କୁଲଡିହା ଅଭୟାରଣ୍ୟରୁ ଶିକାରୀ ଗିରଫ; ବନ୍ଧୁକ ଜବତ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟ ଭିତରେ ପଶି ଅବାଧରେ ବନ୍ୟଜନ୍ତୁଙ୍କୁ ଶିକାର କରିବା ଉଦେଶ୍ୟରେ ଛକିଥିବା ଜଣେ ଶିକାରୀକୁ ସ୍ଥାନୀୟ ବନବିଭାଗ ଗିରଫ କରି କୋର୍ଟଚାଲାଣ କରିଛି। ସମ୍ପୃକ୍ତ ଶିକାରୀଙ୍କଠାରୁ ଗୋଳାବାରୁଦ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିବା ବେଳେ ଅନ୍ୟ ୨ଜଣ ଶିକାରୀ ଫେରାର ହୋଇଯାଇଛନ୍ତି। ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ୱର ସେକ୍ସନର ଚୁଆମୁହଁ ଜଙ୍ଗଲରେ ନୀଳଗିରି ଥାନା ତଥା ଔପଦା ବ୍ଲକ କାଣ୍ଡଗରଡ଼ି ପଞ୍ଚାୟତ ଅଧୀନ ଖୋଲିଆ ଗାଁର ଶୀତଳ ସିଂ (୪୪) ଓ ଅନ୍ୟ ୨ଜଣ ସଶସ୍ତ୍ର ଶିକାରୀ ବନ୍ୟଜନ୍ତୁ ଶିକାର ଉଦେଶ୍ୟରେ ଜଙ୍ଗଲ ଭିତରକୁ ପଶିଥିଲେ। ସେମାନେ ଶିକାର ପାଇଁ ଯୋଜନା କରୁଥିବା ଖବର ପାଇ କୁଲଡିହା ରେଞ୍ଜର ବିଜୟ ମହାପାତ୍ରଙ୍କ ନିର୍ଦେଶରେ ଗାର୍ଡ଼ ରାମେଶ୍ୱର ମୁର୍ମୁ, ଜ୍ୟୋତ୍ସ୍ନା ଦତ୍ତ ଓ ସବୁଜବାହିନୀ କର୍ମଚାରୀମାନେ ପ୍ରମୁଖ ତାଙ୍କୁ ଘେରାଇ ଦେଇଥିଲେ। କୌଶଳକ୍ରମେ ୨ଜଣ ଶିକାରୀ ଜଙ୍ଗଲ ଭିତରେ ଫେରାର ହୋଇଯାଇଥିବା ବେଳେ ଶିକାରୀ ଶୀତଳ ବନକର୍ମଚାରୀଙ୍କ ହାତରେ ଧରା ପଡ଼ିଥିଲା। ତା’ଠାରୁ ଗୋଟିଏ ଦେଶୀ ବନ୍ଧୁକ, କଳା ଓ ନାଲିବାରୁଦ, ଶିକାରୀ ଟର୍ଚ୍ଚ ଓ ଗୋଟିଏ କଟୁରି ଜବତ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି।

Comments are closed.