲେ। ବର୍ମାରୁ ଫେରି ପରବର୍ତ୍ତୀ ୧୪ ବର୍ଷ ଓଡ଼ିଶାରେ ଅବସ୍ଥାନ ଓ ଶେଷ ଦଶବର୍ଷ ଦିଲ୍ଳୀରେ ର୍କମସଂସ୍ଥାନ। ୧୯୦୦-୧୯୩୮ ମସିହା, କୁନ୍ତଳା କୁମାରୀଙ୍କର ସୀମିତ ଜୀବନକାଳ। ବାଲ୍ୟାବସ୍ଥାରୁ ଆର୍ଥିକ ଅନଟନ, ଯୌବନାବସ୍ଥାରେ ପ୍ରେମପ୍ରଣୟଜନିତ ହତାଶାବୋଧ, ପ୍ରତାରଣା ଓ ଉପେକ୍ଷା- ଏସବୁ ବାହାରକୁ ଖଣ୍ଡଖଣ୍ଡ ଦେଖାଗଲେ ବି ସାମଗ୍ରିକ ଭାବେ ଏକ ଅଖଣ୍ଡ ଆତ୍ମିକ ଅଭିଜ୍ଞତା। ଜୀବନରୁ ଜୀବନକୁ ତାଙ୍କର ଗତି । ଭୂମିିରୁ ଭୂମାକୁ ଦୃଷ୍ଟି । ସାଧାରଣ ଧୀଶକ୍ତିସମ୍ପନ୍ନ, ଗଭୀର ଆତ୍ମବିଶ୍ବାସରେ ଭରପୂର ସେ ଏକ ପୂର୍ଣ୍ଣଗର୍ଭା ବ୍ୟକ୍ତିତ୍ବ।
ଡାକ୍ତରୀ କୁନ୍ତଳାଙ୍କର ବୃତ୍ତି ଥିଲା; ମାତ୍ର ପ୍ରବୃତ୍ତି ଥିଲା ସାହିତ୍ୟ ସାଧନା । କଳା ପାଇଁ କଳା ନୁହେଁ, ଜୀବନ ପାଇଁ କଳାର ସୃଷ୍ଟିରେ ସେ ବିଶ୍ବାସୀ ଥିଲେ। ତତ୍‌କାଳୀନ ସମାଜରେ ପୂରି ରହିଥିବା ଅନ୍ଧବିଶ୍ବାସ, କୁସଂସ୍କାର ବିଶେଷତଃ ନାରୀଜୀବନର ବିବିଧ ସମସ୍ୟାକୁ ଦୂରେଇ ଏକ ସୁସ୍ଥ ସୁନ୍ଦର ସମାଜ ଗଠନର ପରିକଳ୍ପନା ସେ କରିଥିଲେ। ‘ଭ୍ରାନ୍ତି’, ‘ନଅତୁଣ୍ଡୀ’, ‘କାଳିବୋହୂ’, ‘ପରଶମଣି’, ‘ରଘୁଅରକ୍ଷିତ’ ଆଦି ଉପନ୍ୟାସ ତାଙ୍କ ଏହି ଚିନ୍ତାଧାରାର ଏକ ସଫଳ ଫଳଶ୍ରୁତି। ଉପନ୍ୟାସ ସୃଷ୍ଟିରେ କୁନ୍ତାଳାଙ୍କର କୃତି ଅବିସମ୍ବାଦିତ; ମାତ୍ର କବିତା ହିଁ ତାଙ୍କ ଆତ୍ମପ୍ରକାଶର ସଶକ୍ତ ମାଧ୍ୟମ। ଅଞ୍ଜଳି, ଉଚ୍ଛ୍ବାସ, ଅର୍ଚ୍ଚନା, ସ୍ଫୁଲିଙ୍ଗ, ଆହ୍ବାନ ଆଦି ସଙ୍କଳନସ୍ଥିତ ଭାବାବେଗସ୍ନିଗ୍ଧ କବିତାର ପ୍ରକୃତିଚିତ୍ର, ଉଗ୍ର ଜାତୀୟତା, ବୈପ୍ଳବିକ ଚେତନା, ପ୍ରେମଭାବନା, ଆତ୍ମାନୁଭୂତି, ନିଃସର୍ଗ ପ୍ରୀତି, ବିଭୁପ୍ରାଣତା ଓ ଆତ୍ମଜିଜ୍ଞାସା ସମ୍ବଳିତ ଜୀବନଦର୍ଶନ ଇତ୍ୟାଦି ତାଙ୍କୁ ଜଣେ ସମର୍ପିତ ସାଧିକା ରୂପେ ପାଠକଙ୍କ ନିକଟରେ ଉପସ୍ଥାପିତ କରିଥାଏ।
