କୁମାର ସ୍ୱାମୀଙ୍କ ୭ ମିନିଟର ଶପଥ ଗ୍ରହଣ ପାଇଁ ଖର୍ଚ୍ଚ ହୋଇଛି ୪୨ ଲକ୍ଷ

0

ନୂଆଦିଲ୍ଲୀ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କ ୭ ମିନିଟ୍‍ର ଶପଥ ଗ୍ରହଣ ସମାରୋହ ପାଇଁ କର୍ଣ୍ଣାଟକ ସରକାର ୪୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ମାର୍ଚ୍ଚ ୨୩ରେ ଆୟୋଜିତ ଏହି ଶପଥ ଗ୍ରହଣ ସମାରୋହରେ ୧୪ ବିରୋଧୀ ଦଳର ୪୨ ଜଣ ନେତା ଏକାଠି ହୋଇଥିଲେ। ସୂଚନା ଅଧିକାର ଆଇନ (ଆରଟିଆଇ) ଯୋଗେ ଏହି ତଥ୍ୟ ପଦାକୁ ଆସିଛି। ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଆସିଥିବା ବିଭିନ୍ନ ଦଳର ନେତାଙ୍କ ପାଇଁ ବହୁ ଟଙ୍କା ଖର୍ଚ୍ଚ ହୋଇଛି। ଏହା ମଧ୍ୟରେ ସର୍ବାଗେ ରହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ତାଙ୍କର ଗୋଟିଏ ଦିନର ହୋଟେଲ ଖର୍ଚ୍ଚ ହେଉଛି ୮ ଲକ୍ଷ ୭୨ ହଜାର ୪୮୫ ଟଙ୍କା। ମାର୍ଚ୍ଚ ୨୩ ସକାଳ ୧୦ଟାରେ ଚନ୍ଦ୍ରବାବୁ ନାଇଡୁ ବେଙ୍ଗାଲୁରର ହୋଟେଲ ତାଜ ୱେଷ୍ଟ ଆଣ୍ଡ ମେ’ରେ ଚେକ୍‍ ଇନ୍‍ କରିଥିଲେ। ୨୪ ତାରିଖ ସକାଳ ୫ଟା ୩୪ରେ ସେ ହୋଟେଲରୁ ଚେକ୍‍ ଆଉଟ କରିଥିଲେ। ମାତ୍ର ୨୦ ଘଣ୍ଟାର ରହଣୀ ପାଇଁ ସେ ୮ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ସେହିଦିନ ହୋଟେଲ ୱେଷ୍ଟ ଆଣ୍ଡ ମେ’ରେ ଚେକ୍‍ ଇନ୍‍ କରିଥିଲେ ଓ ୨୦ ଘଣ୍ଟା ପରେ ଚେକ୍‍ ଆଉଟ କରିଥିଲେ। ହେଲେ ତାଙ୍କ ହୋଟେଲ ବିଲ୍‍ ହେଉଛି ୧.୮୫ ଲକ୍ଷ ଟଙ୍କା। ଖାଦ୍ୟ ଓ ପାନୀୟରେ ସେ ୭୬ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଏସ୍‍ପି ନେତ୍ରୀ ମାୟାବତୀଙ୍କ ହୋଟେଲ ଖର୍ଚ୍ଚ ୧,୪୧,୪୪୩ ଟଙ୍କା, ଏସ୍‍ପି ନେତା ଅଖିଳେଶ ଯାଦବଙ୍କ ହୋଟେଲ ଖର୍ଚ୍ଚ ୧,୦୨,୪୦୦ ଟଙ୍କା, ସିପିଆଇଏମ୍‍ ନେତା ତଥା କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ହୋଟେଲ ଖର୍ଚ୍ଚ ୧,୦୨,୪୦୦ ଟଙ୍କା, କଂଗ୍ରେସ ନେତା ଅଖିଳେଶ ଯାଦବଙ୍କ ହୋଟେଲ ଖର୍ଚ୍ଚ ୧,୦୨,୪୦୦ ଟଙ୍କା, ସିପିଆଇଏମ୍‍ ନେତା ସୀତାରାମ ୟେଚୁରୀଙ୍କ ହୋଟେଲ ଖର୍ଚ୍ଚ ୬୪,୦୦୦ ଟଙ୍କା, ଜିଭିଏମ୍‍ପି ନେତା ବାବୁଲାଲ ମାରାଣ୍ଡିଙ୍କ ହୋଟେଲ ଖର୍ଚ୍ଚ ୪୫,୯୫୨ ଟଙ୍କା, ଜେଏମ୍‍ଏମ୍‍ ନେତା ହେମନ୍ତ ସୋରେନଙ୍କ ହୋଟେଲ ଖର୍ଚ୍ଚ ୩୮,୪୦୦ ଏବଂ ଏଆଇଏମ୍‍ଆଇଏମ୍‍ ନେତା ଅସୁଦ୍ଦୁଦିନ ଓୱେସି ହୋଟେଲ ଖର୍ଚ୍ଚ ହେଉଛି ୩୮,୪୦୦ ଟଙ୍କା। ରାଜ୍ୟ ଆତିଥ୍ୟ ସଂଗଠନ ଏବଂ କର୍ଣ୍ଣାଟକ ସରକାରଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ୧୩ ମଇ ୨୦୧୩ରେ ସିଦ୍ଧରମେୟା ଏବଂ ୧୭ ମଇ ୨୦୧୮ରେ ୟେଦୁରପ୍ପାଙ୍କ ଶପଥ ଗ୍ରହଣ ସମାରୋହରେ ନେତାଙ୍କ ରହଣୀ ପାଇଁ କୌଣସି ଖର୍ଚ୍ଚ ହୋଇନଥିଲା ଅପରପକ୍ଷରେ କୁମାର ସ୍ୱାମୀଙ୍କ ଶପଥ ଗ୍ରହଣ ସମାରୋହରେ ଆମନ୍ତ୍ରିତ ଅତିଥିଙ୍କ ଦୁଇଟି ପଞ୍ଚତାରକା ହୋଟେଲରେ ଖାଇବା ଓ ପିଇବା ପାଇଁ ୩୭,୫୩,୫୩୬ ଟଙ୍କା ଖର୍ଚ୍ଚ ହୋଇଛି। ବିଧାନସଭା ହଲରେ ଚା’ ପାର୍ଟି ପାଇଁ ୪,୩୫,୦୦୧ ଟଙ୍କା ଖର୍ଚ୍ଚ ହୋଇଛି।

Leave A Reply