କୁନ୍ଦ୍ରାଙ୍କ କାନପୁରସ୍ଥିତ ବ୍ୟାଙ୍କ ଆକାଉଣ୍ଟ ଜବତ

ସାକ୍ଷୀ ପାଲଟିଲେ କୁନ୍ଦ୍ରାଙ୍କ କର୍ମଚାରୀ:‘ଆପ୍‌ରେ ଅଶ୍ଳୀଳ ଦୃଶ୍ୟ ପ୍ରସାରଣ ପାଇଁ ମନା କରିଥିଲୁ’

ମୁମ୍ବଇ : ଅଶ୍ଳୀଳ ଚଳଚ୍ଚିତ୍ର ପ୍ରସ୍ତୁତି ମାମଲାରେ ଗିରଫ ରାଜ କୁନ୍ଦ୍ରାଙ୍କର ଉତ୍ତର ପ୍ରଦେଶର କାନପୁରସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ଥିବା ଦୁଇଟି ଆକାଉଣ୍ଟକୁ ତଦନ୍ତକାରୀ ପୁଲିସ ଜବତ କରିଛି। ଏହି ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା ଥିବା ପୁଲିସ କହିଛି। ପୁଲିସକୁ ମିଳିଥିବା ସୂଚନାନୁସାରେ ଅରବିନ୍ଦ ଶ୍ରୀବାସ୍ତବ ନାମକ ଜଣେ ବ୍ୟକ୍ତି କୁନ୍ଦ୍ରାଙ୍କ ପ୍ରଯୋଜନା କମ୍ପାନୀ ପରିଚାଳନା କରୁଥିଲେ। ଏହି କମ୍ପାନୀ ନାମରେ ଆୟ ଅର୍ଥକୁ ଏହି ଆକାଉଣ୍ଟରେ ଜମା ପରେ ଶ୍ରୀବାସ୍ତବଙ୍କ ପତ୍ନୀ ହର୍ଷିତାଙ୍କ ନାମରେ ଥିବା ଆକାଉଣ୍ଟକୁ ବଦଳି କରାଯାଉଥିଲା। ଅରବିନ୍ଦଙ୍କ ବାପାଙ୍କ କହିବାନୁସାରେ ସେ ଦୁଇ ବର୍ଷ ହେଲା ଘରକୁ ଆସି ନାହାନ୍ତି; କିନ୍ତୁ ନିୟମିତ ଘର ଚଳିବା ପାଇଁ ଅର୍ଥ ପଠାନ୍ତି। ସେ ପୁଅର ପେସା ବିଷୟରେ ଜାଣନ୍ତି ନାହିଁ ବୋଲି କହିଛନ୍ତି। ମୁମ୍ବଇ ପୁଲିସ ଗତ ଫେବୃଆରୀରେ ଅରବିନ୍ଦଙ୍କ ନାମରେ ‘ଲୁକ୍‌ଆଉଟ୍‌’ ନୋଟିସ ଜାରି କରିଥିଲା।
ସେହିପରି ଅଭିନେତ୍ରୀ ସେର୍ଲିନ ଚୋପ୍ରାଙ୍କୁ ତଦନ୍ତକାରୀ ଅଧିକାରୀ ସୋମବାର ସନ୍ଧ୍ୟାରେ ସମନ କରିଛନ୍ତି। ତାଙ୍କୁ ମଙ୍ଗଳବାର ହାଜର ହେବା ପାଇଁ କୁହାଯାଇଛି। ଚୋପ୍ରା କୁନ୍ଦ୍ରାଙ୍କ କାରବାର ସମ୍ପର୍କ​‌େ‌ର ପୁଲିସର ସାଇବର ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ। ସେ ପ୍ରଥମ ଆବେଦନକାରୀ ବୋଲି ଦାବି କରିଥିଲେ। କୁନ୍ଦ୍ରା ମାମଲା ଏବେ କ୍ରମଶଃ ରାଜନୈତିକ ରୂପ ନେବାକୁ ଯାଉଛି; କାରଣ ମହାରାଷ୍ଟ୍ରର ଜଣେ ବିଜେପି ନେତା ଆଶିଷ ଶେଲାର ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ତଦନ୍ତକୁ ଜାଣିଶୁଣି ମନ୍ଥର କରୁଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ସେ ଏ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। କେନ୍ଦ୍ର ସରକାର ମନ୍ତ୍ରୀମାନଙ୍କୁ ନେଇ ଏକ ତଦନ୍ତକାରୀ ଦଳ ଗଠନ କରିବାକୁ ସେ ଦାବି କରିଛନ୍ତି।