କୁନ୍ତାଳାକୁମାରୀଙ୍କ କବିତାରେ ମୁଗ୍ଧ କବି ଗୋଦାବରୀଶ ମହାମାତ୍ର ଏକ ପତ୍ରରେ ଲେଖିଥିଲେ- ‘ଆପଣ ଉତ୍କଳ ଆକାଶରେ ଏକ ତାରା ମାତ୍ର ନ ହୋଇ ଲଞ୍ଜାତାରା ହୁଅନ୍ତୁ।’ ମନୀଷୀ ନୀଳକଣ୍ଠ ଦାସ ତାଙ୍କ ‘ପୂଜା ପଦ୍ଧତି’ କବିତା ପାଠ କରି ଲେଖିଥିଲେ-‘କବିତାଟିର ମୁଗ୍ଧସୁନ୍ଦର ମୂର୍ତ୍ତି ଏବେ ମଧ୍ୟ ମନରୁ ଯାଉନାହିଁ। ମୋର ମନେହୁଏ ଓଡ଼ିଆ ସାହିତ୍ୟରେ ଏଭଳି ସାର୍ବଜନୀନ ପ୍ରାଣସ୍ପର୍ଶୀ ପୂଜାପଦ୍ଧତି କେହି କେବେ ଲେଖିନାହାନ୍ତି। ’ ଏସବୁ ଟିପ୍‌ପଣୀ କୁନ୍ତାଳକୁମାରୀଙ୍କ ସାରସ୍ବତ ସିଦ୍ଧିର ପୁରସ୍କାର ନିଶ୍ଚୟ। ୧୯୨୫ ମସିହାରେ ପୁରୀର ମହିଳାବନ୍ଧୁ ସମିତି ତାଙ୍କୁ ‘ଉତ୍କଳଭାରତୀ’ ଆଖ୍ୟାରେ ଭୂଷିତ କରିଥିଲେ।
କୁନ୍ତଳାଙ୍କ ଜୀବନ ଏକ ବିସ୍ମୟ। ମେଘମେଦୁରିତ ଆକାଶରେ ବିଜୁଳିର ଚମକ ପରି ତାଙ୍କର ଆବିର୍ଭାବ ଓ କ୍ଷଣେମାତ୍ର ଚତୁର୍ଦିଗକୁ ଆଲୋକିତ କରି ନିର୍ବାପନ। ତାଙ୍କ ଅବର୍ତ୍ତମାନରେ ଏହି ଅନନ୍ୟ ଅସାଧାରଣ ବ୍ୟକ୍ତିତ୍ବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କବି ସଚ୍ଚିଦାନନ୍ଦ ରାଉତରାୟ ଲେଖିଲେ- ‘ନୁହେଁ ସେ ତ ଖାଲି/ ନାରୀ, ଖାଲି ମାତା ଅବା ଖାଲି କବି/ ଜାତୀୟ ସମରେ ସେ ଯେ ସଇନିକ ତୋଳିଛି ଭୈରବୀ । ଆଗେ ସେ ଧରିଛି ଅସି ପଛେ ସିନା ଧରିଛି ଲେଖନୀ/ତେଣୁ ତା’ର ପ୍ରତିଗାନେ ଥରିଉଠେ ଦେଶର ଧମନୀ।

ଡ. ରଞ୍ଜିତା ନାୟକ,

ରାଜନୀଳ, ୧୫୦୧, ମହାନଦୀବିହାର, କଟକ-୪

Comments are closed.