କୁଳମଣି ପରିଡ଼ା ଓଡ଼ିଶା ସିନିୟର ମନୋନୟନକାରୀ

0

କଟକ :  ଭାରତୀୟ ରେଳବାଇ ଦଳର ପୂର୍ବତନ ଅଫ୍‍ସ୍ପିନର କୁଳମଣି ପରିଡ଼ା ଓଡ଼ିଶାର ସିନିୟର ମନୋନୟନକାରୀ ନିଯୁକ୍ତ ହୋଇଛନ୍ତି । ଧୀରେନ୍‍ ପଲେଇ ନେତୃତ୍ୱାଧୀନ ଓସିଏ କାର୍ଯ୍ୟକାରୀ କମିଟି କୁଳମଣିଙ୍କୁ ଏହି ଦାୟିତ୍ୱ ଦେଇଛି। କୁଳମଣି ପୂର୍ବରୁ ଓଡ଼ିଶା ୨୩ ବର୍ଷରୁ କମ୍‍ ଓ ୧୯ ବର୍ଷରୁ କମ୍‍ ଦଳର ପ୍ରଶିକ୍ଷକ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି। ପୁଣି ସେ ଭାରତୀୟ ରେଳବାଇ ଜୁନିୟର ଦଳର ପ୍ରଶିକ୍ଷକ ମଧ୍ୟ ରହିଛନ୍ତି । ରଶ୍ମିରଞ୍ଜନ ଓଡ଼ିଶା ରଣଜୀ ଟ୍ରଫି ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିବାରୁ ତାଙ୍କ ସ୍ଥାନରେ କୁଳମଣିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।
ଜଣେ କ୍ରିକେଟର ଭାବେ କୁଳମଣି ବେଶ୍‍ ଅଭିଜ୍ଞ । ଅଫ୍‍ସ୍ପିନର ଭାବେ କଟକ ବାସିନ୍ଦା ତଥା ପୂର୍ବତଟ ରେଳବାଇରେ କାର୍ଯ୍ୟରତ କୁଳମଣି ଦେଶରେ ଖୁବ୍‍ ନାମ କମାଇଥିଲେ। ସେ ରେଳବାଇ ଓ କେନ୍ଦ୍ରାଞ୍ଚଳ ପାଇଁ ମୋଟ ୧୦୮ଟି ପ୍ରଥମଶ୍ରେଣୀ ମ୍ୟାଚ୍‍ ଖେଳି ୩୨୦ଟି ୱିକେଟ ନେଇଛନ୍ତି। କୁଳମଣି ୪ ଥର ଏକ ମ୍ୟାଚ୍‍ରେ ୧୦ ୱିକେଟ ଓ ୧୩ ଥର ଏକ ଇନିଂସରେ ୫ଟି ୱିକେଟ ନେଇଛନ୍ତି। ମୁରଲୀ କାର୍ତ୍ତିକଙ୍କ ସହ ମିଶି କୁଳମଣି ରେଳବାଇର ସ୍ପିନ୍‍ ଆକ୍ରମଣ ଦାୟିତ୍ୱ ସମ୍ଭାଳିଥିଲେ।

Leave A Reply