୭୦୦ ବର୍ଷ ହେଲା ଗାଁ ଖାଲି: ରାତିରେ ଶୁଭୁଛି ବାସନ, ପାଉଜି ଓ ପାଦ ଶବ୍ଦ

କୁଲଧରା (ରାଜସ୍ଥାନ): ଭୁତ ପ୍ରେତ ଆଦିଙ୍କୁ ଅନେକ କଥା ଶୁଣିବାକୁ ମିଳେ । କେହି ଏହାକୁ ମନର ଭ୍ରମ କହି ଏଡାଇ ଯାଉଥିବାବେଳେ ଆଉ କେହି ଏହା ସତ ବୋଲି ଦାବି କରନ୍ତି । ଏମିତି ଏକ ଗାଁ ଆମ ଦେଶରେ ରହିଛି, ଯାହା ନାଁ ଶୁଣିଲେ, ସମସ୍ତେ ମନାକରନ୍ତି ସେଠାକୁ ଯିବାକୁ । ଆଉ ସେଠାରେ ରାତିରେ ରହିବା ତ ସମ୍ପୂର୍ଣ୍ଣ ଭାବରେ ନିଷେଧ କରାଯାଇଛି । କୁହାଯାଏ, ସେଠାରେ ରାତିରେ ଯିଏ ରହିଛି, ଆଉ ସେଠାରୁ ଫେରିନାହିଁ । ସ୍ଥାନୀୟ ଲୋକମାନେ ବି ଦିନବେଳା ଏହି ସ୍ଥାନକୁ ଯିବାକୁ ଭୟ କରନ୍ତି । ଆସନ୍ତୁ ଜାଣିବା- ଏହି ଗାଁ କେଉଁଠି ରହିଛି ଏବଂ ଏହାକୁ ନେଇ ଚାଲିଥିବା ଚର୍ଚ୍ଚା ପଛରେ କଣ ରହିଛି ।

ଗାଁର ନାଁ କୁଲଧରା । ରାଜସ୍ଥାନର ଜୟସାଲମେର ଜିଲାରେ ରହିଛି ଏହି ଗାଁ । ଐତିହାସିକମାନଙ୍କ ମତରେ ଏହି ଗାଁ ପ୍ରାୟ ତ୍ରୟୋଦଶ ଶତାବ୍ଦୀରେ ସ୍ଥାପିତ ହୋଇଥିଲା । ଏକଦା ଏହା ଅତ୍ୟନ୍ତ ସମୃଦ୍ଧ ଅଞ୍ଚଳ ଥିଲା । ଏଠାରେ ମୁଖ୍ୟତଃ ପାଲିୱାଲ ବ୍ରାହ୍ମଣମାନେ ବାସ କରୁଥିଲେ । ତେବେ ଉନ୍ନବିଂଶ ଶତାବ୍ଦୀର ଆଦ୍ୟଭାଗରେ ଏହି ଗାଁ କ୍ରମଶଃ ଜନଶୂନ୍ୟ ହେବାକୁ ଲାଗିଲା । ଏହାର ସଠିକ କାରଣ କେହି କହିପାରୁନଥିଲେ ମଧ୍ୟ ଜଳାଭାବ, ଭୂକମ୍ପ ଭଳି କାରଣୁ ଏହି ଗାଁର ଲୋକ ଏଠାରୁ ଅନ୍ୟତ୍ର ଚାଲିଯାଇଥିଲେ । ଆଉ କେହି କହନ୍ତି ତତ୍କାଳୀନ ଜୟସାଲମେର ରାଜ୍ୟର ଦେୱାନ ସଲିମ ସିଂଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଲୋକମାନେ ଗାଁ ଛାଡି ନିଜ ପରିବାର ସହିତ ପଳାଇ ଯାଇଥିଲେ । ତେବେ ବହୁ ବର୍ଷ ଧରି ଏହା ଭୁତ ପ୍ରେତ ରାଜୁତି କରୁଥିବା ଏକ ଗାଁର ଭାବରେ ଚର୍ଚ୍ଚିତ ହୋଇ ରହିଆସିଛି । ପରବର୍ତ୍ତୀ ସମୟରେ ରାଜସ୍ଥାନ ସରକାର ୨୦୧୦ ଦଶନ୍ଧିରେ ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବରେ ଗଢିତୋଳିବାକୁ ନିଷ୍ପତ୍ତି ନେଇଥିଲେ ।