ଅପରପକ୍ଷରେ ‘ଭିଆନ୍‌ ଇଣ୍ଡଷ୍ଟ୍ରିଜ୍‌’ କାର୍ଯ୍ୟାଳୟର କର୍ମଚାରୀ ଏବେ ସାକ୍ଷୀ ପାଲଟିଛନ୍ତି। ମହାରାଷ୍ଟ୍ର ପୁଲିସର ଅପରାଧ ଶାଖା (କ୍ରାଇମ ବ୍ରାଞ୍ଚ) ପକ୍ଷରୁ ଜେରାବେଳେ ଚାରି ଜଣ କର୍ମଚାରୀ କୁନ୍ଦ୍ରାଙ୍କୁ ତାଙ୍କ ଚଳଚ୍ଚିତ୍ରରୁ ଅଶ୍ଳୀଳ ଦୃଶ୍ୟ ହଟାଇବାକୁ କହିଥିଲେ ବୋଲି କହିଥିବା ଜଣାପଡ଼ିଛି। ଏହି ଚଳଚ୍ଚିତ୍ରକୁ ‘ହଟ୍‌ସଟ୍ସ’ ଆପ୍‌ ମାଧ୍ୟମରେ ପ୍ରସାରିତ କରାଯାଇଥିବା ସେମାନେ ସ୍ବୀକାର କରିଥିବା ପୁଲିସ ସୂତ୍ରରୁ ପ୍ରକାଶ।
ପରବର୍ତ୍ତୀ ସମୟରେ ଏହି ଆପ୍‌କୁ ଗୁଗୁଲ ପ୍ଲେ ଷ୍ଟୋର୍‌ ଓ ଆପଲ୍‌ ଆପ୍‌ ଷ୍ଟୋର୍‌ରୁ ଅପସାରିତ କରାଯାଇ ‘ପ୍ଲାନ୍‌ ବି’କୁ କାର୍ଯ୍ୟକାରୀ କରାଯିବା ସହ ‘ବଲିଫେମ୍‌’ ନାମରେ ଅନ୍ୟ ଏକ ଆପ୍‌ ପ୍ରସାର କରାଯାଇଥିଲା। ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନାନୁଯାୟୀ, ଏହି ମାମଲାରେ ଅନ୍ୟତମ ଫେରାର ଅଭିଯୁକ୍ତ ଯଶ ଠାକୁରର ଗୁଇନ୍ଦା ପୁଲିସ ସହିତ ଭିତିରିଆ ସମ୍ପର୍କ ରହିଥିଲା। ଏହି ସାହସରେ ସେ ନୂଆ ଆପ୍‌ର ପ୍ରସାରଣକୁ ସହଜ କରିଥିଲା। ସମ୍ପୃକ୍ତ ଗୁଇନ୍ଦା ଅଧିକାରୀଙ୍କ ପତ୍ନୀଙ୍କ ନାମରେ ଆପ୍‌ର ପଞ୍ଜୀକରଣ କରାଇଥିଲେ। ଏଥିରେ କେବଳ ପୁରସ୍କାରପ୍ରାପ୍ତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସାରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ; କିନ୍ତୁ ଏଥିରେ ଅଶ୍ଳୀଳ ଚିତ୍ର ପ୍ରସାରିତ ହେଉଥିବା ଦେଖିବା ପରେ ଯଶ ଠାକୁରଙ୍କ ନିକଟରେ ଆପତ୍ତି ଉଠାଇଥିଲେ। ଏହା ଉପରେ ଏବେ ଅଧିକ ଖୋଳତାଡ଼ ଜାରି ରହିଛି। କୁନ୍ଦ୍ରାଙ୍କ ଅଶ୍ଳୀଳ ଚଳଚ୍ଚିତ୍ରର ସମ୍ପାଦନା କରୁଥିବା ତନଭିର ହାସ୍‌ମି ପୁଲିସକୁ କହିଛନ୍ତି ଯେ ଏଗୁଡ଼ିକ ‘ଅଶ୍ଳୀଳ’ କୁହାଯାଇପାରିବ ନାହିଁ। ଅପରପକ୍ଷରେ ଶନିବାର ଶିଳ୍ପାଙ୍କ ଘରୁ ଜବତ ବାକ୍ସ ଓ ଏଥିରେ ଥିବା ନଥିପତ୍ରକୁ ପୁଲିସ ଯାଞ୍ଚ କରୁଛି। ଏଥିସହିତ ତାଙ୍କ ଘରେ ବନ୍ଦ ରହିଥିବା ଏକ କାନ୍ଥ ଆଲମାରିକୁ ଖୋଲିବା ପ୍ରୟାସ କରୁଛି।

Comments are closed.