ଆଜି କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା, ସଜେଇ ହୋଇଛି ଢେଙ୍କାନାଳ ସହର

ଭୁବନେଶ୍ୱର / ଢେଙ୍କାନାଳ : ରବିବାର ଅର୍ଥାତ ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଆରମ୍ଭ। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ। ଆଜିର ଦିନରେ ଓଡ଼ିଶାର ଘରେ ଘରେ ଝିଅମାନେ ବେଶ ଆନନ୍ଦର ସହ ଏହାକୁ ପାଳନ କରିଥାଆନ୍ତି। କୁମାରୀ ଝିଅ ମାନେ ସକାଳୁ ସ୍ନାନ କରି ନୂଆ ବସ୍ତ୍ର ପରିଧାନ କରି ତୁଳସୀ ଚଉରା ମୂଳରେ ପୂଜା କରନ୍ତି। ଏକ କୁଲାରେ ଖଇ ଓ ସାତ ପ୍ରକାରର ଫଳ ନେଇ ଚଉରା ମୂଳରେ ବିଧିସହ ପୂଜାର୍ଚ୍ଚନା କରନ୍ତି। ଏହାସହ କୁମାରୀ କନ୍ୟାମାନେ ସନ୍ଧ୍ୟାରେ ଆକାଶରେ ଚନ୍ଦ୍ର ଆସିବା ପରେ ପୂଜା କରନ୍ତି। ବିଭିନ୍ନ ପ୍ରକାରର ଫଳ, ଖଇ, ନଡ଼ିଆ, କଦଳୀ, ଛେନା, ଦହି, କ୍ଷୀର, କାକୁଡ଼ି, ଆଖୁ ଆଦିକୁ ଚକଟା ଭୋଗ କରି ଚନ୍ଦ୍ର ଆକୃତିର କରି ପୂଜା କରିବା ପରେ ଏହାକୁ ନିଜ ସାଙ୍ଗମାନଙ୍କୁ ଖୁଆନ୍ତି।

ସେହିପରି ଆଜିି ଠାରୁ ପ୍ରସିଦ୍ଧ ମା’ଗଜଲକ୍ଷ୍ମୀଙ୍କ ପୂଜା ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଛି। ଢେଙ୍କାନାଳରେ ଏହି ପୂଜା ବେଶ ଜାକଜକମରେ ପାଳନ କରାଯାଉଥିବାରୁ ସମ୍ପୂର୍ଣ୍ଣ ସହରଟି ରଙ୍ଗବେରଙ୍ଗର ଆଲୋକ ଓ ବହୁ ସାଜସଜ୍ଜା ଦ୍ରବ୍ୟରେ ସଜେଇ ହୋଇଛି। ଚଳିତ ବର୍ଷ ଢେଙ୍କନାଳର ମିଳିତ ବଜାର ପୂଜା କମିଟିରେ ୩୮ଟି ପୂଜା ମଣ୍ଡପରେ ମୃଣ୍ମୟୀ ମା’ ଲକ୍ଷ୍ମୀ ପୂଜା ପାଇବେ। ପୂଜାରେ କେତେକ ସ୍ଥାନରେ ଚାନ୍ଦି ମେଢ ସହ ତୋରଣ , ମେଳା ସଭିଁଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଶାନ୍ତି ଶୃଙ୍ଖଳା ସହ ପୂଜା ସମାପନ ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Comments are closed.