ଏହି ପ୍ରାଚୀନ ଗାଁର ଧ୍ୱଂସାବଶେଷ ଜୟସାଲମେର ସହରରୁ ୧୮ କିଲୋମିଟର ଦକ୍ଷିଣ-ପଶ୍ଚିମକୁ ଅବସ୍ଥିତ । ଏହା ଏକ ଆୟତାକାର କ୍ଷେତ୍ର ଉପରେ ୮୬୧ ମିଟର ଲମ୍ବ ଏବଂ ୨୬୧ ମିଟର ପ୍ରସ୍ଥ ପରିମିତ ଅଞ୍ଚଳରେ ରହିଛି । ଏହର ମଧ୍ୟସ୍ଥଳରେ ରହିଛି ଏକ ଦେବୀ ମନ୍ଦିର । ଗାଁ ମଧ୍ୟଦେଇ ସଂଯୋଗ କରୁଛି ଅନେକ ରାସ୍ତା । ଏହାର ପୂର୍ବଭାଗରେ ରହିଛି କ୍ଷୁଦ୍ର ନଦୀ କାକନି, ଯାହା ଏବେ ଶୁଷ୍କ । ପଶ୍ଚିମପଟେ ତିଆରି କରାଯାଇଛି ପ୍ରାଚୀର । କୁଲଧରାରେ ମୂଳତଃ ବ୍ରାହ୍ମଣମାନେ ବାସ କରୁଥିଲେ, ଯେଉଁମାନେ ଜୟସାଲମେରର ପାଲି ଅଞ୍ଚଳରୁ ଆସି ଏଠାରେ ରହିବା ଆରମ୍ଭ କରିଥିଲେ । ସେଥିପାଇଁ ସେମାନଙ୍କୁ ପାଲିୱାଲ ବ୍ରାହ୍ମଣ କୁହାଯାଉଥିଲା । କାଦହାନ୍‍ ନାମକ ଜଣେ ପାଲିୱାଲ ବ୍ରାହ୍ମଣ ପ୍ରଥମ ବ୍ୟକ୍ତି ଭାବରେ କୁଲଧରା ଗ୍ରାମରେ ବାସ କରିବା ଆରମ୍ଭ କରିଥିଲେ । ସେଠାୋର ସେ ଉଧାନସର ନାମରେ ଏକ ପୁଷ୍କରିଣୀ ଖୋଳାଇଥିଲେ । ଗାଁରେ ତିନିଟି ଶ୍ମଶାନ ରହିଥିବା ଦେଖିବାକୁ ମିଳେ । ପୁରାତନ ଏବେ ଗାଁରେ ପ୍ରାୟ ୪୧୦ଟି ଘରର ଭଗ୍ନାବଶେଷ ରହିଛି । ଏହାବ୍ୟତୀତ ଏହାକୁ ଲାଗି ଗାଁ ବାହାରେ ଏହିଭଳି ଆଉ ପ୍ରାୟ ୨୦୦ ଘରର ଧ୍ୱଂସାବଶେଷ ରହିଛି । ଗାଁରେ ଏକାଧିକ ଗଭୀର କୂପ ଖନନ କରାଯାଇଥିବାବେଳେ ଏବେ ସେଗୁଡିକ ଶୁଷ୍କ ପଡିଛି । ଗୋଟିଏ କୂପ ଭିତରକୁ ଯିବାପାଇଁ ପାହାଚ ତିଆରି କରାଯାଇଥିଲା । ତାହା ମଧ୍ୟ ଶୁଖିଯାଇଛି ।

ତେବେ ଏହି ଗାଁ ପରିତ୍ୟକ୍ତ ହୋଇ ପଡିବା ପଛରେ ସ୍ଥାନୀୟ ଜନସାଧାରଣ ଏକ ଗୁରୁତ୍ୱପୂର୍ଣ୍ଣ କଥାର ଅବତାରଣା କରିଥାନ୍ତି । ତାହ ହେଉଛି, ତତ୍କାଳୀନ ଜୟସାଲମେର ରାଜ୍ୟର ଦେୱାନ ସିଲମ ସିଂ କୁଲଧାରାର ଜଣେ ସୁନ୍ଦରୀ ବ୍ରାହ୍ମଣ ଯୁବତୀଙ୍କୁ ଦେଖିବା ପରେ ତାଙ୍କୁ ବିବାହ କରିବାକୁ ଚାହିଁଥିଲେ । କିନ୍ତୁ ବ୍ରାହ୍ମଣ ସମୁଦାୟର ଲୋକେ ଏଥିରେ ରାଜି ହୋଇନଥିଲେ । ଫଳରେ ସଲିମ ଯୁବତୀଙ୍କୁ ବଳପୂର୍ବକ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଉକ୍ତ ଯୁବତୀଙ୍କୁ ବିବାହ ନକଲେ ସେ ଗ୍ରାମର ସମସ୍ତ ଲୋକଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ସଲିମଙ୍କ ଧମକ ପରେ ଗ୍ରାମରେ ଏକ ସଭା ବସିଥିଲା ଏବଂ ସମସ୍ତ ପରିବାର ଉକ୍ତ ଯୁବତୀଙ୍କ ଜୀବନ ବଞ୍ଚାଇବା ସହିତ ତାଙ୍କୁ ସଲିମଙ୍କ କବଳରୁ ସୁରକ୍ଷା ଦେବାପାଇଁ ଉକ୍ତ ଗ୍ରାମ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ଫଳରେ ଗୋଟିଏ ରାତିରେ ସମସ୍ତ ଗ୍ରାମବାସୀ ନିଜ ପରିବାର, ଘରକରଣା ସାମଗ୍ରୀକୁ ଓଟ ପିଠିରେ ଲଦି କୁଲଧରା ଛାଡି ଚାଲିଯାଇଥିଲେ । ଗାଁ ଛାଡିବା ବେଳେ ସେମାନେ ଅଭିଶାପ ଦେଇଥିଲେ ଯେ ସେମାନେ କଷ୍ଟକର ଯେଉଁ ଗାଁ ବସାଇଥିଲେ, ସେହି ଗାଁରେ ଆଉ କେହି ଜଣେ ବି ରହିପାରିବେ ନାହିଁ ।

