ଟ୍ୟୁସନ ଯାଉଥିବା ସମୟରେ ଛାତ୍ରଙ୍କ ଉପରେ ମାଡ଼ିଗଲା ହାଇୱା ; ଜଣେ ମୃତ, ୨ ଗୁରୁତର

କୁଜଙ୍ଗ : ଜଗତସିଂହପୁର ଜିଲା କଟକ-ପାରାଦୀପ ରାସ୍ତାର ଭୁତମୁଣ୍ଡେଇ ଅନ୍ତର୍ଗତ ଫୁଲବେଲୋରୀ ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱା ୩ ଜଣ ଛାତ୍ରଙ୍କୁ ଧକ୍କା ଦେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେବା ସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଛାତ୍ର ହେଲେ ପଞ୍ଚମ ଶ୍ରେଣୀର କାହ୍ନୁ ଚରଣ ମହାନ୍ତି। ଅନ୍ୟ ୨ ଗୁରୁତର ଛାତ୍ରଙ୍କ ପରିଚୟ ମିଳିପାରିନାହିଁ। ଗୁରୁତରଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣା କାରଣରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳେ ୩ ଜଣ ଛାତ୍ର ଟ୍ୟୁସନ ଯାଉଥିବା ସମୟରେ କଟକ-ପାରାଦୀପ ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା।

Comments are closed.