ସରକାର ଗଠନର ୧୦୦ ଦିନରେ ୫୦ ମନ୍ଦିର ବୁଲିଛନ୍ତି କୁମାରସ୍ୱାମୀ

0

ବେଙ୍ଗାଲୁର : କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଏଚ୍‍ଡ଼ି କୁମାରସ୍ୱାମୀଙ୍କ ସରକାର ଗୁରୁବାର ୧୦୦ ଦିନ ପୂର୍ଣ୍ଣ କରିଛି। ୧୦୦ ଦିନ ପୂର୍ତ୍ତି ଅବସରରେ କୁମାରସ୍ୱାମୀ କହିଛନ୍ତି ଯେ ସରକାରୀ କାମ ଭଗବାନଙ୍କ କାମ ସହ ସମାନ। ତେବେ ମଇ ୧୫ରୁ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଯୋଗୁଁ ଭଗବାନଙ୍କ ପ୍ରତି ତାଙ୍କ ଆସ୍ଥା ବହୁ ମାତ୍ରାରେ ବଢିଯାଇଥିବା ଅନେକ ଲୋକ ମତବ୍ୟକ୍ତ କରିଛନ୍ତି। ଫଳସ୍ୱରୁପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠାରୁ ଏପର୍ଯ୍ୟନ୍ତ ସେ ୫୦ରୁ ଅଧିକ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ଗୁରୁବାର କୁମାରସ୍ୱାମୀ ଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ତାଙ୍କ ପତ୍ନୀ ଅନିତା କୁମାରସ୍ୱାମୀ କହିଛନ୍ତି ଯେ ବାପା ଏବଂ ଭାଇଙ୍କ ତୁଳନାରେ ଇଶ୍ୱରଙ୍କ ଉପରେ କୁମାରସ୍ୱାମୀଙ୍କ ଆସ୍ଥା ସେତେଟା ଗାଢ ନଥିଲା।

୧୫ ମଇ ସକାଳେ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ମତଗଣନା ଆରମ୍ଭ ହୋଇଥିଲା। ସେତେବେଳକୁ କୁମାରସ୍ୱାମୀ ଅଦିଚଞ୍ଚନଗରି ମଠରେ ଚନ୍ଦ୍ରମା ପୂଜା କରିବାକୁ ପହଞ୍ଚି ଯାଇଥିଲେ। ୧୨ ବର୍ଷ ପରେ ତାଙ୍କ ଦଳ ଶାସନକୁ ଫେରିବ ବୋଲି ସେ ଆଶା କରିଥିଲେ। ହେଲେ ଦିନ ଯେତିକି ବଢିବାକୁ ଲାଗୁଥିଲା ତାଙ୍କ ଚିନ୍ତା ବଢିବାକୁ ଲାଗିଥିଲା। ଶେଷ ଫଳକୁ ଜେଡିଏସ୍‍ ମାତ୍ର ୩୭ ଆସନରେ ସୀମିତ ରହିଥିଲା। ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ସେ ରାଜନୀତିରୁ ସନ୍ୟାସ ନେବାକୁ ଚିନ୍ତା କରିଥିଲେ। ନିଜର ଜଣେ ଘନିଷ୍ଠ ମିତ୍ରକୁ ଡାକି ସେ ଏକଥା କହିଥିଲେ। ହେଲେ ସନ୍ଧ୍ୟା ବେଳକୁ ସ୍ଥିତି ବଦଳି ଯାଇଥିଲା। କୌଣସି ବି ଦଳ ସରକାର ଗଢିବା ପାଇଁ ବହୁ ମତ ପାଇନଥିଲେ ଓ ଜେଡିଏସ୍‍ ବିନା ସରକାର ଗଠନ ଏକପ୍ରକାର ଅସମ୍ଭବ ଥିଲା। ଏହାପରେ ସେ ଭଗବାନଙ୍କୁ ଧନ୍ୟବାଦ ଦେଇଥିଲେ। ସେବେଠାରୁ ଭଗବାନଙ୍କ ପ୍ରତି ତାଙ୍କ ଆସ୍ଥା ବହୁମାତ୍ରାରେ ବଢିଯାଇଛି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠାରୁ ସେ ମହାଭକ୍ତ ପାଲଟିଛନ୍ତି ଓ ଗୋଟିଏ ପରେ ଗୋଟିଏ ମନ୍ଦିର ଘୁରୁ ବୁଲୁଛନ୍ତି।

Leave A Reply