ଏହି ଖବର ପ୍ରଚାରିତ ହେବାପରେ ସଲିମ ନିରାଶ ହୋଇଥିଲେ । ଏହାପରେ ଉକ୍ତ ଗ୍ରାମକୁ ଦଖଲ କରିବାକୁ ଅନେକ ଲୋକ ଚେଷ୍ଟା କରିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଜଣେହେଲେ ସଫଳ ହୋଇନାହାନ୍ତି । କାଳକ୍ରମେ ତାହା ଭୂତ ପ୍ରେତ ରହୁଥିବା ଗାଁ ଭାବରେ ଅଞ୍ଚଳରେ ପରିଚିତ ହେବାକୁ ଲାଗିଲା । କୁହାଯାଏ, ୨୦୧୦ ଦଶକ ଆଦ୍ୟଭାଗରେ ଭାରତୀୟ ପାରାନର୍ମାଲ ସୋସାଇଟିର ଗୌରବ ତିୱାରୀ ତାଙ୍କର ୧୮ ଜଣିଆ ଦଳକୁ ଧରି ଉକ୍ତ ଗ୍ରାମରେ ରାତି ବିତାଇବାକୁ ଆସିଥିଲେ । ତାଙ୍କ ସହିତ ଅନ୍ୟ ୧୨ ଜଣ ଲୋକ ମଧ୍ୟ ଥିଲେ । ରାତିରେ କେହି ଚାଲିଚାଲି ଯାଉଥିବାର ଛାଇ, କରୁଣ ଚିତ୍କାର କରିବା, କଥାବର୍ତ୍ତା କରୁଥିବା, ମହିଳାଙ୍କ ପାଦର ପାଉଜି ଏବଂ ବାସନ କୁସନ ଶବ୍ଦ ଶୁଭିବା ଏବଂ ସେହିଭଳି ଅନ୍ୟାନ୍ୟ ଘଟଣାର ସାମନା କରିଥିଲେ । ଏପରିକି ସେଠାରେ ଭୂତ ପ୍ରେତ ରହୁଥିବା କଥାକୁ ମଧ୍ୟ ଗୌରବ ସ୍ୱୀକାର କରିଥିଲେ । ଏହାପରେ ଉକ୍ତ ଗ୍ରାମ ଦେଶର ଅନ୍ୟାନ୍ୟ ଭାଗରେ ମଧ୍ୟ ଚର୍ଚ୍ଚିତ ହେବାରେ ଲାଗିଲା ଏବଂ ସେଠାରେ ଅନେକ ଚଳଚ୍ଚିତ୍ରର ସୁଟିଂ କରାଯାଇଥିଲା । କିନ୍ତୁ ସୁଟିଂ କରୁଥିବା ଦଳ ତାହାର ନିର୍ମାଣ ଆଦିରେ ନିଜ ସୁବିଧା ଅନୁଯାୟୀ କିଛି ପରିବର୍ତ୍ତନ କରିବା ଘଟଣା ସ୍ଥାନୀୟ ଲୋକଙ୍କୁ ନାପସନ୍ଦ ହୋଇଥିଲା । ଶେଷରେ ୨୦୧୫ରେ ରାଜସ୍ଥାନ ସରକାର ଉକ୍ତ ଗ୍ରାମକୁ ଏକ ପର୍ଯ୍ୟଟନ ସ୍ଥଳ ଭାବରେ ବିକଶିତ କରିବାକୁ ନିଷ୍ପତ୍ତି ନେଲେ । ଏବେ ଏହାର କିଛି ଅଂଶରେ ପ୍ରାଚୀର ନିର୍ମାଣ କରାଯାଇଛି ଏବଂ ଏକ ମୁଖ୍ୟ ପ୍ରବେଶ ଦ୍ୱାର ରହିଛି । ଗ୍ରାମ ମଧ୍ୟକୁ ଯିବା ପାଇଁ ଜଣ ପିଚା ୫୦ ଟଙ୍କା ଟିକେଟ ରହିଛି । କିନ୍ତୁ କେବଳ ପର୍ଯ୍ୟଟକମାନେ ଦିନ ସମୟରେ ଏହି ଗ୍ରାମ ମଧ୍ୟକୁ ଯାଇ ସଂଧ୍ୟା ପୂର୍ବରୁ ଫେରିବା ବ୍ୟବସ୍ଥା ରହିଛି । ସଂଧ୍ୟା ୬ଟା ପରେ ଏହା ଭିତରେ କେହି ରହିବା କିମ୍ବା ଏହା ମଧ୍ୟକୁ କେହି ପ୍ରବେଶ କରିବା ଉପରେ କଡା କଟକଣା ଲଗାଯାଇଛି ।

Comments are closed.