ଆଇପିଏଲ୍‍ ପୂର୍ବରୁ ମୁସ୍ତାକ୍‍ ଅଲୀ ଟ୍ରଫି ଖେଳାଯାଉ : କୁଲଦୀପ

ନୂଆଦିଲ୍ଲୀ : କୋଭିଡ୍‍-୧୯ ସଂକ୍ରମଣ ଯୋଗୁଁ ସାରାଦେଶରେ ଏବେ ସମସ୍ତ କ୍ରୀଡ଼ା କାର୍ଯ୍ୟକ୍ରମ ବନ୍ଦ ରହିଛି। ଭାରତୀୟ କ୍ରିକେଟ୍‌ ଦଳର ଯୁବ ଚାଇନାମ୍ୟାନ୍‍ ସ୍ପିନର କୁଲଦୀପ ଯାଦବ ଏବେ ପରିବାର ସହ ସମୟ କାଟୁଛନ୍ତି। ଭାରତୀୟ କ୍ରିକେଟ୍‌ ଦଳର ବ୍ୟସ୍ତ କାର୍ଯ୍ୟସୂଚୀ ଯୋଗୁଁ ପିତାମାତାଙ୍କ ସହ ଏତେ ସମୟ କିଛିବର୍ଷ ହେଲା କୁଲଦୀପ କାଟିବାର ସୁଯୋଗ ପାଇନଥିଲେ। କ୍ରିକେଙ୍କ କେବେ ଆରମ୍ଭହେବ; ତାହା କେହି ଜାଣନ୍ତିନାହିଁ। ତଥାପି କଟକଣା ସହ କ୍ରିକେଟ୍‌ ଅଭ୍ୟାସ ଆରମ୍ଭ କରିବାର ପ୍ରୟାସ ଆରମ୍ଭ ହୋଇଛି। କ୍ରିକେଟ୍‌ ପ୍ରଶଂସକ ମଧ୍ୟ ତାଙ୍କ ପ୍ରିୟ ତାରକାଙ୍କୁ ଦେଖିବାକୁ ଅନାଇ ରହିଛନ୍ତି। କୁଲଦୀପ ଯାଦବ କହିଛନ୍ତି ଯେ ମାତ୍ର ୧୫ରୁ ୨୦ ଦିନ ଅଭ୍ୟାସ କରିବା ପରେ ଜଣେ ଖେଳାଳି ମ୍ୟାଚ୍‍ ଖେଳିପାରିବେ।
ଚଳିତବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟ୍ୱେଣ୍ଟି୨୦ ବିଶ୍ୱକପ୍‍କୁ ଆସନ୍ତାବର୍ଷକୁ ଘୁଞ୍ଚାଇ ଦିଆଯିବାର ସମ୍ଭାବନା ରହିଛି। ତେଣୁ ସେପ୍ଟେମ୍ବର-ଅକ୍ଟୋବରରେ ଭାରତରେ ଆଇପିଏଲ୍‍ ଆୟୋଜନ ହୋଇପାରିବ ବୋଲି କୁଲଦୀପ ଆଶା ରଖିଛନ୍ତି। ଏହାସହ ଏହି ତାରକା ସ୍ପିନର କହିଛନ୍ତି ଯେ ଆଇପିଏଲ୍‍ ଆରମ୍ଭ ପୂର୍ବରୁ ପ୍ରତି ଫ୍ରାଞ୍ଚାଇଜି ୧୫ରୁ ୨୦ ଦିନର ଶିବିର ଆୟୋଜନ କରିବା ଉଚିତ। ଫଳରେ ଖେଳାଳିମାନେ ଆଇପିଏଲ୍‍ ପାଇଁ ପ୍ରସ୍ତୁତ ହୋଇପାରିବେ। ଏହାସହ କୁଲଦୀପ କହିଛନ୍ତି ଯେ ଆଇପିଏଲ୍‍ ପୂର୍ବରୁ ବିସିସିଆଇ ଆନ୍ତଃରାଜ୍ୟ ସିନିୟର ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ସୟଦ୍‍ ମୁସ୍କାକ୍‍ ଅଲୀ ଟ୍ରଫି ଆୟୋଜନ କରିବା ଉଚିତ। ଫଳରେ ଆଇପିଏଲ୍‍ ଖେଳିବା ପୂର୍ବରୁ ଭାରତୀୟ ଖେଳାଳି ଟ୍ୱେଣ୍ଟି୨୦ କ୍ରିକେଟ୍‌ ସହ ଅଭ୍ୟସ୍ତ ହୋଇପାରିବେ। ଏହି ୨ ସପ୍ତାହର ଟୁର୍ଣ୍ଣାମେଣ୍ଟରେ ଆଇପିଏଲ୍‍ ଫ୍ରାଞ୍ଚାଇଜି ସହ ଚୁକ୍ତିବଦ୍ଧ ପ୍ରାୟ ସମସ୍ତ ଭାରତୀୟ କ୍ରିକେଟରଙ୍କୁ ଦେଖିବାକୁ ମିଳିବ। କୁଲଦୀପ ଯାଦବ ପୂର୍ବତନ ଚମ୍ପିଆନ୍‍ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‍) ପାଇଁ ଆଇପିଏଲ୍‍ ଖେଳନ୍ତି। ଚଳିତବର୍ଷ ମାର୍ଚ୍ଚ ୨୯ରୁ ଆଇପିଏଲ୍‍ ଆରମ୍ଭହେବ ବୋଲି ଘୋଷଣା ହୋଇଥିବା ବେଳେ କୁଲଦୀପ କେକେଆର୍‍ର ଅଭ୍ୟାସ ଶିବିରରେ ଯୋଗ ଦେଇଥିଲେ। ତେବେ ଲକ୍‍ଡାଉନ୍‍ ଯୋଗୁଁ ଶିବିର ବନ୍ଦ ହୋଇ ଯାଇଥିଲା। ଘରେ ରହି ତାଙ୍କର ପୁରୁଣା ବୋଲିଂ ଭିଡିଓ ଦେଖି ତାଙ୍କ ବୋଲିଂରେ ଉନ୍ନତି ଆଣିବାକୁ ପ୍ରୟାସ କରୁଛନ୍ତି ବୋଲି କୁଲଦୀପ କହିଛନ୍ତି। ୨୦୧୭ରେ ବିରାଟ କୋହଲିଙ୍କ ନେତୃତ୍ୱରେ ପୋର୍ଟ ଅଫ୍‍ ସ୍ପେନ୍‍ରେ ଘରୋଇ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ୨୫ ବର୍ଷ ବୟସ୍କ କୁଲଦୀପ ଯାଦବ ଦିନିକିଆ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିଲେ। ଏକମାତ୍ର ଭାରତୀୟ ବୋଲର ଭାବେ କୁଲଦୀପ ଦିନିକିଆ କ୍ରିକେଟ୍‌ରେ ୨ ଥର ହ୍ୟାଟ୍ରିକ୍‍ ନେଇଛନ୍ତି। ଚେତନ ଶର୍ମା, କପିଳ ଦେବ ଓ ମହମ୍ମଦ ସାମି ଦିନିକିଆ କ୍ରିକେଟ୍‌ରେ ଥରେ ଲେଖାଏଁ ହ୍ୟାଟ୍ରିକ୍‍ ନେଇଛନ୍ତି। ଶ୍ରୀଲଙ୍କାର ଲାସିଥ୍‍ ମାଲିଙ୍ଗା ଦିନିକିଆ ମ୍ୟାଚ୍‍ରେ ୩ ଥର ହ୍ୟାଟ୍ରିକ୍‍ ନେଇଛନ୍ତି। କୁଲଦୀପଙ୍କୁ ଛାଡ଼ି ପାକିସ୍ତାନର ୱାସିମ୍‍ ଆକ୍ରମ୍‍ ଓ ସାକ୍‍ଲେନ୍‍ ମୁସ୍ତାକ୍‍, ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍‍ଟ ଓ ଶ୍ରୀଲଙ୍କାର ଚାମିନ୍ଦା ଭାସ୍‍ ଦିନିକିଆରେ ୨ ଥର ଲେଖାଏଁ ହ୍ୟାଟ୍ରିକ୍‍ ନେଇଛନ୍ତି।

Comments are closed.